Home କେନ୍ଦ୍ରାପଡ଼ା କୁଦାନଗରୀରେ ଫାଣ୍ଡି ଅଫିସ ଗୃହ ନିର୍ମାଣ ମାମଲା: ଗୃହ ବିଭାଗ ନିର୍ଦେଶକୁ ଉଲଂଘନ

କୁଦାନଗରୀରେ ଫାଣ୍ଡି ଅଫିସ ଗୃହ ନିର୍ମାଣ ମାମଲା: ଗୃହ ବିଭାଗ ନିର୍ଦେଶକୁ ଉଲଂଘନ

73

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଆଇନ୍‌ଜୀବୀ ସୁଧାଂଶୁ

କେନ୍ଦ୍ରାପଡ଼ା, ୩୧ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପାଟକୁରା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ସର୍ବଦା ବେଶ ଚର୍ଚ୍ଚାରେ ଥାଏ। ଏହି ନିର୍ବାଚନମଣ୍ଡଳୀରେ ରହିଛି କୁଦାନଗରୀ। କୁଦାନଗରୀ ଏକ ତୀର୍ଥ ସ୍ଥଳୀ। ମାଘ ସପ୍ତମୀରେ ଲକ୍ଷ ଲକ୍ଷ ଭକ୍ତଙ୍କର ସେଠାରେ ସମାଗମ ହୋଇଥାଏ। ସେହି କାରଣରୁ ଏଠାରେ ଏକ ଫାଣ୍ଡି ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଥିଲେ। ଏ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦେଶ ଆସିଥିଲା। ନିର୍ଦେଶ ଅନୁଯାୟୀ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ କିଛି ଦିନ ନିର୍ମାଣ କାର୍ଯ୍ୟ ହେବା ପରେ ଆଉ କାମ ଆଗେଇଲା ନାହିଁ। ନିର୍ମାଣ କାର୍ଯ୍ୟ ଆଗେଇବା ପାଇଁ ଗୃହ ବିଭାଗ ନିର୍ଦେଶ ଦେଲା। କିନ୍ତୁ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରାଗଲା ନାହିଁ। ଯାହା ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନ୍‌ଜୀବୀ ସୁଧାଂଶୁ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀ ଦାସ ଏଥିରେ ଉଲ୍ଲେଖ କରିଛନ୍ତି ଯେ ଏ ସଂକ୍ରାନ୍ତରେ ସେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ, ଡିଜି ଓ ଗୃହ ବିଭାଗକୁ ମଧ୍ୟ ଜଣାଇଛନ୍ତି। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସ୍ୱାର୍ଥରେ ଆଞ୍ଚ ଆସିବା କାରଣରୁ ସେଠାରେ ଫାଣ୍ଡି ନିର୍ମାଣ କାର୍ଯ୍ୟକୁ ଅଟକାଇ ଦିଆଗଲା। ଅପରପକ୍ଷରେ କୋରୁଆରେ ଫାଣ୍ଡି ନିର୍ମାଣ ଆରମ୍ଭ କରାଗଲା। କୋରୁଆରେ ଫାଣ୍ଡି ନିର୍ମାଣ କରିବା ପାଇଁ କୌଣସି ସରକାରୀ ନିର୍ଦେଶ ନାହିଁ। ତେଣୁ କେଉଁ ନିର୍ଦେଶ ବଳରେ ଫାଣ୍ଡି ନିର୍ମାଣ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ସେ ହାଇକୋର୍ଟରୁ ରହିତାଦେଶ ଆଣିଛନ୍ତି। ଗୋଟିଏ ପଟେ କୁଦାନଗରୀରେ ଫାଣ୍ଡି ନିର୍ମାଣ ପାଇଁ ଯେତିକି ଅର୍ଥ ଖର୍ଚ୍ଚ ହୋଇଛି ତାହା ସରକାରୀ ଅର୍ଥ। ତେଣୁ ସେହି ଅର୍ଥ କାହାଠାରୁ ଭରଣା କରାଯିବ। ଗୃହ ବିଭାଗ ନିର୍ଦେଶକୁ ଅବମାନନା କରିଥିବା ସରକାରୀ ବାବୁମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଇନଜୀବୀ ଶ୍ରୀ ଦାସ ଦାବି କରିଛନ୍ତି। ଏକ ଗଡ଼ିଆକୁ ମିଥ୍ୟା ତଥ୍ୟ ଦର୍ଶାଇ କାହା ସ୍ୱାର୍ଥରେ କୋରୁଆରେ ଫାଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.