Home ଓଡ଼ିଶା କାର୍ଯ୍ୟକ୍ଷମ ହେବନି ୪୫ ଲକ୍ଷର ଚେକ ଡ୍ୟାମ: ଚେକ୍ ଡ୍ୟାମ ନାମରେ ଚାଷୀଙ୍କୁ ଠକିଦେଲେ ଯନ୍ତ୍ରୀ,...

କାର୍ଯ୍ୟକ୍ଷମ ହେବନି ୪୫ ଲକ୍ଷର ଚେକ ଡ୍ୟାମ: ଚେକ୍ ଡ୍ୟାମ ନାମରେ ଚାଷୀଙ୍କୁ ଠକିଦେଲେ ଯନ୍ତ୍ରୀ, ଠିକାଦାର ଓ ଅଧିକାରୀ

752

ନୟାଗଡ଼, ୨୪ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସରକାର କୃଷି ଓ କୃଷକ ଏବଂ ଜମିକୁ ଜଳ ଯୋଗାଇଦେବା ଲକ୍ଷ୍ୟରେ ସବୁଠାରୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ମାତ୍ର କ୍ଷୁଦ୍ର ଜଳସେଚନ ବିଭାଗ କିପରି ଚାଷୀଙ୍କୁ ଠକି ଅଜାଗାରେ ଚେକଡ୍ୟାମ ନାମକୁମାତ୍ର ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରିବାରେ ଲାଗିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜଳସେଚନ ସୁବିଧାକୁ ଦୃଷ୍ଟିରେ ରଖି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଗତ ଆର୍ଥୀକ ବର୍ଷ ଏପରି ଦେଖାଦେଇଛି ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତର କଞ୍ଚନବିଲି ଗ୍ରାମରେ କରାଯାଇଥିବା ଚେକଡ୍ୟାମ ନିର୍ମାଣରେ। ଜଳସେଚନ ସୁବିଧାକୁ ଦୃଷ୍ଟିରେ ରଖି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଗତ ଆର୍ଥୀକ ବର୍ଷରେ ପ୍ରାୟ ୪୫ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ଏକ ଚେକ୍ଡ୍ୟାମ ନିର୍ମାଣ କରାଗଲା। ବର୍ଷାଧିକ କାଳ ଏହି ଚେକଡ୍ୟାମ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଯେଉଁଠାରେ ଗ୍ରାମର କୌଣସି ଜମିକୁ କେବେହେଲେ ମଧ୍ୟ ଜଳ ଯୋଗାଣ ହୋଇପାରିବ ନାହିଁ ସେହିପରି ଏକ ଅଜାଗାରେ କିପରି ଚେକଡ୍ୟାମ ନିର୍ମାଣ କରାଗଲା ତାହା ଚାଷୀମାନେ ପ୍ରଶ୍ନବାଚୀ ପ୍ରଶ୍ନ କରିଛନ୍ତି। ସରକାରଙ୍କ ନିୟମ ଅନୁସାରେ ଜମିକୁ ଜଳଯୋଗାଣ କରିବାପାଇଁ ଉଦ୍ଦିଷ୍ଟ ଚେକ୍ଡ୍ୟାମର ସ୍ଥାନ ପରିବେଶ ଅନୁକୂଳ ହୋଇଥିବା ଦରକାର। ନଦୀ, ନାଳ ବା ବୋହିଯାଉଥିବା ଜଳକୁ ଅଟକାଇ ଚେକଡ୍ୟାମ ଜରିଆରେ ଜମିକୁ ଜଳଯୋଗାଇଦିଆଯାଇଥାଏ। ମାତ୍ର ଚେକଡ୍ୟାମ ନିର୍ମାଣ ପାଇଁ ଯେତେବେଳେ ସ୍ଥାନ ନିରୂପଣ କରାଗଲା ସେତେବେଳେ କିପରି ଏହି ସ୍ଥାନଟିକୁ ଯନ୍ତ୍ରୀ ଉଚିତ୍ ମଣିଲେ ଏବଂ ଚାଷୀଙ୍କ ଜମିକୁ ଜଳ ଯୋଗାଣ ଲକ୍ଷ୍ୟରେ ଏହି ଚେକଡ୍ୟାମଟିକୁ ଏହି ସ୍ଥାନରେ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଲେ ତାହା ଅଧିକ ସନ୍ଦେହ ଘନିଭୂତ କରିଛି। ଚେକଡ୍ୟାମ କାର୍ଯ୍ୟ ଏବେ ବର୍ଷାଧିକ କାଳ ନିର୍ମାଣରେ ଚାଲିଛି। ଏହା କେବେ ଶେଷ ହେବ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଚେକଡ୍ୟାମ କୌଣସି କାମରେ ଆସିବ ନାହିଁ ଜାଣି ଯନ୍ତ୍ରୀ ଓ ଠିକାଦାର ଏହାର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର କରୁଥିବା ଅଭିଯୋଗ ହେଉଛି। ଯେନତେନ ପ୍ରକାରେ ଏଡି ଚେକଡ୍ୟାମର କାର୍ଯ୍ୟ ସାରିଦେଇ ଫାଇନାଲ ବିଲ୍ ପାଶ୍ କରାଇନେବାରେ ଲାଗିଥିବା କୁହାଯାଉଛି। ଚେକଡ୍ୟାମ ଯେଉଁଠାରେ ନିର୍ମାଣ କରାଯାଇଛି ତାହା ଚାଷୀଙ୍କୁ ଠକିବା ଛଡ଼ା ଆଉକିଛି ନୁହେଁ ବୋଲି କୁହାଯାଉଥିବାବେଳେ ଚାଷୀଙ୍କ ଜମିକୁ ଜଳଯୋଗାଣ କରିବା ଲକ୍ଷ୍ୟରେ ଯଦି ନିର୍ମାଣ କରିବାରେ ଲକ୍ଷ୍ୟଥାନ୍ତା ତେବେ ଗ୍ରାମର ପୂର୍ବପାଶ୍ୱର୍ରେ କରାଯାଇଥିଲେ ଚାଷୀଙ୍କର ଶହ ଶହ ଏକର ଜମିରେ ଜଳ ମାଡ଼ିପାରିଥାନ୍ତାବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି। ଏବେ ଯେଉଁଠାରେ ଚେକଡ୍ୟାମ ନିର୍ମାଣ କରାଯାଇଛି ସେଠାରେ କାହାର ନା କାହାର କୌଣସି କାମରେ ଲାଗିବ ନାହିଁ। ଚାଷୀମାନେ ଆଶା କରିଥିଲେ ଗାଁରେ ଏକ ଚେକଡ୍ୟାମ ହେଲେ ମରୁଡ଼ି ସମୟରେ ଧାନକ୍ଷେତ ମୁକୁଳିଯିବ। ଗାଁର ଏବଂ ପାଖ ଆଖ ଗ୍ରାମର ପ୍ରାୟ ଶହେ ଏକର ଜମିକୁ ପାଣି ମାଡ଼ିବ। ଏବେ ମରୁଡ଼ି କବଳରେ ଶତାଧିକ ଏକର ଚାଷଜମି କବଳିତ ହୋଇରହିଛି। ଅନିୟମିତ ବର୍ଷା ଯୋଗୁଁ ଜଳାଭାବର ଶିକାର ହୋଇ କ୍ଷତି ସହି ଆସୁଥିବା ଚାଷୀ ଏବର୍ଷ ଭଲ ଅମଳ କରିଥିବା ଆଶା ରଖିଥିବାବେଳେ ଚେକଡ୍ୟାମର ଠକାମିରେ ଶିକାର ହେବା ଯୋଗୁଁ ସବୁ ଚାଷୀଙ୍କୁ ନିରାଶ ହେବାକୁ ପଡ଼ିଛି। ଋଣକରି ଅଧିକ ଅମଳ ଆଶାରେ ଥିବା ଚାଷୀ ଏବେ ଋଣ ବୋଝରେ ଘାଣ୍ଟି ହେଉଥିବା ଦେଖାଦେଇଛି। ଏହି ଚେକଡ୍ୟାମ ନିର୍ମାଣରେ କେବଳ ଯନ୍ତ୍ରୀ, ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ଲାଭବାନ ହେଉଥିବାବେଳେ ଜଳଯୋଗାଣ ନାମରେ ଚେକଡ୍ୟାମ ନିର୍ମାଣ କରି ଚାଷୀଙ୍କୁ ଠକିଦେଲେ ବୋଲି ଗୁରୁତର ଅଭିଯୋଗ ହେଉଛି। ଏହାର ଉପଯୁକ୍ତ ଉଚ୍ଚସ୍ତରୀୟ ତଦନ୍ତ ହୋଇ ଚାଷୀଙ୍କୁ ନ୍ୟାୟ ମିଳୁବୋଲି ଚାଷୀମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.