ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବସର ସରକାରୀ ଚାକିରୀର ଅଂଶବିଶେଷ। ପ୍ରତ୍ୟେକ କର୍ମଚାରୀ ଦୀର୍ଘଦିନର ଚାକିରୀ ପରେ ସେବା ନିବୃତ ହୋଇଥାନ୍ତି। ଭଦ୍ରକ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ଅବସର ଗ୍ରହଣ ଉପଲକ୍ଷେ ଆୟୋଜିତ ଏକ ବିଶାଳ ସମ୍ବର୍ଦ୍ଧନା ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନ ଠାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ତରଫରୁ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଦିଲ୍ଲୀପ ରାଉତରାୟ କହିଲେ ପ୍ରତ୍ୟେକ ବ୍ୟକ୍ତି ନିଜର ନେତୃତ୍ୱକୁ ଠିକ୍ ଭାବେ ଚିହ୍ନିଥାନ୍ତି। କିନ୍ତୁ ସେହି ବ୍ୟକ୍ତିର କାର୍ଯ୍ୟଧାରା ଓ କର୍ମକୁଶଳତାକୁ ଅନ୍ୟମାନେ ସଠିକ୍ ଭାବେ ଚିହ୍ନିଥାନ୍ତି। ଜଣେ ସରକାରୀ କର୍ମଚାରୀ ଭାବରେ ନୁହେଁ ଆଦର୍ଶ ଓ କର୍ମନିଷ୍ଠ ମଣିଷ ଭାବରେ ସେ ନିଜର ଦାୟିତ୍ୱ ସୂଚାରୁ ରୂପେ ସଂପନ୍ନ କରିଛନ୍ତି। ଜିଲା ପ୍ରଶାସନର ଲୋକାଭିମୁଖୀ କାର୍ଯ୍ୟ ଜନସାଧାରଣଙ୍କ ନିକଟରେ ପହଂଚାଇଛନ୍ତି। ସାମ୍ବାଦିକଙ୍କୁ ସଠିକ୍ ଭାବେ ସମ୍ବାଦ ପରିବେଷଣ କରିବା ଫଳରେ ଜିଲା ପ୍ରଶାସନର ବାସ୍ତବ ଚିତ୍ର ଜିଲାବାସୀଙ୍କ ନିକଟରେ ପହଂଚିପାରିଛି। କାର୍ଯ୍ୟାଳୟର କର୍ମଚାରୀ ଅଭାବ ସତ୍ୱେ ସେ ନିରବଚ୍ଛିନ୍ନ ଭାବେ ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ କରୁଥିବାରୁ ଜିଲା ପ୍ରଶାସନ, ଜନସାଧାରଣ ଓ ସାମ୍ବାଦିକ ମାନଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାଷା ସାହିତ୍ୟର ଗବେଷକ ଡ. ଶଶଧର ଦାସ କହିଲେ ଯେ ସୂଚନା ଓ ଲୋକସଂପର୍କ ଅଧିକାରୀ ହେଉଛନ୍ତି ଜିଲା ପ୍ରଶାସନର ମୁଖପାତ୍ର। ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିଥାନ୍ତି ସାମ୍ବାଦିକମାନେ। ସାମ୍ବାଦିକମାନଙ୍କୁ ଜିଲା ପ୍ରଶାସନ ତଥା ସରକାରୀ କାର୍ଯ୍ୟକ୍ରମର ସଠିକ୍ ଖବର ଲୋକସଂପର୍କ ଅଧିକାରୀଙ୍କ ସୂତ୍ରରୁ ମିଳିଥାଏ। ଶ୍ରୀ ନାୟକ କେବଳ ଜଣେ ଭଲ ମଣିଷ ନଥିଲେ। ଆଦର୍ଶ, କର୍ତବ୍ୟ ନିଷ୍ଠ ଓ ସଚ୍ଚୋଟ ଅଧିକାରୀ ଭାବେ ସେ ସ୍ମରଣୀୟ ହୋଇ ରହିବେ। ଭଦ୍ରକର ଅସଜଡା କାର୍ଯ୍ୟାଳୟକୁ ନୂଆ ଜୀବନ୍ୟାସ ଦେଇ ଏକ ଜିଲାସ୍ତରୀୟ କାର୍ଯ୍ୟାଳୟର ମାନ୍ୟତା ସେ ପ୍ରଦାନ କରିଛନ୍ତି। ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସାମ୍ବାଦିକ ତଥା ଆଇନ୍ଜୀବୀ ଅତିଶ କୁମାର ବେହେରା ସଭାପତିତ୍ୱ କରିଥିବାବେଳେ ମଂଚ ପରିଚାଳନା କରିଥିଲେ ସାମ୍ବାଦିକ ରବିନାରାୟଣ ଖିଲାର। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ତରଫରୁ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ନାୟକଙ୍କ ସହ ତାଙ୍କ ଧର୍ମପତ୍ନୀ ଓ ପରିବାର ବର୍ଗଙ୍କୁ ମୁଖ୍ୟ ଅତିଥି ଜିଲାପାଳ ଶ୍ରୀ ରାଉତରାୟ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧିତ ଉତ୍ସବରେ ଅତିରିକ୍ତ ଜିଲାପାଳ ସରୋଜ ଦତ, ମୁଖ୍ୟ ଜିଲା ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଡେପୁଟି କଲେକ୍ଟର ତଥା ଭାରପ୍ରାପ୍ତ ଡିଆଇପିଆରଓ କାର୍ତିକନାଥ ମଣ୍ଡଳ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ସାମଲ, ସଂସ୍କୃତି ଅଧିକାରିଣୀ ତନୁଜା ସର୍କିା ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଶ୍ରୀ ନାୟକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ ସାମ୍ବାଦିକ ନିହାର ଦାସ, ପ୍ରତାପ ଦାସ, ପ୍ରମୋଦ ରାୟ, ସ୍ମୃତିରଂଜନ ସାହୁ, ନରେନ୍ଦ୍ର ସାମଲ, ପାର୍ଥସାରଥୀ ନାୟକ, ରୂପକ ରାୟ, ତପନ ପ୍ରଧାନ, ପ୍ରିୟଦର୍ଶନ ବୋଇତି, ସନାତନ ରାଉତ, ପ୍ରଭାତ ଦାସ ପ୍ରମୁଖ ଶ୍ରୀ ନାୟକଙ୍କ ଦାୟିତ୍ୱ ବହନରେ କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା ସଂପର୍କରେ ସ୍ମୃତିଚାରଣ କରିଥିଲେ। ବରିଷ୍ଠ ସାମ୍ବାଦିକ ଗୌରହରି ନାୟକ ମାନପତ୍ର ପାଠ କରିଥିବାବେଳେ ସଂଜୀବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Home ଜିଲ୍ଲା ପରିକ୍ରମା କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ସୂଚନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା, ରମେଶ ବାବୁ ଥିଲେ ଜଣେ ଆଦର୍ଶ ଓ...