ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରସ୍ୱତ ଦୁନିଆରେ ପ୍ରାତଃ ସ୍ମରଣୀୟ ଭଦ୍ରକ ମାଟିର ଗର୍ବ ଗୌରବ, ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ”ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀଧର ମହାପାତ୍ରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଏହି ପୁଣ୍ୟତିଥି ଅବସରରେ ଭଦ୍ରକ ସହରର ଚାନ୍ଦବାଲି ବାଇପାସ୍ ଛକରେ ଅବସ୍ଥାପିତ କାନ୍ତକବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ତିହିଡ଼ି ବ୍ଲକ୍ର ତାଳପଦା ସ୍ଥିତ କାନ୍ତକବି ଜନ୍ମପୀଠକୁ ଗସ୍ତ କରି ସେଠାରେ ତାଙ୍କର ସମାଧିପୀଠ ଓ ସ୍ମୃତିକୂଟୀରରେ ଅବସ୍ଥାପିତ ପ୍ରତିମୂର୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କାଙ୍କ ସଂଯୋଜନାରେ ଆୟୋଜିତ ଉଭୟ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ତ୍ୟାଗଭୂମି ମହୋତ୍ସବର ପ୍ରତିଷ୍ଠାତା ଅଜୟ ନାୟକ, ସାହିତ୍ୟିକା ରାଧାରାଣୀ ମହାପାତ୍ର ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ତାଳପଦାରେ ଜିଲ୍ଲାପରିଷଦ ସଦସ୍ୟ ଚିନ୍ତାମଣି ଦାସ, ଚିତ୍ରକର ଜୟନ୍ତ ନାୟକ, ତିହିଡ଼ି ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ଭାଗୀରଧି ଦତ ଓ ଅନ୍ୟ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ। ସେହିପରି ଚାନ୍ଦବାଲି ବାଇପାସ୍ ଛକ ଭଦ୍ରକ ସ୍ଥିତ ପ୍ରତିମୂର୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ବିଶିଷ୍ଟ ବ୍ୟକ୍ତି ଶିକ୍ଷାବିତ ରାମଚନ୍ଦ୍ର ପଣ୍ଡା, ଅଟଳବିହାରୀ ନାୟକ, ସମାଜସେବୀ ଏସ୍.ଏମ୍.ଫାରୁକ୍, ଲକ୍ଷ୍ମୀକାନ୍ତ ବାରିକ୍, ଗାନ୍ଧୀ ଓଡ଼ିଶା ବାଳାଶ୍ରମର ଅଶୋକ କୁମାର ଦାସ ଓ ହୃଷିକେଶ ମହାନ୍ତି, ପୌରପାଳିକା ନିର୍ବାହୀ ଅଧିକାରୀ ତାପସ ରଞ୍ଜନ ସାମଲ, ସାମ୍ବାଦିକ ରବିନାରାୟଣ ଖିଲାର, ସର୍ବୋଦୟ ମଣ୍ଡଳର ସଭାପତି ଅମର ପାଣିଗ୍ରାହୀ, ଶିକ୍ଷାବିତ୍ କମଳାକାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ସଙ୍ଗୀତଗୁରୁ ରାମନାରାୟଣ ମହାନ୍ତି “ବନ୍ଦେ ଉତ୍କଳ ଜନନୀ” ସଂଗୀତ ପରିବେଷଣ କରିଥିଲେ।