ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଆମ ଦେଶରେ ଥିବା କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ୍ସେବା ଓ ନିଯୁକ୍ତି କ୍ଷେତ୍ରରେ ପରିବର୍ତନ ଆଣିବା ଦିଗରେ କୋଟି କୋଟି ଟଙ୍କା ସଚେତନତା ମାଧ୍ୟମରେ ବ୍ୟୟ କରୁଛନ୍ତି। କିନ୍ତୁ ତାହା ସେମାନଙ୍କ କ୍ଷେତ୍ରରେ ଏପର୍ଯ୍ୟନ୍ତ କିଭଳି ସଦୁପଯୋଗ ହୋଇପାରିନାହିଁ, ସେ ଦିଗରେ ମୁହଁ ଖୋଲିଛନ୍ତି ଟ୍ରାନ୍ସଜେଣ୍ଡର ସୁରକ୍ଷା ଫାଉଣ୍ଡେସନର ସଭାପତି ସୋନାଲି। ଆଜି ସେମାନଙ୍କର ହକ୍ ଦାବି ନେଇ ଏହି ଫାଉଣ୍ଡେସନ ପକ୍ଷରୁ ସୋନାଲିଙ୍କ ନେତୃତ୍ୱରେ ଆସିଥିବା କିନ୍ନରମାନେ ଜିଲାପାଳଙ୍କୁ ଭେଟିବା ସହ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପୂରଣ ଦିଗରେ ଅବଗତ କରାଇଛନ୍ତି। ବିଶେଷକରି ବସୁନ୍ଧରା ସ୍କିମ୍ରେ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ୪ ଡିସିମିଲ୍ ଜାଗାର ବ୍ୟବସ୍ଥା ଥିବାବେଳେ ଏହି ଜିଲାରେ ତାହା କାର୍ଯ୍ୟକାରୀ ହୋଇନାହିଁ। ସେହିଭଳି ଆବାସ ଯୋଜନାରେ ସେମାନଙ୍କୁ ସାମିଲ କରାଯାଇନାହିଁ। ପୂର୍ବ ସରକାରଙ୍କ ସମୟରୁ ଏମାନଙ୍କର କେତୋଟି ଏସ୍ଏଚ୍ଜି ଗ୍ରୁପ୍ ଗଠନ କରାଯାଇଥିଲେ ମଧ୍ୟ ସେମାନଙ୍କୁ କୌଣସି କାର୍ଯ୍ୟ ଦିଆଯାଇନାହିଁ। ଏପରିକି ଏହି ୭/୮ଟି ଗ୍ରୁପ୍ ମଧ୍ୟରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ବୈଠକ କରାଯାଇନାହିଁ। ଯଦିଓ ସରକାରଙ୍କ ସଚେତନତା ଯୋଗୁଁ ସେମାନଙ୍କ ମଧ୍ୟରେ କିଛିଟା ପରିବର୍ତନ ଆସି ଭୋଟ୍ ଦେବା କ୍ଷେତ୍ରରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ଭୋଟର ପରିଚୟ ପତ୍ର ପାଇବା କ୍ଷେତ୍ରରେ ସ୍ୱତନ୍ତ୍ର କ୍ୟାମ୍ପ କରି ଜିଲା ପ୍ରଶାସନ ସେମାନଙ୍କୁ ନାଗରିକର ଅଧିକାର ସାବ୍ୟସ୍ତ କରିବାକୁ ସେ ଦାବି କରିଛନ୍ତି। ଏବଂ ସେମାନଙ୍କୁ ସ୍ୱରୋଜଗାରକ୍ଷମ କରିବା କ୍ଷେତ୍ରରେ ନୂତନ ସରକାର ଦୃଷ୍ଟି ଦେବାକୁ ସେ ଜିଲାପାଳଙ୍କ ମାଧ୍ୟମରେ ଅନୁରୋଧ କରିଛନ୍ତି। ଏବଂ ଏହା କାର୍ଯ୍ୟକାରୀ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା କିନ୍ନରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଟ୍ରାନ୍ସଜେଣ୍ଡର ସୁରକ୍ଷା ଫାଉଣ୍ଡେସନ ଜିଲାପାଳଙ୍କୁ ଭେଟିଲା