ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ରିଟ୍ରିଶ ସମୟର କଳାପାଣି ଦ୍ୱୀପରେ ଦିନ କାଟିବା ଭଳି ଜୀବନ ଜୀଉଁଛନ୍ତି ଭଦ୍ରକ ଜିଲାର ତିହିଡି ବ୍ଲକ୍ ରାଜନଗର ପଞ୍ଚାୟତ କରଡିପାଳ ଗାଁର ଲୋକେ । ବର୍ଷାଦିନ ୪ ମାସ ଗାଁ ଲୋକଙ୍କ ପାଇଁ ଆଣେ ଚରମ ଦୁଃଖ । ସମସ୍ତ ଗ୍ରାମବାସୀ ଜଳବନ୍ଦୀ ରହି ବହୁ ଦୁର୍ଦ୍ଦିନରେ ଦିନ କାଟନ୍ତି । ତେବେ ନିଜ ଗାଁକୁ ନିଜସ୍ୱ ଉଦ୍ୟମରେ ଗାଁ ଲୋକେ ବର୍ଷାଦିନ ପୂର୍ବରୁ ତିଆରି କରିଥିଲେ ଏକ ପାଦଚଲା ମାଟି ରାସ୍ତା । ମାତ୍ର ଏବେ ସେହି ରାସ୍ତାଟିକୁ ବାତ୍ୟା ୟାସ୍ର ଲୁଣି ଜୁଆର ଧୋଇନେଇଛି । ବାତ୍ୟା ପ୍ରଭାବରେ ମୁଖ୍ୟ ରାସ୍ତା ସଂଲଗ୍ନ ଫୁଟ୍ ବ୍ରିଜ୍ଟି ଇତିମଧ୍ୟରେ ପାଣିମାଡରେ ଭାସିଯାଇଛି । ଲୋକେ ପ୍ରତିଦିନ ଆଣ୍ଠୁଏ ପାଣିରେ ନିଜର ଦୈନନ୍ଦିନ ଜୀବନ ବିତାଉଛନ୍ତି । ରାଜନଗର ପଂଚାୟତ ଅଧୀନରେ ରହୁଥିବା ଏହି ଗାଁ ପ୍ରତି ପ୍ରଶାସନ ଦୀର୍ଘଦିନ ହେବ ଅଣଦେଖା କରୁଛି । ସମସ୍ତ ମୌଳିକ ଅଧିକାରରୁ ଏମାନେ ବଂଚିତ ହେଉଛନ୍ତି । କୁନି କୁନି ପିଲାମାନଙ୍କ ପାଇଁ ଏହି ଗାଁରେ ଅଙ୍ଗନୱାଡି ଘରଟିଏ ନାହିଁ । ଗାଁ ଠୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଟିଏ ନଥିବାରୁ କାଦୁଅରେ ଲୋକେ ରୁନ୍ଧି ହୋଇଯାଉଛନ୍ତି । ଶିକ୍ଷା ପାଇଁ ଗାଁରେ ପିଲାମାନେ ବହୁ ସମସ୍ୟା ଭୋଗ କରୁଛନ୍ତି । କରଡିପାଳ ଗାଁରେ ସମସ୍ତ ପରିବାର ଅନୁସୂଚିତ ଜାତିର ହୋଇଥିବାବେଳେ ଅଧିକାଂଶ ଲୋକଙ୍କର ଆର୍ଥିକ ସ୍ଥିତି ଦୁର୍ବଳ । ଏହି ଗାଁର ୩୦ ପରିବାର ବହୁବାର ରାଜନେତାଙ୍କ ନିକଟରେ ଆପତ୍ତି କରିବା ପରେ ବିଧାୟକ ବିଷ୍ଣୁ ସେଠୀଙ୍କ ସମୟରେ ଗାଁ ମୁଣ୍ଡରେ ନିର୍ମାଣ ହୋଇଥିଲା ଏକ ଫୁଟ୍ ବ୍ରିଜ୍ । ଦୀର୍ଘଦିନ ହେବ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ହେବା ପରେ ଏବେ ଏହି ଗାଁ ଉପରେ କାହାର ନଜର ରହୁନାହିଁ । ମୁଖ୍ୟତଃ ଗାଁ ମୁଣ୍ଡରେ ପୁରୁଣା ଫୁଟ୍ ବ୍ରିଜ୍ଟି ବାତ୍ୟାରେ ଭାଙ୍ଗିଯିବା ପରେ ଏବେ ସେଠାରେ ଏକ ଘାଇ ସୃଷ୍ଟି ହୋଇଛି । ଏଣୁ ଗାଁକୁ ରାସ୍ତା ସହ ଫୁଟ୍ ବ୍ରିଜ୍ ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।