Home ଜିଲ୍ଲା ପରିକ୍ରମା କାର୍ଯ୍ୟାଳୟ ଆଖୁଆପଦାରେ, ଯନ୍ତ୍ରୀ ଭଦ୍ରକରେ, ନୂଆ ସରକାର ଦୃଷ୍ଟି ଦେବେ କି!

କାର୍ଯ୍ୟାଳୟ ଆଖୁଆପଦାରେ, ଯନ୍ତ୍ରୀ ଭଦ୍ରକରେ, ନୂଆ ସରକାର ଦୃଷ୍ଟି ଦେବେ କି!

14

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଳ ନିଷ୍କାସନ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଖୁଆପଦାରେ । କିନ୍ତୁ କାର୍ଯ୍ୟରତ ଯନ୍ତ୍ରୀ ଦୀର୍ଘବର୍ଷ ହେବ ଏଠାରେ ନରହି ଭଦ୍ରକରେ ଅବସ୍ଥାନ କରିବା ସମସ୍ତଙ୍କୁ ଚକିତ କରିଛି । ଏଣୁ ଏଥିପ୍ରତି ନୂଆ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ଜଗନ୍ନାଥ ପ୍ରସାଦ ଠାରେ ଆଖୁଆପଦା ବୈତରଣୀ ଆନିକଟ ରହିଛି । ତେଣୁ ଜଳ ନିଷ୍କାସନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟଟି ଏଠାରେ ରହିଥିଲେ ମଧ୍ୟ ଦୀର୍ଘବର୍ଷ ହେବ କାର୍ଯ୍ୟକାରୀ ହେଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କାର୍ଯ୍ୟାଳୟ ଗୃହ କେବଳ ଜଣେ ଜଗୁଆଳିଙ୍କ ତତ୍ୱାବଧାନରେ ରହିଥିବାବେଳେ ଯନ୍ତ୍ରୀଙ୍କ ପାଦ ଏଠାରେ ପଡୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଆଖୁଆପଦା ନାମରେ ଏହି କାର୍ଯ୍ୟାଳୟ ଚାଲୁଥିଲେ ସୁଦ୍ଧା ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ୍ୱ ହେବ କୌଣସି ଯନ୍ତ୍ରୀ ଏଠାକୁ ଆସି କାର୍ଯ୍ୟ କରୁନଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ନୂତନ କାର୍ଯ୍ୟାଳୟଟି ପ୍ରତିଷ୍ଠା ହେବା ଦିନଠାରୁ ନିଯୁକ୍ତି ପାଇଥିବା ଯନ୍ତ୍ରୀମାନେ ଭଦ୍ରକରେ ରହି କାର୍ଯ୍ୟ କରୁଛନ୍ତି । ପର୍ଯ୍ୟାୟକ୍ରମେ ଯେଉଁ ଯନ୍ତ୍ରୀମାନେ ନିଯୁକ୍ତି ପାଉଛନ୍ତି, ସେମାନେ ଔପଚାରିକ ଦୃଷ୍ଟିରୁ କାଗଜପତ୍ରରେ ଆଖୁଆପଦା ନାମରେ ମୋହର ମାରୁଥିବାବେଳେ ପ୍ରକୃତ କାର୍ଯ୍ୟାଳୟ କେଉଁଠି, ତାହାର ତନଖି ପାଇଁ ଆସୁଥିବା କେହି ଜାଣିପାରୁନାହାଁନ୍ତି । ବିଶ୍ୱବ୍ୟାଙ୍କ ଆର୍ଥିକ ସହାୟତାରେ ଆନିକଟ ନବୀକରଣ କାର୍ଯ୍ୟ ପାଇଁ ନିର୍ମାଣ କରାଯାଇଥିବା ଗୃହରେ ଏହି କାର୍ଯ୍ୟାଳୟ ଖୋଲାଯାଇଥିବାବେଳେ କର୍ମଚାରୀଙ୍କ ପାଇଁ ଆବାସ ମଧ୍ୟ ରହିଛି । ୨୦୦୦ ମସିହାରେ ଏଠାରେ ଜଳ ନିଷ୍କାସନ ବିଭାଗର କାର୍ଯ୍ୟାଳୟ ଖୋଲାଯାଇଥିବାବେଳେ ବର୍ଷେ ଦୁଇବର୍ଷ ଯନ୍ତ୍ରୀ ଓ କର୍ମଚାରୀମାନେ ଅବସ୍ଥାନ କରି ସମସ୍ତ କାର୍ଯ୍ୟ ଠିକ୍‌ଠାକ୍ କରୁଥିଲେ । କିନ୍ତୁ ହଠାତ୍ ୨୦୦୩-୦୪ ମସିହା ଠାରୁ ଏହି କାର୍ଯ୍ୟାଳୟଟିକୁ କୌଣସି ଯନ୍ତ୍ରୀ କିମ୍ବା କର୍ମଚାରୀମାନେ ଆଉ ଆସିଲେ ନାହିଁ । ଫଳରେ କାର୍ଯ୍ୟାଳୟ ସମେତ କର୍ମଚାରୀମାନଙ୍କ ଗୃହରେ ଚାବି ପଡିଯାଇଥିବାବେଳେ ଆସବାବ ପତ୍ର ମଧ୍ୟ ଭଦ୍ରକକୁ ରାତାରାତି ସ୍ଥାନାନ୍ତର ହୋଇଗଲା । ତେବେ ଏହି କାର୍ଯ୍ୟାଳୟ ଗୃହ ଗୁଡିକ ପ୍ରାୟ ଭଗ୍ନ ଅବସ୍ଥାରେ ଆସି ଭୂତକୋଠିରେ ପରିଣତ ହେଲାଣି । ଏହି କାର୍ଯ୍ୟାଳୟ ଅଧୀନରେ ଭଣ୍ଡାରିପୋଖରୀ, ବନ୍ତ, ଧାମନଗର ଅଂଚଳର ଜଳ ନିଷ୍କାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଏହି ୩ ଗୋଟି ବ୍ଲକ୍‌ରେ ଜଳ ନିଷ୍କାସନ ବିଭାଗର କାର୍ଯ୍ୟ ସୁପରିଚାଳନା ପାଇଁ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଖୁଆପଦା ଠାରେ ସ୍ଥାପନ ହୋଇଥିଲା । ଜଣେ ସହକାରୀ ଯନ୍ତ୍ରୀଙ୍କ ସହିତ ୩ ଜଣ କନିଷ୍ଠ ଯନ୍ତ୍ରୀଙ୍କ ପଦବୀ ଏଠାରେ ରହିଛି । ତେବେ ସମସ୍ତ ପଦବୀରେ ଯନ୍ତ୍ରୀମାନେ ମଧ୍ୟ କାର୍ଯ୍ୟରତ ଅଛନ୍ତି । ବିଶେଷକରି ବର୍ଷାଦିନେ ଏହି ଅଂଚଳରେ ଉତ୍କଟ ଜଳନିଷ୍କାସନ ସମସ୍ୟା ଦେଖାଯାଉଥିବାବେଳେ ଏହାକୁ ଦୃଷ୍ଟି ଦେବାକୁ କାର୍ଯ୍ୟାଳୟରେ ଯନ୍ତ୍ରୀ ନାହାଁନ୍ତି । ସାଧାରଣ ଲୋକଟିଏ ଅଭିଯୋଗ କରିବାକୁ ଆସି ନିରାଶ ହୋଇ ଫେରୁଛି । ଏତଦ୍‌ବ୍ୟତୀତ ଏହି ଯନ୍ତ୍ରୀବିହୀନ କାର୍ଯ୍ୟାଳୟ ଅଧୀନରେ ରହିଥିବା ଜଳ ନିଷ୍କାସନ ବ୍ୟବସ୍ଥାର ମଧ୍ୟ ନବୀକରଣ କାର୍ଯ୍ୟ ବର୍ଷ ବର୍ଷ ଧରି ହୋଇପାରୁନାହିଁ । ତେଣୁ ନୂତନ ସରକାର ଏହା ଉପରେ ଦୃଷ୍ଟି ଦେଇ ପୂର୍ବଭଳି ଏଠାରେ ଥିବା କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.