Home ଜିଲ୍ଲା ପରିକ୍ରମା କନିକା ପ୍ରଜା ‘ଭାବଗ୍ରାହୀ ପାଠାଗାର’ ଉଦଘାଟନ ଓ “ସୁକୁମାରୀ ଭବନ” ଆଦ୍ୟ ପଦାର୍ପଣ ଉତ୍ସବ ଅନୁଷ୍ଠିତ

କନିକା ପ୍ରଜା ‘ଭାବଗ୍ରାହୀ ପାଠାଗାର’ ଉଦଘାଟନ ଓ “ସୁକୁମାରୀ ଭବନ” ଆଦ୍ୟ ପଦାର୍ପଣ ଉତ୍ସବ ଅନୁଷ୍ଠିତ

8

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କନିକା ପ୍ରଜାଆନ୍ଦୋଳନର ବିଶିଷ୍ଟ ନେତା ବିପ୍ଲବୀ ବୀର ଚକ୍ରଧର ବେହେରା ଙ୍କ ଅନ୍ୟତମ ସହଯୋଗୀ ଭାବଗ୍ରାହୀ ନାଥ ଙ୍କ ନାମରେ ନାମିତ ଭଦ୍ରକ ପୌରପାଳିକା ଅଧିନସ୍ଥ ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଭଦ୍ରକ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟ ନିକଟସ୍ଥ ନବନିର୍ମିତ କନିକା ପ୍ରଜା ‘ଭାବଗ୍ରାହୀ ପାଠାଗାର’ କୁ ସିପିଆଇ(ଏମ) ରାଜ୍ୟ ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଉଦଘାଟନ କରିବା ସହ “ସୁକୁମାରୀ ଭବନ’ ର ଫିତା କାଟି ଆଦ୍ୟ ପଦାର୍ପଣ କରିଛନ୍ତି । ଏହି ଉତ୍ସବରେ ଆୟୋଜିତ ” ଆମ ଦେଶର ସାଂପ୍ରତିକ ପରିସ୍ଥିତି” ସଂପର୍କରେ ଏକ ଆଲୋଚନାଚକ୍ର ରେ ମୁଖ୍ୟ ଆଲୋଚକ ଭାବେ ଶ୍ରୀ ପାଣିଗ୍ରାହୀ ଅଂଶଗ୍ରହଣ କରି ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ନବ୍ୟଫାଶୀବାଦ ଓ ସାଂପ୍ରଦାୟିକତାବାଦ ର କୁଚକ୍ର ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ଲଣ୍ଡନ ରେ ଅବସ୍ଥାପିତ ଏକ ପାଠାଗାରରେ କାର୍ଲମାର୍କ୍ସ ଓ ଫ୍ରେଡେରିକ୍ ଏଞ୍ଜେଲସ୍ ଯେପରି ଏକାଠି ହୋଇ ପୁଞ୍ଜିଗ୍ରନ୍ଥ ଓ କମ୍ୟୁନିଷ୍ଟ ଇସ୍ତାହାର ରଚନା କରି ବିଶ୍ୱ ଶ୍ରମିକ ଶ୍ରେଣୀକୁ ମୁକ୍ତି ର ପଥ ଦେଖାଇ ଥିଲେ, ଠିକ୍ ସେହିପରି କନିକା ପ୍ରଜା ଭାବଗ୍ରାହୀ ପାଠାଗାର ଭଦ୍ରକ ପୌରପାଳିକା ଅଂଚଳରେ କିଛି ବିପ୍ଲବୀ ତିଆରି କରିବ ବୋଲି ଶ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଆଲୋଚକ ଭାବେ ଯୋଗ ଦେଇ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ପାର୍ଥସାରଥି ଦାଶ ମୋଦି ସରକାରଙ୍କ ସମୟରେ ଆମ ଦେଶର ସାଂପ୍ରତିକ ଗ୍ରାମୀଣ ଅର୍ଥନୀତି କିପରି ଧ୍ୱଂସ ପାଇଛି, ସେ ତଥ୍ୟ ଭିତିକ ଆଲୋଚନା କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ ସଭାପତିତ୍ୱ କରିଥିବା ବେଳେ ଏସ୍‌ଏଫ୍‌ଆଇ ର ପୂର୍ବତନ ରାଜ୍ୟ ସଭାପତି ବିକାଶ ନାଥ ସ୍ୱାଗତ ଭାଷଣ ଦେବା ସହ ସ୍ୱାଧୀନତା ସଂଗ୍ରାମୀ ଭାବଗ୍ରାହୀ ନାଥଙ୍କ ଜୀବନ ଦର୍ଶନ ଓ ପାଠାଗାର ସ୍ଥାପନ ସଂପର୍କରେ ଆଲୋଚନା କରିଥିଲେ । ଆମନ୍ତ୍ରିତ ଅତିଥି ଭାବେ ପୂର୍ବତନ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ପୌରଧ୍ୟକ୍ଷା ଗୁଲୁମୁକ୍କୀ ଦଲୱାଜି ହବିବ୍‌, ପୂର୍ବତନ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ଇଂ ଅଭୟ ସୂତାର, ଭଦ୍ରକ ମହାବିଦ୍ୟାଳୟ ଛାତ୍ରସଂସଦ ର ପୂର୍ବତନ ସଭାପତି ଷ୍ଟାଲିନ ମିଶ୍ର, ଭଦ୍ରକ ଓକିଲ ସଂଘର ସଭାପତି ସନ୍ତୋଷ ଆଚାର୍ଯ୍ୟ, ଭଦ୍ରକ ଓକିଲ ସଂଘର ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଯୁବ ନେତା ନାସିରୁଦ୍ଦିନ ଖାନ୍ ପ୍ରମୁଖ ଯୋଗଦେଇ ଦେଶ ଓ ରାଜ୍ୟର ସାଂପ୍ରତିକ ପରିସ୍ଥିତି ସଂପର୍କରେ ଆଲୋଚନା କରି ଚାଷୀ ଓ ଶ୍ରମିକ ବିରୋଧୀ ଡବଲ୍ ଇଞ୍ଜିନ୍ ସରକାର ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ଦେଶର ଏକତା, ଭାଇଚାରା, ଅଖଣ୍ଡତା ଓ ସମ୍ବିଧାନ ର ସୁରକ୍ଷା ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ଧର୍ମନିରପେକ୍ଷ-ଗଣତାନ୍ତ୍ରିକ ଶକ୍ତି ଏକତ୍ରିତ ହୋଇ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ଆଲୋଚନା ସଭାରେ ସ୍ୱାଧୀନତା ସଂଗ୍ରାମୀ ଭାବଗ୍ରାହୀ ନାଥଙ୍କ ପୁତ୍ର ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ କନିକା ପ୍ରଜା ‘ଭାବଗ୍ରାହୀ ପାଠାଗାର’ ସଂପାଦକ ଚିତ୍ର ଭାନୁ ଦାସ, କର୍ମଚାରୀ ନେତା ଅଗଣି ଚରଣ ଜେନା, ଯୁବ ନେତା ସେକ୍ କମର, ଯୁବ ଆଇନଜୀବୀ ଅଭୟ ରଥ, ସେକ୍ ରୁସ୍ତମ ପ୍ରମୁଖ ସହଯୋଗ କରିଥିଲେ । ଏହି ଆଲୋଚନା ସଭାରେ ଭଦ୍ରକ ପୌରପାଳିକା ର ପ୍ରାୟ ୩୦୦ ରୁ ଉର୍ଦ୍ଧ ସାଧାରଣ ଜନତା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.