Home ଓଡ଼ିଶା ଓ.ଏମ୍ .ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ...

ଓ.ଏମ୍ .ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ସାଙ୍ଗକୁ ପାରମ୍ପାରିକ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

153

ଭୁବନେଶ୍ୱର ୮.୯ (ଓଡ଼ିଆ ପୁଅ) : ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍ .ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଚତୁର୍ଥ ସଂଧ୍ୟା। ଆଜି ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ଗାୟିକା ଶ୍ରୀମତୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ୱାରା ହିନ୍ଦୁସ୍ଥାନୀ ସଙ୍ଗୀତ ପରିବେଷଣ। ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ କେଦାର ଉପରେ ନିବଦ୍ଧ ଖେୟାଲ ଯାହା ବିଲମ୍ବିତ ଏକତାଳ, ମଧ୍ୟମ ତିନତାଲ ଉପରେ ପର୍ଯ‎୍ୟବେସିତ ଥିଲା ପରେ ପରେ ପଣ୍ଡିତ ରାମଶ୍ରେୟା ଝାଙ୍କ ଦ୍ୱାରା ରଚିତ ତରାନା ପରିବେଷିତ ହୋଇଥିଲା। ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ରାଗ ପିଲୁରୁ ଉଦ୍ଧୃତ କଜରୀ କେହେନବା ମାନୋ ଓ ରାଧା ରାଣୀ। ଶେଷରେ ଭଜନ ଯାହା ରାଗ ହେମନ୍ତ ଉପରେ ନିବଦ୍ଧ ଥିଲା। ତାଙ୍କୁ ତବଲାରେ ଅପୁର୍ବ ମୁଖାର୍ଜୀ, ହାରମୋନିୟମରେ ଗୌରବ ଚାଟାର୍ଜୀ ଓ ତାନପୁରାରେ ସଚ୍ଚୀଦାନନ୍ଦ ସାହୁ ସହଯୋଗ କରିଥିଲେ। ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍‌ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ସେ ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ସଂଧ୍ୟର ଦ୍ୱିତୀୟ କାର୍ଯ୍ୟକ୍ରମଟିଥିଲା ଗୁରୁ ଜୋତ୍ସାରାଣୀ ସାହୁଙ୍କ ସୁର ମନ୍ଦିର ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ। ସେମାନଙ୍କର ପ୍ରସ୍ତୁତିରେ ଥିଲା ରସାନୁରାଗ ଯାହା ରାଗ ରାଗମାଳୀକା ଓ ତାଳ ତାଳମାଳୀକା ଉପରେ ନିବଦ୍ଧ ଥିଲା। ପ୍ରେମ ଓ ବର୍ଷାର ଗଭୀର ସଂଯୋଗ ସହିତ ତାର ବିଭିନ୍ନ ସମ୍ବନ୍ଧକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ବଖାଣିଥିଲେ ସୁର ମନ୍ଦିରର ଶିଳ୍ପୀମାନେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଜୋତ୍ସାରାଣୀ ସାହୁ, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଅଗ୍ନିମିତ୍ର ବେହେରା ଏବଂ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ।

ଚତୁର୍ଥ ସଂଧ୍ୟାର ଅନ୍ତିମ ପରିବେଷଣଟି ଥିଲା ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ତ୍ରୀଧାରା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ। ସେମାନଙ୍କର ପ୍ରଥମ ପ୍ରସ୍ତୁତିଟି ଥିଲା ଗୁରୁ ଦେବ ପ୍ରସାଦ ଘରାନା ଶୈଳୀରେ ମଙ୍ଗଳାଚରଣ ଯାହା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକ କଳା ନୃତ୍ୟ ପ୍ରହଲ୍ଲାଦ ନାଟକରୁ ଉଦ୍ଧୃତ ଭଗବାନ ବିଷ୍ଣୁଙ୍କର ନୃସିଂହ ଅବତାରକୁ ଓଡ଼ିଶୀ ନୃତ୍ୟରେ ଚମକ୍ରାର ପରିବେଷଣ କରିଥିଲେ ଶିଳ୍ପୀମାନେ। ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର ପଣ୍ଡା, ସଙ୍ଗୀତ ସଂଯୋଜନା କରିଥିଲେ ଡ଼ଃ ଗୋପାଳ ଚନ୍ଦ୍ର ପଣ୍ଡା ଓ ତାଳ ସଂଯୋଜନା କରିଥିଲେ ଡ଼ଃ ବନମାଳି ମହାରଣା। ପରେ ପରେ ଶୁଦ୍ଧ ନୃତ୍ୟରେ ରାଗ କିରିବାଣୀ ଉପରେ ପର୍ଯ୍ୟବେସିତ ପଲ୍ଲବୀ ପରିବେସିତ ହୋଇଥିଲା ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ ଓ ସ୍ୱର ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ। ସେମାନଙ୍କର ଶେଷ ପ୍ରସ୍ତୁତିଟି ଥିଲା ଦକ୍ଷିଣ ଓଡ଼ିଶାର ଲୋକପ୍ରୀୟ ନଗରକିର୍ତ୍ତନ ଓ ଦାସକାଠିଆରୁ ଆସିଥିବା ରାମ ଭଜନ ଯାହାର ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସଙ୍ଗୀତ ସଂଯୋଜନା କରିଥିଲେ ଡ଼ଃ ଗୋପାଳ ଚନ୍ଦ୍ର ପଣ୍ଡା।

ଉତ୍ସବର ଅତିଥି ଥିଲେ ଭାରତୀୟ ବିଦ୍ୟା ଭବନ ଭୁବନେଶ୍ୱର କେନ୍ଦ୍ରର ଉପସଭାଧ୍ୟକ୍ଷ ଡ଼ଃ ଏସ.କେ. ତାମୋଟିଆ; ଖ୍ୟାତିସମ୍ପର୍ଣ୍ଣ କଳା ଓ ନୃତ୍ୟ ସମ୍ମିକ୍ଷକ ତଥା ଲେଖକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମଲିଆ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡ଼ଃ ଶ୍ରୀନୀବାସ ଘଟୁଆରୀ ଏବଂ ଆଲୋକ ସଂଚାଳନ କରିଥିଲେ ଶ୍ରୀ ଦେବୀପ୍ରସାଦ ମିଶ୍ର।

ବରିଷ୍ଠ ସାମ୍ବାଦିକ ତଥା ଅର୍ଥନୀତି ବିଶାରଦ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ
ଭୁବନେଶ୍ୱର, ୦୯/୦୯ (ଓଡ଼ିଆ ପୁଅ) : ବରିଷ୍ଠ ସାମ୍ବାଦିକ ତଥା ଅର୍ଥନୀତି ବିଶାରଦ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ମୁଖପାତ୍ର ଗୋଲକ ମହାପାତ୍ର ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

ସ୍ୱର୍ଗତଃ ଶତପଥୀ ଜଣେ ଦକ୍ଷ ସାମ୍ବାଦିକ ଓ ସ୍ତମ୍ଭକାର ଭାବେ ଜଣାଶୁଣା ଥିଲେ। ରାଜନୈତିକ ଓ ଅର୍ଥନୈତିକ ବିଶ୍ଲେଷଣ କ୍ଷେତ୍ରରେ ସେ ପୂରା ପାରଙ୍ଗମ ଥିଲେ। ସେ ବିଜନେସ ଷ୍ଟାଣ୍ଡାର୍ଡ ଖବର କାଗଜର ରେସିଡେନସିଆଲ ଏଡିଟର ଭାବେ କାର୍ଯ୍ୟ କରୁଥିଲେ। ଟିଭି ନିଉଜ ଚ୍ୟାନେଲ ଗୁଡିକରେ ବିଶେଷଜ୍ଞ ଭାବେ ସେ ବିଭିନ୍ନ ତଥ୍ୟକୁ ବିଶ୍ଲେଷଣ କରୁଥିଲେ। ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ବିଜେପି ନେତୃବୃନ୍ଦ କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.