Home Top News କାମଚଳା ପଦକ୍ଷେପରେ ସୀମିତ ରହୁଛି ଜିଲା ଶିକ୍ଷା ବିଭାଗ, ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଶିକ୍ଷକଙ୍କୁ ନିଲମ୍ବନ

କାମଚଳା ପଦକ୍ଷେପରେ ସୀମିତ ରହୁଛି ଜିଲା ଶିକ୍ଷା ବିଭାଗ, ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଶିକ୍ଷକଙ୍କୁ ନିଲମ୍ବନ

48

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାମଚଳା ପଦକ୍ଷେପରେ ସୀମିତ ରହୁଛି ଜିଲା ଶିକ୍ଷା ବିଭାଗ। ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବାବେଳେ ଥାନାରେ ଏତଲା ଦିଆଯାଇନଥିବା ପରିତାପର ବିଷୟ ସାଜିଛି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଅଧୀନ ଦୁଇଟି ବିଦ୍ୟାଳୟରେ ଦୁଇଟି ଅଘଟଣ ଘଟିଯାଇଛି। ଜଣେ ଶିକ୍ଷକ ଦୁଇ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଘଟଣାରେ ସଂପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବାବେଳେ ଥାନାରେ ଏତଲା ଦାଏର କରାଯାଇ ନଥିବା ଜଣାଯାଇଛି। ସେହିପରି ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ସୋୟାବିନ୍ ତରକାରୀ ଦେଇ ଏକ ଭୁରି ଭୋଜି ପରି ଶିକ୍ଷକ ଶିକ୍ଷୟିତ୍ରୀମାନେ ଚିଙ୍ଗୁଡି ମାଛ ଝୋଳ ଖାଉଥିବା ଘଟଣା ବିଭାଗ ପକ୍ଷରୁ କେବଳ ତଦନ୍ତରେ ସୀମିତ ରହିଛି, ଯାହାକୁ ନେଇ ଜିଲା ବିଭାଗର ପାରିଆ ପଣିଆର ବେଶ ପରିଚୟ ମିଳିପାରିଛି। ଏପରି ସ୍ଥଳରେ ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ଏକ ପ୍ରେସ୍ ବିବୃତ୍ତିରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ କାର୍ଯ୍ୟଧାରାକୁ ଉପରିସ୍ଥ ପଦାଧିକାରୀମାନେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଇଥିବା କହିଛନ୍ତି। ସୂଚନା ମୁତାବକ ଗୁରୁ ନାଆଁରେ କଳଙ୍କ ରଚିଛନ୍ତି ସହକାରୀ ଶିକ୍ଷକ ପର୍ଶୁରାମ ବେହେରା। ଏପରି ଘଟଣା ଘଟିଥିଲା ବାଂଶଡା ଥାନା ଗୁଆଁଳରେ। ସେ ୨ ଜଣ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ଏବଂ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଗାଁର ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ବହେ ଛେଚିଥିଲେ। ଭିଡିଓ ଭାଇରାଲ ହେବା ପରେ ଶିକ୍ଷା ବିଭାଗ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ କରାଯାଇ ଗତକାଲି ତାଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟପଟେ ଏହି ବ୍ଲକ୍‌ର କରଞ୍ଜମାଳସ୍ଥିତ ସରସ୍ୱତୀ ନୋଡାଲ ସ୍କୁଲର ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ସୋୟାବିନ୍ ତରକାରୀ ଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ଭୁରି ଭୋଜି ପରି ବିଦ୍ୟାଳୟରେ ଚିଙ୍ଗୁଡି ମାଛ ଝୋଳ ଖାଇଥିଲେ। ଏହି ଘଟଣାରେ ବିଭାଗ ପକ୍ଷରୁ କ୍ଷେତ୍ରୀ ତଦନ୍ତ ସହ ରିପୋର୍ଟ ଦାଖଲ କରିବାକୁ ବ୍ଲକ୍ ଶିକ୍ଷାଧିକାରୀ ସଂପୃକ୍ତ ସିଆରସିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଘଟଣା ସଂପର୍କରେ ଏଯାବତ୍ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଶିକ୍ଷା ବିଭାଗର ଅସଲ ଚେହେରା ବାରି ହେଉଛି। ସେଦିନ ଜଣେ ଅଭିଭାବକ ସ୍କୁଲ ପରିସରରେ ଚିଙ୍ଗୁଡି ଝୋଳ ଖାଉଥିବାର ଦେଖି ପ୍ରତିବାଦ କରିବାରୁ ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଲଟା ଜବାବ ମଧ୍ୟ ଦେଇଥିଲେ। ଆମେ ଖାଇଲେ ସିନା ପିଲାମାନଙ୍କୁ ପାଠ ପଢାଇବୁ ବୋଲି କହି ଘଟଣାକୁ ଏଡେଇ ଦେଇଥିଲେ। ଯାହାର ଭିଡିଓ ଉତ୍ତୋଳନ କରି ସଂପୃକ୍ତ ଅଭିଭାବକ ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.