Home ଜିଲ୍ଲା ପରିକ୍ରମା କରଞ୍ଜମାଳ ପଂଚାୟତରୁ ଫେରିବ ସରକାରୀ ଅନୁଦାନ, ଉଠା ଦୋକନୀଙ୍କ ଥଇଥାନ କରିବାକୁ ସରପଂଚ ଅଂଟା ଭିଡିଛନ୍ତି,...

କରଞ୍ଜମାଳ ପଂଚାୟତରୁ ଫେରିବ ସରକାରୀ ଅନୁଦାନ, ଉଠା ଦୋକନୀଙ୍କ ଥଇଥାନ କରିବାକୁ ସରପଂଚ ଅଂଟା ଭିଡିଛନ୍ତି, ଜବରଦଖଲକାରୀଙ୍କ କବଜାରୁ ୨୬୨ଖାତାରେ ୪୬୧/୭୩୪ ପ୍ଲଟଟି ସରକାରୀ ଖାତାକୁ ଆଣିବାକୁ ଦାବି

32

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ଅଧିନସ୍ଥ କରଞ୍ଜମାଳ ପଂଚାୟତରୁ ୯୦ଲକ୍ଷ ଟଙ୍କା ସରକାରୀ ଅନୁଦାନ ଫେରିଯିବା ନେଇ ଆଶଙ୍କା ଦେଖାଯାଇଛି । ଏହି ଅର୍ଥରେ ବଇଁଚା ଠାରେ ଏକ ନୂତନ ମାର୍କେଟ କମ୍ପଲେକ୍ସ ନିର୍ମାଣ ହେବାର ସମସ୍ତ ଆୟୋଜନ ହୋଇଥିବା ବେଳେ ପ୍ରଶାସନର ଦୋମୁହାଁ ନୀତି ଯୋଗୁ ଏହି ଅନୁଦାନ ଫେରିଯିବ ବୋଲି ଚର୍ଚା ଚାଲିଛି ।କରଞ୍ଜମାଳ ପଂଚାୟତ ଅଧିନସ୍ଥ ବଇଁଚା ଠାରେ ଖାତା ନଂ୨୬୨ରେ ୪୬୧/୭୩୪ ପ୍ଲଟରେ ଥିବା ୨ଏକର ସ୍ଥାନକୁ ସେହି ଅଂଚଳର କିଛି ଜବରଦଖଲକାରୀ ନିଜ ଅଧିନକୁ ନେଇ ୨୩ଟି ରୁମ ବିଶିଷ୍ଟ ଏକ ମାର୍କେଟ କମ୍ପଲେକ୍ସ ନିର୍ମାଣ କରି ବ୍ୟବସାୟୀ ମାନଙ୍କୁ ଭଡା ସୂତ୍ରରେ ଦୀର୍ଘ ଦିନ ହେବ ଦେବା ସହ ଏହା ସେମାନେ ଚାନ୍ଦବାଲି ତହସିଲରୁ ଲିଜ ସୂତ୍ରରେ ଆଣିଛନ୍ତି ବୋଲି କହି ଜନସାଧାରଣଙ୍କୁ ବୋକା ବନାଉଛନ୍ତି । ଧାମରା- ଜାମୁଝାଡି ରାସ୍ତାର ସଂପ୍ରସାରଣ ନିମନ୍ତେ ଏହି ସ୍ଥାନକୁ ଜବରଦଖଲକାରୀଙ୍କ ହଟାଇ ନିଜ ଦଖଲକୁ ନେବା ପାଇଁ ଚାନ୍ଦବାଲି ତହସିଲଦାର ସେମାନଙ୍କୁ ଉଛେଦ କରିବା ପାଇଁ ନୋଟିସ ଜାରୀ କରିଥିଲେ ଏବଂ ଅଗଷ୍ଟ ୨୦୨୦ରେ କିଛି ଦୋକାନୀଙ୍କୁ ବଇଁଚା ମାର୍କେଟରୁ ଉଛେଦ ମଧ୍ୟ କରିଥିଲେ । ସେହି ସମୟରେ ସଂପୃକ୍ତ ସ୍ଥାନରୁ ସଂପୃକ୍ତ ଜବରଦଖଲକାରୀକୁ ହଟାଇବାକୁ ସର୍ବସାଧାରଣରେ ଦାବୀ ହେବା ସହ କରଞମାଳ ପଂଚାୟତର ସମସ୍ତ ଲୋକପ୍ରତିନିଧି ଉକ୍ତ ସ୍ଥାନକୁ ସରକାରୀ ଖାତାକୁ ନେବା ପାଇଁ ଚାନ୍ଦବାଲି ତହସିଲଦାରଙ୍କୁ ଅନୁରୋଧ କରିଥିଲେ । ସମୟ ଅଭାବରୁ ସେହି ସମୟରେ ୪୬୧/୭୩୪ପ୍ଲଟରେ ଥିବା ସଂପୃକ୍ତ ବ୍ୟବସାୟ ଅନୁଷ୍ଠାନକୁ ଭାଙ୍ଗିହୋଇ ନଥିଲା ।ସେପ୍ଟମ୍ବର ମାସରେ କିଛି ଲୋକଙ୍କ ପ୍ରରୋଚନାରେ ପଡି ସଂପୃକ୍ତ ଜବରଦଖଲକାରୀ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇ ସେହି ସ୍ଥାନରୁ ନିଜ ବ୍ୟବସାୟ ଅନୁଷ୍ଠାନକୁ ହଟାଇ ନେବା ପାଇଁ ୫୯ଦିନ ମହଲତ ମାଗିଥିଲେ । ଇତି ମଧ୍ୟରେ ଉଚ୍ଚ ନ୍ୟାୟାଳୟ ଦେଇଥିବା ସମୟ ଅତିକ୍ରାନ୍ତ ହୋଇଥିବା ବେଳେ ଚାନ୍ଦବାଲି ତହସିଲଦାର ସେହି ସ୍ଥାନରୁ ସଂପୃକ୍ତ ଜବରଦଖଲକାରୀ ହଟାଇବା ଜରୁରୀ ହୋଇପଡିଛି ବୋଲି ସ୍ଥାନୀୟ ଜନସାଧାରଣ ନିଜର ଦାବୀ ଜଣାଇଛନ୍ତି । ଅନ୍ୟଥା କରଞ୍ଜମାଳ ପଂଚାୟତର ଜନପ୍ରତିନିଧି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବେ ବୋଲି ସ୍ଥାନୀୟ ଜନପ୍ରତିନିଧି ମାନେ ମତବ୍ୟକ୍ତ କରିଛନ୍ତି । କେଉଁ ପରିସ୍ଥିତିରେ ଏହି ଜବରଦଖଲକାରୀଙ୍କୁ ସେଠାରୁ ହଟାଯାଉନାହି ସେଥିପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦେଶ କରିଛନ୍ତି । ଆଗାମୀ ଦିନରେ ସମୂହ ସ୍ୱାର୍ଥ ପାଇଁ କରଞ୍ଜମାଳ ପଂଚାୟତ ସଂପୃକ୍ତ ସ୍ଥାନରେ ଏକ ମାର୍କେଟ କମ୍ପଲେକ୍ସ କରି ହଟାଯାଇଥିବା ଦୋକାନୀ ମାନଙ୍କୁ ପୁନଃଥଇଥାନ କରିବା ପାଇଁ ଅଂଟା ଭିଡିଥିବା ବେଳେ ସଂପୃକ୍ତ ଜବରଦଖଲକାରୀ ମାନଙ୍କୁ ସରକାରୀ ସ୍ଥାନରୁ ହଟାଇବାକୁ ସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.