Home ଜିଲ୍ଲା ପରିକ୍ରମା ଓଡ଼ିଶା ଆଶାସାଥୀ ସଂଘ ପକ୍ଷରୁ ସ୍ମାରକପତ୍ର

ଓଡ଼ିଶା ଆଶାସାଥୀ ସଂଘ ପକ୍ଷରୁ ସ୍ମାରକପତ୍ର

56

ବାଲେଶ୍ୱର, ୨୨ା୭(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ଓଡ଼ିଶା ଆଶାସାଥୀ ସଂଘ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଆଜି ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ବାଲେଶ୍ୱର ଶାଖାର ସଭାପତି ଶକୁନ୍ତଳା ଗୋଚ୍ଛାୟତ ଓ ସମ୍ପାଦିକା ଆରତୀ ସିଂହଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସାମ୍ପ୍ରତିକ ସ୍ଥିତିରେ ଆଶାସାଥୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ବିଶେଷ କରି ଆଶାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ କେନ୍ଦ୍ର ସରକାରଙ୍କ ଶିଶୁ ଓ ମାତୃ ସ୍ୱାସ୍ଥ୍ୟରକ୍ଷା ଦିଗରେ କାର୍ଯ୍ୟ କରିଆସୁଥିଲେ। ୨୦୧୮ ମସିହାରୁ ଆଶାସାଥୀମାନେ କାର୍ଯ୍ୟ କରିଆସୁଥିଲେ ବି ସେମାନଙ୍କ ସାମାଜିକ ସୁରକ୍ଷା ଦିଗରେ ସରକାର ଉଚିତ ପଦକ୍ଷେପ ନେଉ ନଥିବା ସଂଘର କର୍ମକର୍ତ୍ତାମାନେ ଆରୋପ କରିଛନ୍ତି। ଅନ୍ୟପକ୍ଷରେ ପିଆଇପିମାନଙ୍କ ଭତ୍ତା ବଢ଼ି ଚାଲିଥିବା ବେଳେ ଆଶାସାଥୀଙ୍କ ପ୍ରତି ସରକାରଙ୍କ ବୈମାତୃକ ଭାବ ପରିଲକ୍ଷିତ ହୋଇଥିବା ସେମାନେ କହିଛନ୍ତି। ଆଶା ସାଥୀମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଆଶାସାଥୀଙ୍କୁ ମାସିକ ୬ହଜାର ଟଙ୍କାର ପାରିଶ୍ରମିକ ପ୍ରଦାନ କରିବା, ସମସ୍ତଙ୍କୁ ୟୁନିଫର୍ମ ପ୍ରଦାନ କରିବା, ୧୩ ବର୍ଷଧରି କାର୍ଯ୍ୟ କରିଆସୁଥିବା ଆଶାସାଥୀଙ୍କୁ ବୀମା ସୁବିଧା ଯୋଗାଇ ଦେବା ସହ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରିବା ପାଇଁ ସେମାନେ ଦାବି କରିଥିଲେ। ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ସଂଘ ତୀବ୍ର ଆନ୍ଦୋଳନକୁ ଆପଣେଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଥିଲେ। ଏହି ଅବସରରେ ସଂଘ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.