Home Top News କନ୍ଧମାଳରେ ଡିଜିଟାଲ୍‌ ଇଣ୍ଡିଆ ସାତ ସପନ; ନେଟୱାର୍କ ପାଇଁ ପାହାଡ଼, ଜଙ୍ଗଲ ଘାଟି ସାହା ଭରଷା

କନ୍ଧମାଳରେ ଡିଜିଟାଲ୍‌ ଇଣ୍ଡିଆ ସାତ ସପନ; ନେଟୱାର୍କ ପାଇଁ ପାହାଡ଼, ଜଙ୍ଗଲ ଘାଟି ସାହା ଭରଷା

27

କନ୍ଧମାଳ ୨୨-୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ବର୍ତ୍ତମାନ ସମୟରେ ଡିଜିଟାଲ୍‌ କାରବାର ବେଶ୍‌ ବୃଦ୍ଧି ପାଇଛି। ସରକାରୀ ଓ ବେସରକାରୀ ଅଫିସ କାମ ଅନ୍‌ଲାଇନ୍‌ରେ ହେଉଛି। ପାଠପଢ଼ାଠାରୁ ଚାକିରି ଆବେଦନ ପର୍ଯ୍ୟନ୍ତ ସବୁ ଅନ୍‌ଲାଇନ୍‌। ଏପରିକି କ୍ୟାସ୍‌ଲେସ୍‌ କାରବାର ପାଇଁ ଦେଣନେଣ ମଧ୍ୟ ଅନଲାଇନ୍‌ରେ ହେଉଛି। ଆଉ ସରକାରୀ ଅଫିସ୍‌ କିମ୍ବା ବ୍ୟାଙ୍କକୁ ଯିବାକୁ ପଡ଼ିବନି ବୋଲି କୁହଯାଉଛି। ମାତ୍ର କନ୍ଧମାଳ ଜିଲ୍ଲାର କେତେକ ପଞ୍ଚାୟତରେ ନେଟ୍‌ୱାର୍କ ନଥିବାରୁ ଡିଜିଟାଲ ଇଣ୍ଡିଆ ସାତ ସପନ ହୋଇଛି।ଏପରି ଏକ ଅଞ୍ଚଳ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତରେ ଇଣ୍ଟରନେଟ୍‌ ସୁବିଧା ପହଞ୍ଚିନାହିଁ। ଏଣୁ ସୁଟାଣି ଘାଟି ପାଲଟିଛି ନେଟ୍‌ଜୋନ୍‌। ଘାଟିରେ ପହଞ୍ଚି ଅଙ୍ଗନବାଡ଼ି କର୍ମୀ ଅଫିସ କାମ କରୁଥିବା ବେଳେ ସେଠାରେ ଅନ୍‌ଲାଇନ୍‌ରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଅଭିଯୋଗ ହୋଇଛି ଯେ ଉପାନ୍ତ ଇଲାକା ଲୁଇସିଂ ପଞ୍ଚାୟତ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ଠାରୁ ୫୦ କିମି ଦୂର। ବର୍ଷ ବର୍ଷ ଧରି ଅଞ୍ଚଳବାସୀ ମୋବାଇଲ ଟାୱାର ନିର୍ମାଣ ଦାବି କରି ଆସିଛନ୍ତି। ଏଠାରେ କୌଣସି ନେଟ୍‌ୱର୍କ ଆସୁନାହିଁ। ଜାତିଗତ ସାର୍ଟିଫିକେଟ୍‌, ସ୍କୁଲ, କଲେଜ ଫର୍ମ ପୂରଣ କରିବା, ଅନ୍‌ଲାଇନ୍‌ ପଢ଼ା ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି କର୍ମୀ ଅଫିସ୍‌ ଡାଟା ଅନ୍‌ଲାଇନ୍‌ରେ ଦେବାକୁ କୁହାଯାଉଛି। ମାତ୍ର ନେଟ୍‌ୱାର୍କ ନଥିବାରୁ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିଶେଷ କରି ଜରୁରି ପରିସ୍ଥିତିରେ ପଞ୍ଚାୟତବାସୀ ଡାକ୍ତରଖାନା ଯିବାକୁ ଆମ୍ବୁଲାନ୍ସକୁ ମଧ୍ୟ ଯୋଗାଯୋଗ କରିପାରୁ ନାହାନ୍ତି। ଲୁଇସିଂ ପଞ୍ଚାୟତରେ ୧୦ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଅଙ୍ଗନବାଡ଼ି କେନ୍ଦ୍ରର କାମ ଅନ୍‌ଲାଇନରେ କରାଯାଉଛି। ଗର୍ଭବତୀ, ପ୍ରସୂତି, ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କ ପାଇଁ ମମତା ଆପ୍‌, ଓ ପୋଷଣ ଆପ୍‌ ଓ ଅନ୍ୟାନ୍ୟ ଆପ୍‌ ରହିଛି। ଏହି ଆପ୍‌ ମାଧ୍ୟରେ ସମସ୍ତ ତଥ୍ୟ ଦୈନିକ ଅପ୍‌ଲୋଡ୍‌ କରିବାକୁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି। ସୁଟାଣି ଘାଟିରେ ନିକଟରେ ନେଟ୍‌ୱର୍କ ରହୁଥିବାରୁ ବାଧ୍ୟ ହୋଇ ଅଙ୍ଗନବାଡ଼ି କର୍ମୀ ପଞ୍ଚାତୟଠାରୁ ୧୦ କିମି ଦୂର ଯାଉଛନ୍ତି। ସେଠାରେ ଅଫିସ କାମ କରୁଛନ୍ତି। କିଏ ନିଜ ଗାଡ଼ି ନେଇ ଯାଉଛନ୍ତି ତ ଆଉ କିଏ ଯାତ୍ରୀବାହୀ ଗାଡ଼ିରେ ଯାତାୟାତ କରୁଛନ୍ତି। ଏଥିପାଇଁ ସମୟ ଓ ଅର୍ଥ ଅପଚୟ ହେଉଥିବା ଅଭିଯୋଗ ହୋଇଛି। ଭାଟୁଲୁ ଅଙ୍ଗନବାଡ଼ି କର୍ମୀ ସାନ୍ତୁନି କହଁର, କଡ଼ମପାଙ୍ଗା ଅଙ୍ଗନବାଡି କର୍ମୀ ସଇନ୍ଦ୍ର କହଁର, ମାଳାକେରି ଅଙ୍ଗନବାଡ଼ି କର୍ମୀ ରଚନା କହଁର ଅନ୍‌ଲାଇନ୍‌ କାମ ପାଇଁ ସୁଟାଣି ଘାଟିକୁ ମାସ ମାସ ଧରି ଆସୁଥିବା କହିଛନ୍ତି। ଯାତାୟତରେ ବହୁ ଅସୁବିଧା ଭୋଗୁଥିବା କହିଛନ୍ତି। ଛାତ୍ରଛାତ୍ରୀମାନେ ମଧ୍ୟ ଘାଟି ଅଞ୍ଚଳରେ ବିଭିନ୍ନ ଜାଗାରେ ବସି ପଢ଼ୁଛନ୍ତି। ମୋବାଇଲ ଟାୱାର ନିର୍ମାଣ କରିବାକୁ ସରପଞ୍ଚ ସୁଦର୍ଶନ କହଁର ଦାବି କରିଛନ୍ତି। ଏ ନେଇ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତ ଖୁବ୍‌ଶୀଘ୍ର ନେଟ୍‌ୱର୍କ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.