Home ଅନୁଗୁଳ କରୋନା କଟକଣାରେ ମଧ୍ୟରେ ମା ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ ପାଳିତ

କରୋନା କଟକଣାରେ ମଧ୍ୟରେ ମା ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ ପାଳିତ

33

ତାଳଚେର,୧୮/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ କରୋନା ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ନିରାଡମ୍ବର ସହକାରେ ପାଳନ କରାଯାଇଛି । ଦିବା ୧.୩୦ମି. ସମୟରେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ କୁଟେଇଶୁଣି ମଣ୍ଡପକୁ ଅଣାଯାଇଥିଲା। ସେଠାରେ ମୁଖ୍ୟପୂଜକ ହୃଦାନନ୍ଦ ଦେହୁରୀ, କିଶୋର ଚନ୍ଦ୍ର ଦେହୁରୀ ଓ ଟଙ୍କଧର ଦେହୁରୀ ମା ହିଙ୍ଗୁଳାଙ୍କ ଆଲମକୁ ପାରମ୍ପରିକ ବିଧବିଧାନ ଅନୁଯାୟୀ ପୂଜା କରିଥିଲେ। ପରମ୍ପରା ଅନୁଯାୟୀ ଡାକୁଆମାନେ ପତିଆରଙ୍କୁ ନିମନ୍ତ୍ରଣ କରିବାକୁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ପତିଆରଙ୍କୁ ତିନି ଡାକ ଡାକିବାରୁ ସେ ଘରୁ ବାହାରକୁ ଆସି ନିକଟସ୍ଥ ପୁଷ୍କରଣୀରେ ସ୍ନାନ କରି କୁଟେଇଶୁଣି ମଣ୍ଡପକୁ ଯାଇଥିଲେ । ମୁଖ୍ୟ ଦେହୁରୀ ତାଳଚେର ରାଜାଙ୍କ ପ୍ରଦତ ନୂତନ ବସ୍ତ୍ର ପ୍ରଦାନ କରି ପତିଆରଙ୍କୁ ସ୍ୱାଗତ କରିଥିଲେ।
ନୂତନ ରାଜବସ୍ତ୍ର ପରିଧାନ କରିସାରିଲା ପରେ ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାରରେ ବିଧି ଅନୁଯାୟୀ ପୂଜା କରା ଯାଇଥିଲା । ଯାହାକି ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପୂଜା ଭାବେ ପରିଚିତ । ପତିଆରଙ୍କ ଠାରେ ଦେବୀ ଆବିଷ୍ଟ ହୋଇ ମା’ ହିଙ୍ଗୁଳାଙ୍କ ଆର୍ବିଭାବର ଦିଗ ସମ୍ପର୍କରେ ସୂଚନା ଦେହୁରୀଙ୍କୁ ଦେଇଥାନ୍ତି । ପୂର୍ବ ସୂଚନାକୁ ଆଧାର କରି ଦେହୁରୀ ଅର୍ଦ୍ଧରାତ୍ରରେ ଏକା ଯାଇ ମା’ଙ୍କ ଆବିର୍ଭାବ ସ୍ଥଳୀ ବା ଉଭାସ୍ଥଳୀକୁ ଚିହ୍ନଟ କରିଥାନ୍ତି । ପୂଜା ସମୟରେ ପାରମ୍ପରିକ ବାଦ୍ୟ, ଢୋଲ, ନିଶାଣ, ମହୁରୀ ଶବ୍ଦରେ ସମଗ୍ର ପରିବେଶ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା । ତାଳଚେର ରାଜାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ସିଂହ,ଟ୍ରଷ୍ଟ ବୋର୍ଡ ସଦସ୍ୟ ଜଗନ୍ ମୋହନ ଗଡନାୟକଙ୍କ ସମେତ ହାଡି ଗଡନାୟକ,ଡିଲେଶ୍ୱର ମହାନ୍ତି, ହାଡିବନ୍ଧୁ ମହାନ୍ତି,ବାୟା ବାରିକ, ଦୁର୍ଗାଚରଣ ବାରିକ,କାଠିଆ ଦେହୁରୀ,କୁବେର ପଲେଇ ପ୍ରମୁଖ ସେବାୟତ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ସୂଚନାଯୋଗ୍ୟ, ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.