ଭୁବନେଶ୍ୱର ୨୩.୦୪ (ଓଡ଼ିଆ ପୁଅ) ସାରା ଭାରତ ତଥା ଓଡ଼ିଶାରେ କୋଭିଡ଼ ସ୍ଥିତି ଅତି ଗମ୍ଭୀର ହୋଇପଡ଼ିଥିବା ବେଳେ କୋଭିଡ଼ ସଂକ୍ରମିତ ରୋଗୀ ନିଜ ଜୀବନ ବଂଚାଇବାକୁ ସଂଘର୍ଷ କରୁଛନ୍ତି। ଏହି ପରିସ୍ଥିତିରେ ମଇ ୧ତାରିଖ ଠାରୁ ୧୮ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭିଡ଼ ଟିକା ଦିଆଯିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି କିନ୍ତୁ ଏଥିପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ଟିକାର ମୂଲ୍ୟ ଧାର୍ଯ୍ୟ କରାଯାଇଅଛି। ଯାହାଫଳରେ ସମସ୍ତ ବ୍ୟକ୍ତି ଟିକା ନେବା ପାଇଁ ଅସମର୍ଥ। ଓଡ଼ିଶା ଏକ ଗରିବ ଏବଂ ପଛୁଆ ରାଜ୍ୟ ଅଟେ। ରାଜ୍ୟରେ ୪୦ଭାଗରୁ ଉର୍ଦ୍ଧ୍ୱ ଦଳିତ ଆଦିବାସୀ ବସବାସ କରୁଛନ୍ତି। ଯାହାଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଅଟେ ଏବଂ ୭୫ଭାଗରୁ ଉର୍ଦ୍ଧ୍ୱ ଗରିବ ଜନସାଧାରଣ ରାଜ୍ୟରେ ବାସ କରନ୍ତି। ବି.ପି.ଏଲ୍ ତାଲିକା ଅର୍ନ୍ତଭୁକ୍ତ ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଅଟେ। କୋଭିଡ଼ ଟିକାର ମୂଲ୍ୟ ଦେଇ ଟିକା ନେବା ସେମାନଙ୍କ ପକ୍ଷେ ଅସମ୍ଭବ। ଟିକା ନ ନେଲେ କରୋନା ନିୟନ୍ତ୍ରଣ ଠିକ୍ ଭାବରେ ହୋଇପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ଉତର ପ୍ରଦେଶ, ବିହାର, ଆସାମ, ଝାଡ଼ଖଣ୍ଡ ଭଳି ଅନ୍ୟ ରାଜ୍ୟ ମାନେ ମାଗଣାରେ ଟିକା ଦେବା ପାଇଁ ଘୋଷଣା କରିସାରିଲେଣି। କିନ୍ତୁ ଓଡ଼ିଶା ଭଳି ଗରିବ ଓ ପଛୁଆ ରାଜ୍ୟରେ କରୋନା ମହାମାରୀ ସମୟରେ ଲୋକଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଅବସ୍ଥାରେ ଥିଲେ ମଧ୍ୟ ସେମାନଙ୍କ ପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଟିକା ଦେବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କଲେ ନାହିଁ। ସଠିକ୍ ଭାବରେ ଟିକା କରଣ କରାନଗଲେ ଓଡ଼ିଶାର ସ୍ଥିତି ଆହୁରି ଭୟାନକ ହୋଇପାରେ ବୋଲି ବିଶେଷଜ୍ଞମାନଙ୍କ ମତ। ଏହିପରିପ୍ରେକ୍ଷୀରେ ରାଜ୍ୟ ସରକାର ତୁରନ୍ତ ସମସ୍ତଙ୍କ ପାଇଁ ବିନା ମୂଲ୍ୟରେ ଟିକା କରଣର ସୁବ୍ୟସ୍ଥା କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା ସରକାରଙ୍କଠାରେ ଦାବି କରିଛନ୍ତି। ଯାହାଫଳରେ ଓଡ଼ିଶାରେ କରୋନା ସଠିକ୍ ଭାବରେ ନିୟନ୍ତ୍ରଣ ହୋଇପାରିବା ସହ ସରକାର ଖୁବ୍ ଶୀଘ୍ର ସମସ୍ତଙ୍କ ପାଇଁ ମାଗଣାରେ ଟିକାକରଣ ଘୋଷଣା କରିବେବୋଲି ଶ୍ରୀ ବେହେରା ଆଶାପ୍ରକାଶ କରିଛନ୍ତି।