Home ଜିଲ୍ଲା ପରିକ୍ରମା କଳାହାଣ୍ଡି କପ୍ କ୍ରିକେଟି ଲିଗ : ଭଦ୍ରକ ଗ୍ରୁପ୍ ‘ଏଫ୍‌’ ଚମ୍ପିୟନ

କଳାହାଣ୍ଡି କପ୍ କ୍ରିକେଟି ଲିଗ : ଭଦ୍ରକ ଗ୍ରୁପ୍ ‘ଏଫ୍‌’ ଚମ୍ପିୟନ

11

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କିକେଟ ଦଳ ଲଗାତାର ଚତୁର୍ଥ ବର୍ଷ ପାଇଁ ୫ଟି ବିଜୟ ଓ ଗୋଟିଏ ପରାଜୟ ସହିତ ଗ୍ରୁପ୍ ଚମ୍ପିୟନ୍ ହେବାର ସୌଭାଗ୍ୟ ଲାଭ କରିଛି। ରାଜ୍ୟର ମର୍ଯ୍ୟାଦାଜନକ କଳାହାଣ୍ଡି କପ୍ କ୍ରିକେଟ୍ ଟୁର୍ଣ୍ଣାମେଂଟର ‘ଗୃପ୍‌-ଏଫ୍‌’ ରେ ସ୍ଥାନିତ ଭଦ୍ରକ, ମାର୍ଚ୍ଚ ୨୭ ତାରିଖରେ ତାର ଅଭିଯାନ ଆରମ୍ଭ କରିଥିଲା ଓ ପ୍ରଥମ ମ୍ୟାଚ୍‌ରେ କିଟ୍ ବିଶ୍ୱବିଦ୍ୟାଳୟ କୁ ୮ ୱିକେଟ୍‌ରେ ପରାସ୍ତ କରିଥିଲ। ମାତ୍ର ୬ ରନ୍ ବିନିମୟରେ ୪ ଟି ୱିକେଟ୍ ଅଧିକାର କରି ବିଜୟର ସାରଥୀ ସାଜିଥିବାରୁ ଅଧିନାୟକ କ୍ଷମାସାଗର ବଳଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରାଯାଇଥିଲା। ଦଳ ପାଇଁ ସାହିଲ୍ ଖାନ୍ ସର୍ବାଧିକ ୬୦ ରନ୍ ସଂଗ୍ରହ କରିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଭଦ୍ରକ ସମ୍ବଲପୁରଠାରୁ ପରାଜୟ ବରଣ କରିଥିଲା। ସମ୍ବଲପୁର ୨୩୨ ରନ୍ ସଂଗ୍ରହ କରିଥିବା ବେଳେ ଭଦ୍ରକ ୧୮୯ ରନ୍ ସଂଗ୍ରହ କରି ୪୩ ରନ୍ ପଛରେ ରହିଯାଇଥିଲା। ତୃତୀୟ ମ୍ୟାଚ୍‌ରେ ଭଦ୍ରକ ୬ ୱିକେଟ୍ ବିନିମୟରେ ରାୟଗଡ଼ାକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଅଧିନାୟକ କ୍ଷମାସାଗର ବଳ ୨୦ ରନ୍ ବିନିମୟରେ ୩ ଟି ୱିକେଟ୍ ଓ ବ୍ୟାଟିଂ କରି ୫୨ ରନ୍ ସଂଗ୍ରହ କରିଥିବାରୁ ପୁଣି ଥରେ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍‌’ ଭାବେ ପୁରସ୍କୃତ ହୋଇଥିଲେ। ଚତୁର୍ଥ ମ୍ୟାଚ୍‌ରେ ଭଦ୍ରକ ଶକ୍ତିଶାଳୀ କଟକ- ‘ବି’କୁ ୬ ୱିକେଟ୍ ରେ ପରାସ୍ତ କରିଥିଲା। ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍‌’ ଭାବେ ଭଦ୍ରକର କିଶନ୍ ମନୋହର ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ପଞ୍ଚମ ମ୍ୟାଚ୍‌ରେ ଭଦ୍ରକ ଦୁଇ ୱିକେଟ୍‌ରେ ଗଞ୍ଜାମକୁ ପରାସ୍ତ କରିଥିଲା। ଦଳ ତରଫରୁ ଆକାଶ ମହାପାତ୍ର ୯୩ ରନ୍ ସଂଗ୍ରହ କରି ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍‌’ ପୁରସ୍କାର ପାଇଥିଲେ। ଏପ୍ରିଲ୍ ୩ ତାରିଖ ଦିନ ଖେଳାଯାଇଥିବା ଷଷ୍ଠ ଓ ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଭଦ୍ରକ ୨୭ ରନ୍ ବ୍ୟବଧାନରେ ଢେଙ୍କାନାଳକୁ ପରାସ୍ତ କଲା। ମାତ୍ର ୩୬ ରନ୍ ବିନିମୟରେ ୪ ଟି ୱିକେଟ୍‌ର ଅଧିକାରୀ ଅଧିନାୟକ କ୍ଷମାସାଗର ବଳ ତୃତୀୟ ଥର ପାଇଁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍‌’ ପୁରସ୍କାର ଗ୍ରହଣ କରିଥିଲେ। ଏହି ବିଜୟ ସହିତ ଭଦ୍ରକ ଗୃପ୍ ଚମ୍ପିୟନ୍ ହେବା ସହିତ ଆସନ୍ତା ୬ ତାରିଖ ଦିନ କଟକ ‘ଏ’ ବିପକ୍ଷରେ କ୍ୱାର୍ଟର ଫାଇନାଲ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି। କ୍ରମାଗତ ଚାରିବର୍ଷ ଧରି ଭଦ୍ରକ ଗୃପ୍ ଚମ୍ପିୟନ୍ ହେବାର ଗୌରବ ଅର୍ଜନ କରି ଓଡିଶା କ୍ରିକେଟ୍‌ରେ ନିଜର ଦବଦବା ଜାହିର୍ କରିଥିବାରୁ ଭଦ୍ରକର କ୍ରୀଡ଼ା ଜଗତରେ ଆନନ୍ଦର ଲହରୀ ଖେଳିଯାଇଛି। ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ସମ୍ପାଦକ ଧୀରେନ୍ ପଲାଇ, ସଭାପତି ଉପେନ୍ଦ୍ର କୁମାର ବାରିକ ଓ ପରିଚାଳନା ସମିତିର ସଦସ୍ୟ ମାନେ ‘ଟିମ୍ ଭଦ୍ରକ’ର କୋଚ୍ ତଥା ମ୍ୟାନେଜର୍ ଅସିତ ଦାସ, ଅଧିନାୟକ ତଥା ସମସ୍ତ କ୍ରିକେଟର୍ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.