Home ଜିଲ୍ଲା ପରିକ୍ରମା କାନ୍ତକବିଙ୍କ ପୁତ୍ରବଧୂ ମୀରା ଦେବୀଙ୍କ ବିୟୋଗ

କାନ୍ତକବିଙ୍କ ପୁତ୍ରବଧୂ ମୀରା ଦେବୀଙ୍କ ବିୟୋଗ

58

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୁତ୍ରବଧୂ ତଥା ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ଧର୍ମପତ୍ନୀ ସମାଜସେବୀ ମୀରା ଦେବୀଙ୍କର ଗତକାଲି ଭୁବନେଶ୍ୱରରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ ନିମୋନିଆ ରୋଗରେ ପୀଡିତ ହୋଇ ପ୍ରଥମେ ଭଦ୍ରକର ଏକ ଘରୋଇ ହସ୍‌ପିଟାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ଭୋର୍‌ରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ବଡପୁଅ ‘ଉତ୍କଳ ପ୍ରସଙ୍ଗ’ ର ପୂର୍ବତନ ମୁଖ୍ୟ ସଂପାଦକ ଗୁରୁକଲ୍ୟାଣ ମହାପାତ୍ର, ଓଡ଼ିଶାର ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର, ଅବସରପ୍ରାପ୍ତ କେନ୍ଦ୍ରୀୟ ଶ୍ରମାୟୁକ୍ତ କମିଶନର ଗୋପୀକଲ୍ୟାଣ ମହାପାତ୍ର, ଆଇନ୍‌ଜୀବୀ ପ୍ରେମକଲ୍ୟାଣ ମହାପାତ୍ର, ଭଦ୍ରକର ବରିଷ୍ଠ ସାମ୍ବାଦିକ ଉମାକଲ୍ୟାଣ ମହାପାତ୍ରଙ୍କ ସମସ୍ତ ପରିବାର ସଦସ୍ୟ ସମେତ ୪ ଝିଅ କାନ୍ତା, ଶାନ୍ତା, ମନ୍ଦାକ୍ରାନ୍ତା, ମଧୁବ୍ରତା ଓ ଜ୍ୱାଇଁ ଡାକ୍ତର ମନୋରଂଜନ ମହାନ୍ତି, ବିକାଶ ମହାନ୍ତିଙ୍କ ସହ ପୁତ୍ରବଧୂ, ନାତି, ନାତୁଣୀମାନେ ଉପସ୍ଥିତ ଥିଲେ । ସ୍ୱର୍ଗୀୟ ମୀରାଦେବୀ ସ୍ନେହୀ, ମିଷ୍ଟଭାଷୀ ଭାବେ ଭଦ୍ରକ ଓ ତାଳପଦା ଅଂଚଳରେ ବେଶ୍ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ ଶରୀରକୁ ଭଦ୍ରକ ଅଣାଯାଇ ନୂଆବଜାର କାନ୍ତକବି ବାସଭବନରେ ଅପରାହ୍ନରେ ଶେଷକୃତ୍ୟ ସଂପନ୍ନ କରାଯାଇଛି । ପୁତ୍ର ନାମକଲ୍ୟାଣ ମହାପାତ୍ର ମୁଖାଗ୍ନି ଦେଇଥିଲେ ।

ତାଙ୍କ ବିୟୋଗରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ସାଂସଦ ମଂଜୁଲତା ମଣ୍ଡଳ, ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ବିଜେଡି ଯୁବନେତା ସୂର୍ଯ୍ୟ କୁମାର ଦାସ, ଜିଲାପାଳ ଡ. ଜ୍ଞାନ ଦାସ, ସିଡିଏମ୍‌ଓ ସନ୍ତୋଷ ମହାପାତ୍ର, ଅବସରପ୍ରାପ୍ତ ସିଡିଏମ୍‌ଓ ଜିତେନ୍ଦ୍ର କୁମାର ରାୟ, ଅବସରପ୍ରାପ୍ତ ଭେଷଜ ବିଶେଷଜ୍ଞ ରବିନ୍ଦ୍ର କୁମାର ନାୟକ, ଡାକ୍ତର ମୁରଲୀ ପାଢୀ, ଡାକ୍ତର ସୁଶାନ୍ତ ସାମନ୍ତ, ରୋଟାରିଆନ୍ ଶିଶିର ମିଶ୍ର, ସମାଜସେବୀ ଅଜୟ ନାୟକ, ଶିକ୍ଷାବିତ୍ ଡ. ଶଶଧର ଦାସ, ଆଇନ୍‌ଜୀବୀ ଶିବପ୍ରସାଦ ମହାନ୍ତି, ଗଦାଧର ବଳ, ଦେବାଶିଷ ନାୟକ, ତୁଷାର ଜେନା, ଶ୍ରୀକାନ୍ତ ଜେନା, ଦେବରୂପ ମହାନ୍ତି, ଅତିଶ ବେହେରାଙ୍କ ସମେତ ବରିଷ୍ଠ ସାମ୍ବାଦିକ ନିହାର କୁମାର ଦାସ, ପ୍ରମୋଦ ରାୟ, ଡ. ହରିହର ନାୟକ, ସ୍ମୃତିରଂଜନ ସାହୁ, ଅମର ନାୟକ, ଅଶୋକ ନାୟକ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଥାଉକି ସ୍ୱର୍ଗୀୟ ମୀରାଦେବୀ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରିୟତମ ବୋହୂ ଥିଲେ । ରୋଗାଗ୍ରସ୍ତ କବିଙ୍କୁ ଶେଷ ସମୟ ଯାଏ ସେ ସେବା ଶ୍ରୁଶୁଷା ଜାରି ରଖିଥିଲେ । ଜଣେ ଆଦର୍ଶ ଗୃହିଣୀ ଓ ବିରାଟ ପରିବାରର ବୋଝ ମୁଣ୍ଡାଇ ନିଜ ତ୍ୟାଗ, ସ୍ନେହ, ଶ୍ରଦ୍ଧା ଓ ସମସ୍ତଙ୍କୁ ନିଜର କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.