କନ୍ଧମାଳ, ୨୩/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଗୁରୁବାର ସଂଧ୍ୟାରେ କନ୍ଧମାଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ୨ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଏ ସଂପର୍କରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି ଟ୍ଵିଟ କରି ସେ ଲେଖିଛନ୍ତି ଯେ ଗୁରୁବାର ସଂଧ୍ୟାରେ ଓଡ଼ିଶା ପୁଲିସର ଏସଓଜି ଓ ଡିଭିଏଫ (ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ) କମ୍ବିଂ ଅପରେସନ ଚଳାଉଥିବା ବେଳେ ମାଓବାଦୀମାନେ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ। ପୁଲିସ ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା। ଏହି ଗୁଳି ବିନିମୟରେ ୨ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଥିବା ବେଳେ ଅନ୍ୟ ଜଣକ ମହିଳା କ୍ୟାଡର ମାଓବାଦୀ ବୋଲି ଜଣାପଡ଼ିଛି। ସେମାନେ ମାଓ ୟୁନିଫର୍ମ ପିନ୍ଧିଥିଲେ। ଘଟଣାସ୍ଥଳରୁ ସେମାନଙ୍କ ମୃତଦେହ ଜବତ ହୋଇଛି। ସେମାନଙ୍କ ନିକଟରୁ ଗୋଟିଏ ଇନସାସ, ଗୋଟିଏ କାର୍ବାଇନ ଓ ୨ଟି ଦେଶୀ ମାରଣାସ୍ତ୍ର ଜବତ ହୋଇଛି। ତେବେ ଏହି ଏନକାଉଣ୍ଟରରେ ଓଡ଼ିଶା ପୁଲିସର କୌଣସି କ୍ଷତି ହୋଇନାହିଁ ବୋଲି ସେ ଲେଖିଛନ୍ତି।ପୁଲିସ ମହାନିର୍ଦ୍ଦେଶକ ଅଭୟ ଏହି ଅବସରରେ ମାଓବାଦୀଙ୍କୁ ପୁଣି ଥରେ ଆତ୍ମସମର୍ପଣ କରିବାକୁ ନିବେଦନ କରିଛନ୍ତି। ଅସ୍ତ୍ରଛାଡ଼ି ମୁଖ୍ୟଧାରାରେ ସାମିଲ ହେବା ସହ ଓଡ଼ିଶା ସରକାରଙ୍କ ଆକର୍ଷଣୀୟ ଥଇଥାନ ପ୍ୟାକେଜକୁ ଗ୍ରହଣ କରିବାକୁ ସେ ମାଓବାଦୀମାନଙ୍କୁ କହିଛନ୍ତି।







