Home ଜିଲ୍ଲା ପରିକ୍ରମା କବି ହିଁ ଚିରକାଳ ଶବ୍ଦର ଅନୁସରଣ କରେ, ଡ. ଶଶଧର ଦାସଙ୍କ କବିତା ପୁସ୍ତକ “ଚିତ୍ର...

କବି ହିଁ ଚିରକାଳ ଶବ୍ଦର ଅନୁସରଣ କରେ, ଡ. ଶଶଧର ଦାସଙ୍କ କବିତା ପୁସ୍ତକ “ଚିତ୍ର ପହଣ୍ଡି” ଉନ୍ମୋଚିତ

26

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କବି ଚିରକାଳ ଶବ୍ଦ ପଛରେ ଧାବମାନ। ଶବ୍ଦଟିଏ ପାଇବା ପାଇଁ ଜନ୍ମ ଜନ୍ମାନ୍ତର ଲୋଡା ହୁଏ। ସଠିକ୍ ଶବ୍ଦଟିଏ ନମିଳିବା ପର୍ଯ୍ୟନ୍ତ କବି ପାଗଳ ପ୍ରାୟ ହୋଇଯାଏ। ଯଥାର୍ଥରେ କବି ଓ ପ୍ରେମିକ ଉଭୟ ହିଁ ପାଗଳ। ପାଗଳ ପଣରୁ ହିଁ କବିତାର ସୃଷ୍ଟି ବୋଲି ପ୍ରଫେସର ଡ. ଶଶଧର ଦାସଙ୍କ କବିତା ପୁସ୍ତକ ‘ଚିତ୍ର ପହଣ୍ଡି”ର ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକର ସାଂସଦ ଅଭିମନ୍ୟୁ ସେଠୀ କହିଲେ ଯେ ସାଂସଦ ଭାବରେ ନୁହେଁ ମୋ ପୂଜ୍ୟଗୁରୁଙ୍କ ଛାତ୍ର ଭାବରେ ତାଙ୍କ ପୁସ୍ତକ ଉନ୍ମୋଚନରେ ଉତ୍ସବ ଉଦ୍‌ଘାଟନ, ପୁସ୍ତକ ଉନ୍ମୋଚନ ଓ କିଛି କହିବାର ସୁଯୋଗ ପାଇ ନିଜକୁ ଧନ୍ୟ ମନେ କରୁଛି। ସାହିତ୍ୟ-ସଂସ୍କୃତି ପରିଷଦ, ଭଦ୍ରକ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତାଭାବେ ଅଧ୍ୟାପକ ବିଶ୍ୱରଂଜନ କହିଲେ ଯେ ତାଙ୍କ ପାଇଁ ଭଦ୍ରକ ହେଉଛି କବିତାର ସହର। ସମୟକ୍ରମେ ବହୁ କବି ଓଡ଼ିଆ ସାହିତ୍ୟର କାବ୍ୟ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ସୁଧାଂଶୁ ଶେଖର ରାୟ, କମଳାକାନ୍ତ ଲେଙ୍କା, ନିତ୍ୟାନନ୍ଦ ପତି ପ୍ରଭୃତିଙ୍କ ନାମ ସ୍ମରଣ କରିବା ସହ ମନୋଜ ଦାସଙ୍କ ଉକ୍ତିକୁ ଉଦ୍ଧାର କରି ‘କବିତା ଚହଟ ଚମ୍ପାର ଜହ୍ନରାତି’ ବୋଲି ମତବ୍ୟକ୍ତ କରିଥିଲେ। ବିବିଧ ଅନୁଭୂତି ଓ ଅନୁଭବର ଏକ ମିଶ୍ରରାଗ ହେଉଛି ଶଶଧର ଦାସଙ୍କ କବିତା। ଅନ୍ୟତମ ବକ୍ତା କବି ଡ. ପ୍ରସନ୍ନ କୁମାର ମହାନ୍ତି କହିଲେ ଅବିଭକ୍ତ ବାଲେଶ୍ୱର ଜିଲାରେ ସାହିତ୍ୟ ଓ ସାହିତ୍ୟାନୁରାଗ ଅନ୍ୟତ୍ର ବିରଳ। ଶଶଧରଙ୍କ କବିତାର ଆତ୍ମା ହେଉଛି ଆବେଗ ଓ ଆତ୍ମମଗ୍ନତା। ସମ୍ମାନିତ ବକ୍ତା ପ୍ରାଧ୍ୟାପିକା ଡ. ସୁକାନ୍ତି ମହାପାତ୍ର କହିଲେ ଯେ ‘ଚିତ୍ର ପହଣ୍ଡି’ କବିତା ଗ୍ରନ୍ଥରେ କବିଙ୍କ ବିଭୋରପଣକୁ ଚିହ୍ନିବାକୁ ହେଲେ ନିତ୍ୟ ନିୟମିତ ଜୀବନଧାରାର ଚିତ୍ର ଓ ଚରିତ୍ର ସହ ସାମିଲ ହେବାକୁ ପଡେ। ମୁଖ୍ୟଅତିଥି ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ରୋମାଂଟିକ୍ ଚେତନା, ସମ୍ବେଦନଶୀଳତା ଓ ଜୀବନାଭୂତି ହିଁ ଶଶଧର ଦାସଙ୍କ ‘ଚିତ୍ର ପହଣ୍ଡି’ କାବ୍ୟକୁ ସମୃଦ୍ଧ କରିଛି ବୋଲି ମତ ଦେଇଥିଲେ। ସମାଲୋଚନା ଗ୍ରନ୍ଥ ସଂପର୍କରେ ଲେଖକ ଡ. ଦାସ କହିଲେ ଯେ ଆଧୁନିକ କବିତାର ସମାଲୋଚନା ଲେଖୁଥିବା ଲେଖକମାନେ ବହୁ ବିଶିଷ୍ଟ କାବ୍ୟ ସାଧକଙ୍କୁ ଉପେକ୍ଷା କରି ମୁଷ୍ଟିମେୟ କବିଙ୍କ ସୃଷ୍ଟିର ଚର୍ଚ୍ଚା କରିବା ଆମ ସାହିତ୍ୟ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ମତଦେଇ କହିଲେ ଯେ ଉନ୍ମୋଚିତ ପୁସ୍ତକ ‘ପରମ୍ପରାର କାରାଭଂଗ : କବିତାର ନୂଆ ସ୍ୱର’ ରେ ବହୁ ବୟୋଜ୍ୟେଷ୍ଠ ଓ କନିଷ୍ଠ କବିମାନଙ୍କ ସଂପର୍କରେ ସୁଚିନ୍ତିତ ସମାଲୋଚନା ମୂଳକ ପ୍ରବନ୍ଧ ସ୍ଥାନିତ ହୋଇଛି। ସଭାପତି ଡାକ୍ତର ଦୁର୍ଯ୍ୟୋଧନ ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ ଜୀବନ ହେଉଛି ସାହିତ୍ୟର କଂଚାମାଲ। ଯେଉଁ କବି ଜୀବନକୁ ଯେତେ ନିବିଡ ଭାବରେ ଚିହ୍ନିଛି, ତାଙ୍କର କବିତା ସେତେ ସଫଳତା ଲାଭ କରିଛି। ଭଦ୍ରକର ମହେନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ଏହି ସଭାରେ ଗୋବର୍ଦ୍ଧନ ସାମଲ ସ୍ୱାଗତ ଭାଷଣ ଓ ବୈଲୋଚନ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.