Home ଅନୁଗୁଳ କଳମଛୁଇଁ ଶିଶୁମନ୍ଦିର ପକ୍ଷରୁ ତ୍ରିରଙ୍ଗା ଯାତ୍ରା: ଉଡିଲା ୭୫ମିଟର ଲମ୍ବ ଜାତୀୟ ପତାକା

କଳମଛୁଇଁ ଶିଶୁମନ୍ଦିର ପକ୍ଷରୁ ତ୍ରିରଙ୍ଗା ଯାତ୍ରା: ଉଡିଲା ୭୫ମିଟର ଲମ୍ବ ଜାତୀୟ ପତାକା

33

ତାଳଚେର, ୧୩/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଁଚାଇବା ନିମନ୍ତେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ ଓ ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, ଯୁଗ୍ମ ସମ୍ପାଦକ ତପନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ତ୍ରିରଙ୍ଗା ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୭୫ମିଟର ଲମ୍ବ ବିଶିଷ୍ଟ ଜାତୀୟ ପତାକାକୁ ହାତରେ ଧରି ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସମଗ୍ର ଗ୍ରାମ ପରିକ୍ରମା କରିଥିଲେ। ଘୋଷ ବାଦ୍ୟର ତାଳେ ତାଳେ ଛାତ୍ରଛାତ୍ରୀମାନେ ଭାରତ ମାତାକି ଜୟ, ବନ୍ଦେ ମାତରଂ ସ୍ଲୋଗାନ ଦେଇ ସମଗ୍ର ଅଞ୍ଚଳ ପ୍ରକମ୍ପିତ କରିଥିଲେ। ଗୃହିଣୀମାନେ ହୁଳହୁଳି ଦେଇ ତ୍ରିରଙ୍ଗା ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ବୀରେନ୍ କୁମାର ପ୍ରଧାନ, ଚତୁର୍ଭୂଜ ସାହୁ, ତ୍ରିଲୋଚନ ବେହେରା, ଅଜୟ ସାହୁ, ମଳୟ ଦାସ, ଦମୟନ୍ତୀ ନନ୍ଦ, ବୀଣାପାଣି ବାରିକ, ସରିତା ନାୟକ, କୁମୁଦ ଚନ୍ଦ୍ର ବେହେରା, ଭଗବାନ ବେହେରା, ବିକାଶ ଚନ୍ଦ୍ର ସାହୁ, ସରୋଜା ବେହେରା, ଅନୀଲ କୁମାର ସାହୁ, ପ୍ରକାଶ ପ୍ରଧାନ, ସ୍ନେହଲତା ସ୍ୱାଇଁ, ପବିତ୍ର ସାହୁ, ଟୁନିତା ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଆଠ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା ଓ ଅଭିଭାବକ ସାମିଲ ହୋଇଥିଲେ। ସେହିପରି ଶୁକ୍ରବାର ଦିନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ସାଇକେଲ୍ ଶୋଭାଯାତ୍ରାରେ ତ୍ରିରଙ୍ଗା ପତାକା ଧରି କଳମଛୁଇଁ, ବଡଦାଣ୍ଡ ସାହି, ମଝିକା, ବାଉଁଶଗାଡିଆ ସାହି, କାଳୀକାପ୍ରସାଦ ଗ୍ରାମ ଦେଇ ବିଦ୍ୟାଳୟରେ ପହଁଚିଥିଲେ। ଏହା ସହିତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସମ୍ବନ୍ଧରେ କିଛି ଅଜଣା ତଥ୍ୟକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିବା ନିମନ୍ତେ ବିଦ୍ୟାଳୟ ପରିସରରେ ଏକ ମାତୃ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା। ଏଥିରେ ବହୁ ଅଭିଭାବିକା ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ୭୫ଟି ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁଯାୟୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ, କୁଇଜ୍, ମହାପୁରୁଷଙ୍କ ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି। କୃତୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଶଂସାପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.