Home ଓଡ଼ିଶା କରୋନା ପରିଚାଳନାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି ରାଜ୍ୟସରକାର:ବିଜେପି

କରୋନା ପରିଚାଳନାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି ରାଜ୍ୟସରକାର:ବିଜେପି

107

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପ୍ରସଙ୍ଗ
– କୋରନାକୁ ରୋକିବା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିନାହାଁନ୍ତି ରାଜ୍ୟସରକାର
– ମୋଦି ସରକାର କରୋନାକୁ ପ୍ରତିହତ କରିବା ପାଇଁ ବ୍ୟାପକ ଅର୍ଥ ଯୋଗାଇଦେଉଛନ୍ତି
– ୩–ଟି ଟେଷ୍ଟ, ଟ୍ରାକ ଏବଂ ଟ୍ରିଟ ନିୟମକୁ ରାଜ୍ୟସରକାର ପାଳନ କରି କରୋନା ବିରୁଦ୍ଧରେ ଲଢେଇ କରନ୍ତୁ
– କରୋନା ପରିଚଲାନାରେ ରାଜ୍ୟସରକାରଙ୍କ ତ୍ରୁଟିି ଥିବାରୁ ଆଜି ଲୋକାଲ କେସ ବାହାରୁଛି ଏବଂ ପ୍ରତିଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି
– ରାଜ୍ୟସରକାରଙ୍କ ମୁଖପାତ୍ର ଏବଂ ସଚିବ ମାନେ ବିଭ୍ରାନ୍ତିକର ତଥ୍ୟ ରଖି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି

ଭୁବନେଶ୍ୱର, ୩୧/୦୭ (ଓଡ଼ିଆ ପୁଅ) : କରୋନା ମହାମାରୀ ଦେଶ ସମେତ ସମସ୍ତ ରାଜ୍ୟରେ ତାର କାୟା ବିସ୍ତାର କରି ଚାଲିଛି। ଏଭଳି ସଙ୍କଟ ସମୟରେ ପ୍ରଥମ ଦିନରୁ ରାଜ୍ୟସରକାରଙ୍କ ପକ୍ଷରୁ ଓଡିଶା ମଡେଲ ବିଶ୍ୱର ଏକ ନମ୍ବର ମଡେଲ କହି ନିଜ ପିଠି ନିଜେ ଥାପୁଡାଇ ଚାଲିଛନ୍ତି। କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା କହୁଛି। ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜାତୀୟ ଗଣମାଧ୍ୟମ ଦ ଓପନ ଭିୟୁରେ ପ୍ରକାଶିତ ଖବର ଅନୁଯାୟୀ ଗତ କିଛି ଦିନତଳେ କେନ୍ଦ୍ରସରକାରଙ୍କ ପକ୍ଷରୁ ଏକ ଭର୍ଚୁଆଲ ମିଟିଙ୍ଗରେ କ୍ୟାବିନେଟ ସଚିବ କରୋନା ମ୍ୟାନେଜମେଂଟରେ ଖରାପ ସ୍ଥିତିରେ ଥିବା ରାଜ୍ୟଗୁଡିକର ମୁଖ୍ୟ ସଚିବମାନଙ୍କ ସହ ଆଲୋଚନା ହୋଇଥିଲା। ଏଥିରେ ଓଡିଶା ସାମିଲ ହୋଇଥିଲା ଏବଂ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ଏଥିରେ ସାମିଲ ଥିଲେ। କରୋନା ପରିଚଲାନାରେ ରାଜ୍ୟସରକାରଙ୍କ ତ୍ରୁଟି ଥିବାରୁ ଆଜି ଲୋକାଲ କେସ ବାହାରୁଛି ଏବଂ ପ୍ରତିଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ପ୍ରକାଶିତ ଖବର ଅନୁଯାୟୀ କେନ୍ଦ୍ର କ୍ୟାବିନେଟ ଦେଇଥିବା ନିର୍ଦ୍ଦେଶାନାମାକୁ ରାଜ୍ୟସରକାର ତୁରନ୍ତ ପାଳନ କରିବା ଦରକାର। ସର୍ବପ୍ରଥମେ ହାଇରିସ୍କ ଏରିଆରେ ଅଧିକା ଟେଷ୍ଟିଙ୍ଗ କରାଯାଉ। ୩ –ଟି ଟେଷ୍ଟ, ଟ୍ରାକ ଏବଂ ଟ୍ରିଟ ନିୟମକୁ ରାଜ୍ୟସରକାର ପାଳନ କରି କରୋନା ବିରୁଦ୍ଧରେ ଲଢେଇ କରନ୍ତୁ। ସେହିପରି ସଂକ୍ରମଣ ବଢୁଥିବା ସ୍ଥାନରେ କଂଟେନମେଂଟ ଜୋନ ଏବଂ ବଫର ଜୋନ କରି ସଂକ୍ରମିତ ରୋଗୀଙ୍କୁ ଅଧିକ ରୁ ଅଧିକ ଟେଷ୍ଟିଙ୍ଗ କରିବା ଉପରେ ଗୁରୁତ୍ୱ ଦେବା ଦରକାର। ଏହା ସହ କରୋନା ପାଇଁ ସ୍ୱତନ୍ତ୍ର ଡେଡିକେଟେଡ ହସ୍ପିଟାଲ ଏବଂ ସେଗୁଡିକର ଭିତିଭୂମି ପ୍ରସ୍ତୁତ କରି ଲୋକମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାର ଆବଶ୍ୟକତା ରହିଛି। ଏହା ବ୍ୟତୀତ ଆମ୍ବୁଲାନ୍ସ ସମସ୍ତ ରୋଗୀଙ୍କୁ ଆଣିବା ପାଇଁ ନିର୍ଦ୍ଦେଶ ରହିଛି। ହାଇରିସ୍କ ଅବା ରେଡ ଜୋନ ଗୁଡିକରେ ବୟସ୍କ ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ଭାବେ ଟେଷ୍ଟିଙ୍ଗ କରାଇ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଏହା ନକରି ରାଜ୍ୟସରକାରଙ୍କ ମୁଖପାତ୍ର ଏବଂ ସଚିବ ମାନେ ବିଭ୍ରାନ୍ତିକର ତଥ୍ୟ ରଖି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଡ-ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

କରୋନା ମୁକାବିଲା ପାଇଁ ଓଡିଶା ସରକାର ଯାହା କରିଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି କ୍ୟାବିନେଟ ଭର୍ଚୁଆଲ ମିଟିଙ୍ଗରେ କୁହାଯାଇଛି। ରାଜ୍ୟସରକାର ୧୯ଶହ କୋଟି ଟଙ୍କା କରୋନା ପାଇଁ ଖର୍ଚ୍ଚ କରିଥିବା କଥା କହୁଥିବାବେଳେ ସେମିତି କିଛି ଆଖିଦୃଶିଆ କାର୍ଯ୍ୟ ହୋଇନାହିଁ। ମୋଦି ସରକାର କରୋନାକୁ ପ୍ରତିହତ କରିବା ପାଇଁ ବ୍ୟାପକ ଅର୍ଥ ଯୋଗାଇଦେଉଛନ୍ତି। କିନ୍ତୁ ଏଠି ଅର୍ଥର ସଠିକ୍ ବିନିଯୋଗ ରାଜ୍ୟସରକାର କରିପାରୁନାହାଁନ୍ତି କି କୋରନାକୁ ରୋକିବା ପାଇଁ କିଛି ରୋଡ ମ୍ୟାପ ପ୍ରସ୍ତୁତ କରିନାହାଁନ୍ତି। ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶାନାମାକୁ ରାଜ୍ୟସରକାର ଗ୍ରହଣ କରି ସଠିକ୍ ଦିଗରେ ବ୍ୟବହାର କରି ଓଡିଶାବାସୀଙ୍କ ଆଗରେ ସଠିକ ତଥ୍ୟ ରଖିବା ପାଇଁ ଡ-ସାମନ୍ତସିଂହାର ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.