ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏମ୍ଏନ୍ଆରଇଜିଏସ୍ରେ ବର୍ଷକୁ ସର୍ବନିମ୍ନ ଦୁଇଶହ ଦିନର କାମ, ଦୈନିକ ମଜୁରୀ ୬ ଶହ ଟଙ୍କା ପ୍ରଦାନ ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବା ଆଦି ବିଭିନ୍ନ ଦାବି କରି ଓଡ଼ିଶା କ୍ଷେତ ମଜଦୁର ୟୁନିୟନ୍ ଭଦ୍ରକ ଜିଲା କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଜିଲା ସଭାପତି ପ୍ରଫୁଲ୍ଲ ପାଢୀଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଗଠନର ଜିଲା ସଂପାଦକ ଆଇନ୍ଜୀବୀ ଗିରିଧାରୀ ନାଥ, ସିଆଇଟିୟୁ ଜିଲା ସଭାପତି ଦିବ୍ୟସିଂହ ନାୟକ, ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ ପ୍ରମୁଖ ସରକାରଙ୍କ ବିରୁଦ୍ଧରେ ଭାଷଣ ଦେଇଥିଲେ । ବିଶେଷକରି ଜାତି ଭିତ୍ତିରେ ମଜୁରୀ ପ୍ରଦାନ ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବା, ଦୈନିକ ୨ ଥର ଅନଲାଇନ୍ରେ ଏମ୍ଏନ୍ଆରଇଜିଏସ୍ ଶ୍ରମିକମାନଙ୍କ ଉପସ୍ଥାନ ନେବାର ନିର୍ଦ୍ଦେଶନାମା ବାତିଲ କରିବା, ୬୦ ବର୍ଷରୁ ଉର୍ଦ୍ଧ୍ୱ କ୍ଷେତ ମଜଦୁରମାନଙ୍କୁ ୩ ହଜାର ଟଙ୍କା ପେନସନ ଦେବା, ସମସ୍ତ ଭୂମିହୀନ କ୍ଷେତ ମଜଦୁରମାନଙ୍କୁ ଘରଡିହ ଓ ଚାଷଜମି ଯୋଗାଇଦେବା, କ୍ଷେତ ମଜଦୁରମାନଙ୍କୁ ସାମାଜିକ ନିରାପତ୍ତା ଗ୍ୟାରେଣ୍ଟି ଆଦି ଦାବି କରିଥିଲେ । ପରେ ସଂଗଠନର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନରେ ଅନ୍ୟମାନଙ୍କ ମଧ୍ୟରେ କ୍ଷେତ ମଜଦୁର ନେତା ଘନଶ୍ୟାମ ଦାସ, କାହ୍ନୁକିଶୋର ସାହୁ, ଜୟରାମ ଦାସ, ନିରଂଜନ ଜେନା, କୀର୍ତ୍ତନ ବିଶ୍ୱାଳ, ଗଂଗାଧର ମହାଳିକ, ନରୋତ୍ତମ ମଢୁଆଳ, ସୁରେନ୍ଦ୍ର ନାୟକ, ବ୍ରହ୍ମାନନ୍ଦ ପରିଡା, ପୀତାମ୍ବର ମଳିକ, ପୂର୍ଣ୍ଣ ମାଝୀ, ଯୁବନେତା ମିନାଜ ଖାନ୍, ଏସ୍ଏଫ୍ଆଇ ଜିଲା ଆବାହକ କାଶୀନାଥ ଭୋଇ ଯୋଗଦେଇଥିଲେ ।