Home ଜିଲ୍ଲା ପରିକ୍ରମା କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କାଗଜ କଲମରେ ସୀମିତ ସରକାରୀ ନିୟମ

କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କାଗଜ କଲମରେ ସୀମିତ ସରକାରୀ ନିୟମ

25

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ତେବେ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହି ସବୁ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଅଭିଯୋଗ ହେଉଛି। ଆବଶ୍ୟକ ଅନୁଯାୟୀ କର୍ମଚାରୀ ନିଯୁକ୍ତି ଦିଆଯାଉନଥିବାରୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନିୟମ କେବଳ କାଗଜ କଲମରେ ସୀମିତ ହୋଇ ରହି ଯାଉଛି। ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ରେ। ସୂଚନା ଅନୁଯାୟୀ;ନିୟମାନୁଯାୟୀ ପ୍ରତିଦିନ ସକାଳ ୮ଘଟିକା ରୁ ଅପରାହ୍ନ ୧୨ଘଟିକା ଓ ଅପରାହ୍ନ ୩ଘଟିକାରୁ ସଂଧ୍ୟା ୫ ଘଟିକା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ରହିବା କଥା କିନ୍ତୁ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟି ବହୁ ଦିନ ହେବ କେବଳ ସକାଳ ସମୟରେ ଖୋଲା ରହୁଛି। ତାହା ପୁଣି ସକାଳ ୮ଘଟିକାରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ। ଏହାର କାରଣ ବୁଝିବାରୁ ଜଣେ ମହିଳା ଏମବିବିଏସ ଡ଼ାକ୍ତର, ଜଣେ ମହିଳା ଆୟୁଷ ଡ଼ାକ୍ତର, ଜଣେ ମହିଳା ଫାର୍ମାସିଷ୍ଟ ଓ ଜଣେ ମହିଳା ଏଏନଏମଙ୍କୁ ନେଇ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି। ସମସ୍ତେ ମହିଳା କର୍ମଚାରୀ ହୋଇଥିବାରୁ ଓ ପାଖାପାଖି ୨ବର୍ଷ ହେବ ଏଠାରେ ଥିବା ପୁରୁଷ ଆଟେଣ୍ଡାଣ୍ଟଙ୍କୁ ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡ଼େପୁଟେସନରେ ପଠାଇ ଦିଆଯାଇଥିବାରୁ ଏହି ସମସ୍ୟା ଉପୁଜିଥିବାର ଜଣାପଡ଼ିଛି। ୧୯୯୪ ମସିହାରେ ପ୍ରତିଷ୍ଠିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଉକ୍ତ ସମସ୍ୟା ବ୍ୟତିତ ଆହୁରି ଅନେକ ସମସ୍ୟା ଲାଗି ରହିଛି। ପ୍ରତିଷ୍ଠା ହେବା ପରଠାରୁ ଏହାର ଭିତ୍ତି ଭୂମିରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇପାରି ନଥିଲା।

ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରୀୟ ଟିମ ଗସ୍ତ ପୂର୍ବରୁ ଏହାର କଳେବର ରଙ୍ଗିନ ହୋଇପାରି ଥିଲା। ମାତ୍ର ଡ଼ାକ୍ତର ନଥିବାରୁ ରୋଗୀମାନେ ନାନା ହିନସ୍ତା ହେଉଥିଲେ। ଭାରାପ୍ରାପ୍ତ ଡ଼ାକ୍ତର ପଦବୀ ଦୀର୍ଘ ବର୍ଷ ଧରି ଏଠାରେ ଖାଲି ପଡ଼ିିବା ପରେ ଗତ ଜାନୁୟାରୀ ମାସରେ ସରକାର ଏଠାରେ ଏକ ନିୟମିତ ଡ଼ାକ୍ତର ନିଯୁକ୍ତି ଦେଇଥିଲେ। ସେହିପରି ଡ଼ାକ୍ତରଙ୍କ ରହିବା ପାଇଁ ଗୃହ ସମେତ ପାଚେରୀ ନିର୍ମାଣ କରାଯାଇଥିଲା। ପାନୀୟ ଜଳ ଓ ବିଦ୍ୟୁତ ସେବା ଉପରେ ମଧ୍ୟ ସରକାର ଗୁରୁତ୍ୱାରୋପ କରିଥିଲେ। ବିଭାଗୀୟ ଅଧିକାରୀମାନେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରି ଭାରପ୍ରାପ୍ତ ଡ଼ାକ୍ତରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ସୁଦ୍ଧା କର୍ମଚାରୀଙ୍କ ରହିବା ପରିବର୍ତ୍ତେ ଉକ୍ତ ଗୃହ ଆଇଏଲଆର ନିମନ୍ତେ ବ୍ୟବହୃତ ହେଉଥିବା ଜଣାପଡ଼ିଛି। ଯଦ୍ୱାରା କେଉଁ ଲକ୍ଷ ନେଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହି ଗୃହ ନିର୍ମାଣ କରାଯାଇଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାଦବରାଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମ ଯଥା :- ଆଡ଼ିଆ, ଅଡ଼ାଳପଙ୍କ, ଗୋପାଳପୁର, କାଉପୁର, ଗଣିଜାଙ୍ଗ ଆଦିର ଶତାଧିକ ଲୋକେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ତେଣୁ ସ୍ୱାସ୍ଥ୍ୟ କେନ୍ଦ୍ରଟିରେ ଲାଗି ରହିଥିବା ଏହି ସବୁ ସମସ୍ୟାକୁ ଶୀଘ୍ର ସମାଧାନ କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.