Home ଜିଲ୍ଲା ପରିକ୍ରମା କର୍ଣ୍ଣାଟକରେ କାମ କରିବାକୁ ଯାଇ ୩ ମାସ ହେଲା ପୁଅ ନିଖୋଜ, ଏତାଲା ରଖୁନି ପୋଲିସ...

କର୍ଣ୍ଣାଟକରେ କାମ କରିବାକୁ ଯାଇ ୩ ମାସ ହେଲା ପୁଅ ନିଖୋଜ, ଏତାଲା ରଖୁନି ପୋଲିସ , ଜିଲ୍ଲାପାଳଙ୍କୁ ଗୁହାରି କଲେ ପରିବାର ଲୋକେ

11

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ୩ ମାସ ହେଲା ପୁଅର ଖୋଜଖବର ମିଳୁନି। ନିଖୋଜ ପୁଅର ଅଭିଯୋଗ ନେଇ ଫାଣ୍ଡିରୁ ଥାନା ବାରମ୍ବାର ଗଲେ ମଧ୍ୟ ଅଭିଯୋଗ ରଖୁନି ପୋଲିସ। ଶେଷରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ହାଜର ହୋଇ ଅଭିଯୋଗ ଜଣାଇଛନ୍ତି ପରିବାର ଲୋକେ। ଅଭିଯୋଗ ଅନୁଯାୟୀ ଭଦ୍ରକ ଗ୍ରାମାଂଚଳ ଥାନା କେନ୍ଦୁଆପଦା ଫାଣ୍ଡି ଅନ୍ତର୍ଗତ ଅଣ୍ଡିଆ ଗ୍ରାମର ଗୌରହରି ଦାସଙ୍କ ପୁତ୍ର ମନୋଜ (୨୮) ୨୦୨୪ ଡିସେମ୍ବର ମାସରେ ସ୍ଥାନୀୟ ରତନପୁର ଗ୍ରାମର ମହେଶ୍ୱର ବାରିକଙ୍କ ପୁତ୍ର ଗଣେଶ ଓ ଅଣ୍ଡିଆ ଗ୍ରାମର ଶଶିକାନ୍ତ ଖଣ୍ଡେଇ (ନିଲୁଆ) ସହ କର୍ଣ୍ଣାଟକର ଏକ ଶୀତଳ ଭଣ୍ଡାରରେ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଯାଇଥିଲା। ଗଲାବେଳେ ଗଣେଶ ଓ ଶଶିକାନ୍ତ ତାଙ୍କୁ ଖାଇବା ବାଦ ମାସକୁ ୧୨ ହଜାର ଟଙ୍କା ଦେବେ ବୋଲି ଚୁକ୍ତି କରିଥିଲେ। କିନ୍ତୁ କିଛିଦନ କାର୍ଯ୍ୟ କରିବା ପରେ ଗତ ଫେବୃୟାରୀ ୧୦ ତାରିଖ ଦିନ ୪ ହଜାର ୫ ଶହ ଟଙ୍କା ସେମାନେ ମନୋଜ ଘରକୁ ପଠାଇଥିଲେ। ଫେବୃୟାରୀ ୧୧ ତାରିଖ ଦିନ ଗଣେଶ ମନୋଜକୁ କାମ କରିବାକୁ ନେଇଥିଲେ ମଧ୍ୟ ସେ ଘରକୁ ଫେରିଆସୁଥିବା ବିଷୟ ଫୋନ୍ ଯୋଗେ ଜଣାଇଥିଲା। କିନ୍ତୁ ୨/୩ ଦିନ ଅପେକ୍ଷା କରିବା ପରେ ମନୋଜ ଘରକୁ ନଫେରିବାରୁ ପରିବାର ଲୋକେ ଗଣେଶ ଓ ଶଶିକାନ୍ତଙ୍କୁ ପଚାରିବାରୁ ସେମାନେ ଏଣୁତେଣୁ କଥା କହିଥିଲେ। ଯେଉଁଥିପାଇଁ ବାଧ୍ୟହୋଇ ମନୋଜଙ୍କ ମା’ ସଂପଦ ଦେବୀ ସ୍ଥାନୀୟ କେନ୍ଦୁଆପଦା ଫାଣ୍ଡିରେ ଅଭିଯୋଗ ପତ୍ର ଦେବାକୁ ଯାଇଥିଲେ। ମାତ୍ର ଫାଣ୍ଡି ବାବୁ ଏତଲା ନରଖିବାରୁ ବାଧ୍ୟହୋଇ ସଂପଦ ସପରିବାର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ତାହା ପ୍ରଦାନ କରିଥିଲେ। ମନୋଜକୁ କାମକୁ ନେଇଥିବା ଗଣେଶ ଓ ଶଶିକାନ୍ତ ଏବେ ଘରକୁ ଫେରିଥିଲେ ମଧ୍ୟ ମନୋଜ ବିଷୟରେ ପଚାରିବାରୁ ସେମାନେ ନୀରବ ରହିବାରୁ ଗତ ମଙ୍ଗଳବାର ଦିନ କେନ୍ଦୁଆପଦା ଫାଣ୍ଡିରେ ଅଭିଯୋଗ କରିବା ପରେ ଫାଣ୍ଡିବାବୁ ସେମାନଙ୍କୁ ଡକାଇଥିଲେ। ସେମାନେ ସେଠାରେ ବୁଧବାର ସନ୍ଧ୍ୟାରେ ଉଭୟପକ୍ଷଙ୍କ ଉପସ୍ଥିତିରେ ଫାଣ୍ଡିରେ ଆଲୋଚନା ହେବାର କଥା ଦେଇ ଘରକୁ ଯାଇଥିଲେ ମଧ୍ୟ ଆଉ ଆଲୋଚନା ହେବା ପାଇଁ ଫାଣ୍ଡିକୁ ଆସିନଥିଲେ। ଏଣୁ ସଂପୃକ୍ତ ଦୁଇ ଯୁବକ ମନୋଜଙ୍କୁ କାମ କରାଇବା ଆଳରେ କର୍ଣ୍ଣାଟକ ନେଇ କେଉଁଠି ଅଟକାଇ ରଖିବା କିମ୍ବା ଜୀବନରୁ ମାରି ଦେଇଥିବାର ସନ୍ଦେହ କରି ଆଜି ପ୍ରକୃତ ଘଟଣାର ଅନୁସନ୍ଧାନ ପୂର୍ବକ ନ୍ୟାୟ ପ୍ରଦାନ ପାଇଁ ପରିବାର ଲୋକେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଛନ୍ତି। ଏପରିସ୍ଥଳେ ଆଜି ପରିବାର ଲୋକେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଂଚି ଅଭିଯୋଗ ଜଣାଇବା ପରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗ୍ରାମାଂଚଳ ଥାନାକୁ ଅଭିଯୋଗ ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.