Home ଓଡ଼ିଶା କଳାବଜାରୀ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରୁ ବିହୀତ ପଦକ୍ଷେପ

କଳାବଜାରୀ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରୁ ବିହୀତ ପଦକ୍ଷେପ

45

ପୁରୀ, ୧୩/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମୁକାବିଲା ନିମନ୍ତେ ଜାରି ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ରୋକିବା ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ବିଭିନ୍ନ ଟିମ୍ ମାନ ଗଠନ କରାଯାଇ ଗୋଦାମ, ପାଇକାରୀ ଏବଂ ଖୁଚୁରା ଦୋକାନ ମାନଙ୍କରେ ଚଢାଉ କରାଯିବା ସହ ସାମଗ୍ରୀ ଗୁଡିକର ମୂଲ୍ୟ ଦୋକାନ ସମ୍ମୁଖରେ ଲିଖିତ ଭାବେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ଜିଲ୍ଲାରେ କଡାକଡିଭାବେ ଲାଗୁ କରାଯାଇଛି। ଏ ସଂପର୍କରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଡେଲାଙ୍ଗ ସମେତ ବିଭିନ୍ନ ସ୍ଥାନରେ ଘୋଷଣା କରାଯାଇଛି। ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ସୁବାଷ କୁମାର ନାଥଶର୍ମା ଡେଲାଙ୍ଗ, କାକଟପୁର ଏବଂ ପୁରୀ ପୌରସଂସ୍ଥା ଅଂଚଳ ବୁଲି ଦେଖିବା ସହ ଚଢାଉ କାର୍ଯ୍ୟର ତଦାରଖ କରିଛନ୍ତି। ଲାଗୁ ଆଇନକୁ କଡାକଡି ଭାବେ ପାଳନ କରିବାକୁ ସଂପୃକ୍ତ ବୃବସାୟୀମାନଙ୍କୁ ପରାମର୍ଶ ଦିଆଯାଇଛି। ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ଠାରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ବିଶୋଧନ କରାଯାଇଛି। ପୁରୀ କେୟାରସ ଅଭିଯାନ ଅଧିନରେ ଅଟକି ରହିଥିବା ରାଜ୍ୟ ଓ ରାଜ୍ୟ ବାହାର ଶ୍ରମିକମାନଙ୍କୁ ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ବ୍ରହ୍ମାକୁମାରୀ ଆଶ୍ରମରେ ପଶ୍ଚିମବଙ୍ଗର ୩୦ଜଣ ଶ୍ରମିକ, ପେଣ୍ଠକଟାରେ ଆନ୍ଧ୍ରପ୍ରଦେଶର ୮୦ଜଣ, ଗଜପତି ନଗରରେ ବିହାରର ୮ଜଣ ଶ୍ରମିକ ଅଟକି ରହିଛନ୍ତି। ସେହିପରି ଅସହାୟ ପରିବାରକୁ ମଧ୍ୟ ୩୦ ତାରିଖ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.