ବାଲେଶ୍ୱର, ୧୨-୮ (ଓଡ଼ିଆ ପୁଅ/ଅଭୟ ଦାସ): ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାଲେଶ୍ୱର ଜିଲ୍ଲା ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ‘ଓଡ଼ିଶା ମୋ ପରିବାର’ର ନବନିଯୁକ୍ତ ଜିଲ୍ଲା ସଂଯୋଜକ ଯୁବ ସଂଗଠକ ସାହିରୁଲ ହକ୍ଙ୍କ ନେତୃତ୍ୱରେ ଆୟୋଜିତ ଶିବିରରେ ଜିଲ୍ଲା ବିଜେଡି, ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ବହୁ ସଦସ୍ୟ ତଥା କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବରଦା ପ୍ରସନ୍ନ ପଟ୍ଟନାୟକ, ଭୂବନାନନ୍ଦ ଦାସ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ କୁମାର ରାଉତ, ଶୁଭେନ୍ଦୁ ମଙ୍ଗରାଜ, ସିମନ ଦାସମହାପାତ୍ର ପ୍ରମୁଖ ଦଳୀୟ କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାର ରକ୍ତର ଅଭାବକୁ ଦୃଷ୍ଟି ଦେଇ ଆଗାମୀ ଦିନରେ ନିୟମିତ ଏହିଭଳି ଶିବିର ଆୟୋଜନ ପାଇଁ ସେମାନେ ସଂଯୋଜକଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବାଧାନରେ ଆୟୋଜିତ ଏହି ଶିବିରରେ ରକ୍ତଭଣ୍ଡାର କର୍ମଚାରୀମାନ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। କୋଭିଡ୍ ନିୟମ ପାଳନ ସହ ସାମାଜିକ ଦୂରତା ଭିତ୍ତିରେ ଏହି ଶିବିର ପରିଚାଳନା କରାଯାଇଥିବା ଦେଖିବାକୁ ମିଳିଥିଲା।