Home କଳାହାଣ୍ଡି କନିଷ୍ଠ ଶିକ୍ଷୟତ୍ରୀଙ୍କୁ ବରିଷ୍ଠ ସହକାରୀ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା

କନିଷ୍ଠ ଶିକ୍ଷୟତ୍ରୀଙ୍କୁ ବରିଷ୍ଠ ସହକାରୀ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା

469

ଭବାନୀପାଟଣା -୧୩/୦୮/୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ ଜୁନାଗଡ ସହର ସ୍ଥିତ ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଜଣେ ବରିଷ୍ଠ ସହକାରୀ ଶିକ୍ଷକ ସେହି ସ୍କୁଲରେ କାର୍ଯ୍ୟରତ ଜଣେ କନିଷ୍ଠ ଶିକ୍ଷୟତ୍ରୀଙ୍କୁ ବାରମ୍ବାର ଅଶାଳୀନ ବ୍ୟବହାର କରିବା ସହ ଜୀବନରୁ ମାରି ଦେବାର ଧମକ ଦେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ କଳାହାଣ୍ଡି ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ସହକାରୀ ଜିଲାପାଳ ଘଟଣାର ତଦନ୍ତ କରି ଫେରିଛନ୍ତି । ଅପର ପକ୍ଷରେ ସ୍ଥାନୀୟ ପୋଲିସ ଓ ବିଭାଗୀୟ ଅଧିକାରୀ ଶିକ୍ଷକ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ପୀଡିତା ଅଭିଯୋଗ କରୁଛନ୍ତି ।
ଘଟଣାରୁ ପ୍ରକାଶ ଯେ ପୀଡିତା ଶିକ୍ଷୟତ୍ରୀ ଜଣକ ଅନ୍ୟ ଜିଲ୍ଲାରୁ ଆସି ଗତ ଆଠ ବର୍ଷ ହେବ ଜୁନାଗଡସ୍ଥିତ ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି । ଇତି ମଧ୍ୟରେ ସେ ବିବାହ ହୋଇ ସାରିଥିବା ବେଳେ ସ୍ୱାମୀ ଦିଲ୍ଲୀ ରେ କାର୍ଯ୍ୟରତ ଥିବା ହେତୁ ଶିକ୍ଷୟତ୍ରୀ ଜଣକ ଏଠାରେ ଏକୁଟିଆ ଭଡାଘରେ ରହୁଥିବା ପ୍ରକାଶ । ଅନ୍ୟପକ୍ଷରେ ସ୍ଥାନୀୟ ବରିଷ୍ଠ ଶିକ୍ଷକ ରାଜେଶ ମାଝୀ ଦୀର୍ଘ ଦିନ ଧରି ଏହି ସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିବା ବେଳେ ସେ ଅନ୍ୟ କର୍ମଚାରୀ ମାନଙ୍କୁ ମଧ୍ୟ ପ୍ରଭାବିତ କରୁଥିବା ଅଭିଯୋଗ ହେଉଛି । ଉକ୍ତ ଶିକ୍ଷୟତ୍ରୀଙ୍କ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଶିକ୍ଷକ ରାଜେଶ ମାଝୀ ବାରମ୍ବାର ମାନସିକ ଯନ୍ତ୍ରଣା ଦେବା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । କୌଣସି ଆତ୍ମୀୟ ସ୍ୱଜନ ନଥାଇ ଏକୁଟିଆ ରହୁଥିବା ହେତୁ ଏବଂ ବିଦ୍ୟାଳୟ ମ୍ମାନକୁ ଦୃଷ୍ଟିରେ ରଖି ଆଗକୁ ହୁଏତ ସୁଧାର ଆସିପାରେ ଭାବି ଚୁପ ରହିଥିବା ବେଳେ ଅଭିଯୁକ୍ତ ଶିକ୍ଷକଙ୍କ ଦୁର୍ବ୍ୟବହାର ବଢିବାରେ ଲାଗିଥିବା ପ୍ରକାଶ । ଏପରିକି ବିଦ୍ୟାଳୟର ମିଟିଂ ସମୟରେ ନିଜସ୍ୱ ମତବ୍ୟକ୍ତ କଲେ ମଧ୍ୟ କିମ୍ବା କୌଣସି କଥାରେ ପ୍ରତିବାଦ କଲେ ସହକାରୀ ଶିକ୍ଷକ ରାଜେଶ ମାଝୀ ନିଜକୁ ବରିଷ୍ଠ ବୋଲି ପରିଚୟ ଦେବା ସହ କେହି ତାଙ୍କୁ ବିରୋଧ କରିପାରିବେ ନାହିଁ ବୋଲି କହିବା ସହିତ ସଂପୃକ୍ତ ଶିକ୍ଷୟତ୍ରୀଙ୍କୁ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ପୂର୍ବରେ ପୀଡିତା ଶିକ୍ଷୟତ୍ରୀ ଜଣକ କମନରୁମରେ ଏକୁଟିଆ ବସିଥିବା ଅବସ୍ଥାରେ ଅଭିଯୁକ୍ତ ଶିକ୍ଷକ ରାଜେଶ ମାଝୀ ତାଙ୍କୁ ପଛପଟେ ଧରି ଚୁମ୍ବନ ଦେଇ ଥିବା ଶିକ୍ଷୟତ୍ରୀ ନିଜ ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ କରିଥିବା ଜଣାପଡିଛି । କଳାହାଣ୍ଡି ଶିକ୍ଷା ବିଭାଗକୁ ଗତ ୩୧.୦୭.୨୦୧୯ ରେ ଘଟଣା ସଂପର୍କରେ ଜଣାଇବା ସହିତ ଗତ ୧୦ ତାରିଖ ରେ ଜୁନାଗଡ ଥାନାରେ ଅନଲାଇନ ଏଫଆଇଆର ଦାଖଲ କରିଥିବା ଜଣାପଡିଛି । ପୋଲିସ କିମ୍ବା ଶିକ୍ଷା ବିଭାଗ ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଆଦୌ ଧ୍ୟାନ ଦେଇନଥିବା ହେତୁ ସେ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ତୁରନ୍ତ ସହକାରୀ ଜିଲ୍ଲାପାଳ ଙ୍କୁ ତଦନ୍ତ ପାଇଁ ପଠାଇଥିବା ପ୍ରକାଶ । ସହକାରୀ ଜିଲ୍ଲାପାଳ ଏବଂ ଜୁନାଗଡ ତହସିଲଦାର ଘଟଣାର ତଦନ୍ତ କରିଥିବା କୁହାଯାଉଛି ।
ଅନ୍ୟ ପକ୍ଷରେ ପୋଲିସ ରେ ରିପୋର୍ଟ ହେବାପରେ ଜୁନାଗଡ ଥାନା କେସ ନମ୍ବର ୧୮୮/୨୦୧୯ ରେ ଆଇପିସି ୧୮୬୦ ଦଫା ୨୯୪,୩୨୩,୩୫୪,୩୫୪ଏ(୧),୩୫୪ଡି,୫୦୬ ଅନୁସାରେ ଏକ କେଶ ରୁଜ୍ଜୁ କରି ଘଟନାର ତଦନ୍ତ କରୁଥିବା ଜଣାପଡିଛି । ଅଭିଯୁକ୍ତ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ କରୁନଥିବା ପୀଡିତା କହୁଥିବା ବେଳେ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରଖିଥିବା ଏବଂ ଅଭିଯୁକ୍ତକୁ ଠାବ କରିପାରୁନଥିବା ପୋଲିସ ସୂତ୍ରରୁ ପ୍ରକାଶ । ଜୁନାଗଡ ଥାନା ଅଧିକାରୀ ପ୍ରଭାତ କୁମାର ସେଠୀ ଙ୍କୁ ଗଣମାଧ୍ୟମ ପକ୍ଷରୁ ପଚାରିବାରୁ ଶିକ୍ଷକଙ୍କୁ ବାରମ୍ବାର ଡାକି ଥିଲେ ମଧ୍ୟ ଶିକ୍ଷକ ଥାନାକୁ ଆସୁ ନଥିବା କହିଛନ୍ତି ଏବଂ ଯଦି ସେ ନଆସନ୍ତି ତେବେ ଆମେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କ ପ୍ରତି ହେଉଥିବା ମାନସିକ ଓ ଶାରିରୀକ ନିର୍ଯ୍ୟାତନାରୁ ରକ୍ଷା କରିବା ପାଇଁ କଡାକଡି ଆଇନ ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଓ ପୋଲିସର ଉଦାସୀନତାକୁ ସାଧାରଣରେ ନାପସନ୍ଦ କରାଯାଉଛି । ଅନ୍ୟପକ୍ଷରେ ବାଳିକା ବିଦ୍ୟାଲୟରେ ଏଭଲି ଶିକ୍ଷକ ମାନଙ୍କୁ ଦୀର୍ଘ ବର୍ଷ ଧରି ଅବସ୍ଥାପିତ କରିବା ନେଇ ଶିକ୍ଷା ବିଭାଗର ଦାୟୀତ୍ୱ ବୋଧତା ଉପରେ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚାରିବାରେ ସେ ଏହି ଘଟନା ସଂପର୍କରେ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ କୈଫିୟତ ତଲବ କରିବା ସହିତ ଆଇନାନୁସାରେ ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱ ଆଧାରରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.