ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଅନ୍ୟସ୍ଥାନ ଭଳି ଭଦ୍ରକ ସହରରେ ଦୁର୍ଗାପୂଜା ଚଳିତ ବର୍ଷ କରୋନା କଟକଣା ଓ ପ୍ରଶାସନର ଅଂକୁଶ ମଧ୍ୟରେ ସପ୍ତମୀ ପୂଜାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ନିରାଡମ୍ବର ଭାବେ ଭସାଣିରେ ଶେଷ ହୋଇଛି । ତେବେ ଭଦ୍ରକାଳୀ ପୀଠରେ ପ୍ରଶାସନ ପକ୍ଷରୁ କଟକଣା ଅନୁଯାୟୀ ପୂଜା ସଂପନ୍ନ କରାଯାଇଥିଲା । ଭଦ୍ରକ ଜିଲାରେ ଚଳିତବର୍ଷ ସମୁଦାୟ ୯୬ ଟି ସାର୍ବଜନୀନ ଦୁର୍ଗାମେଢ଼ ପୂଜା ପାଇ ଗତକାଲି ରାତିରୁ ଆଜି ପର୍ଯ୍ୟନ୍ତ ଭସାଣି ଉତ୍ସବ ଚାଲୁ ରହିଥିଲା । ତେବେ ସାଳନ୍ଦୀ ନଦୀକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା । ତେବେ କରୋନା କଟକଣା, ନିୟମ ଓ ପ୍ରଶାସନର ଅଂକୁଶ ଯୋଗୁଁ ଏହି ଭସାଣି ଉତ୍ସବରେ ମା’ ବଙ୍କବାସୁଳୀ, ଗାନ୍ଧିପଡ଼ିଆ, ସାଳନ୍ଦୀ-ବାଇପାସ, ଜାନୁଗଞ୍ଜ, ତୈଳିକ ବୈଶ୍ୟ ମହାସଂଘ, ଚରମ୍ପା ବଜାର, ଓସଆରଟିସି ଗ୍ୟାରେଜ, ରେଳବାଇ କମିଟି, ସନ୍ଥିଆ, ନିଳକଣ୍ଠପୁର, ଗବସାହି, ଅପର୍ତ୍ତିବିନ୍ଧା, ବାଉଦପୁର, ସଙ୍ଗତ, ବିଶାଣି ଖରିଦା, ଚନ୍ଦନ ବଜାର, ଚରମ୍ପା ସ୍କୁଲ ରୋଡ଼, ଚୁନ୍ଟି ପୂଜା କମିଟି, ଲାହାପଟି, ବାଙ୍କାବଜାର, ପ୍ରାଚୀନଗର ଭଳି ମେଢଗୁଡିକୁ କେବଳ ବିନା ଭକ୍ତଙ୍କ ଦ୍ୱାରା ଘଣ୍ଟ, ହୁଳହୁଳି ଓ ଶାନ୍ତିଶୃଙ୍ଖଳ ସହ ସନ୍ଥିଆ ଘାଟ, ଚରମ୍ପାସ୍ଥିତ ଏଲ୍ଏନ୍ଣ୍ଟି ପୋଖରୀ, ଚରମ୍ପା କେନାଲ ବନ୍ଧ, ବାଇପାସ୍ ନିକଟ ଛପୁଲିଆ ଭଳି ସ୍ଥାନମାନଙ୍କରେ ବିସର୍ଜିତ କରାଯାଇଛି । ଶାନ୍ତି-ଶୃଙ୍ଖଳା ରକ୍ଷାଲାଗି ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶକ୍ରମେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।