Home ଓଡ଼ିଶା “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦” ଉଚ୍ଚ ଶିକ୍ଷା ବିରୋଧୀ: ଡଃ ଲେଖାଶ୍ରୀ ସାମନ୍ତସିଂହାର

“ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦” ଉଚ୍ଚ ଶିକ୍ଷା ବିରୋଧୀ: ଡଃ ଲେଖାଶ୍ରୀ ସାମନ୍ତସିଂହାର

174

– ରାଜ୍ୟ ସରକାର କାହିଁକି ତରବରିଆ ଓ ଜୋର ଜବରଦସ୍ତ ଭାବେ “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦”କୁ କାର୍ଯକାରୀ କରିବାକୁ ପ୍ରଚେଷ୍ଟା କରୁଛନ୍ତି ।
– ନୂତନ ଶିକ୍ଷା ଅଧିନିୟମ ପ୍ରସଙ୍ଗରେ କୈାଣସି ବୁଦ୍ଧିଜିବୀ, ଶିକ୍ଷାବିତ୍‌, ବିଶିଷ୍ଟ ନାଗରିକ, ହିତକ୍ଷାଙ୍କିଙ୍କ ସହ ଆଲୋଚନା କରିନାହାନ୍ତି ରାଜ୍ୟ ସରକାର
– ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ କାରଣରୁ ବିଶ୍ୱବିଦ୍ୟାଳୟର ସ୍ୱାତତ୍ୱତା କ୍ଷୁର୍ଣ୍ଣ ହେବା ସହ କୁଳପତିଙ୍କ ମର୍ଯ୍ୟାଦା ହାନି ହେଉଛି
– ନୂତନ ଅଧିନିୟମ କାରଣରୁ ଉଚ୍ଚ ଶିକ୍ଷାର ମାନ ହ୍ରାସ ପାଇବ
– ଉଚ୍ଚ ଶିକ୍ଷାର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟସରକାର ଏହି ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ

ଭୁବନେଶ୍ୱର, ୧୬/୦୯ (ଓଡ଼ିଆ ପୁଅ) : ରାଜ୍ୟ ସରକାର କ୍ଷମତାର ଅପବ୍ୟବହାର କରି ସମସ୍ତ କ୍ଷେତ୍ରରେ ନିଜର ଆଧିପତ୍ୟ ଜାହିର୍ କରିବାର ଅପଚେଷ୍ଟା କରୁଛନ୍ତି। କିଛିମାତ୍ର ମୁଷ୍ଟିମେୟ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ତରବରିଆ ଭାବେ ଏ ସମସ୍ତ କାର୍ଯ୍ୟ ହେଉଛି। ଏହାର ସଦ୍ୟତମ ଉଦାହରଣ ହେଲା “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦”। ଗତ ସେପ୍ଟେମ୍ବର ୪ ତାରିଖରେ ରାଜ୍ୟ ସରକାର ତରବରିଆ ଭାବେ ଏହି ଅଧିନିୟମକୁ ମଞ୍ଜୁରୀ ପ୍ରଦାନ କଲେ। ଏପରିକି ଏହି ଅଧିନିୟମ ପ୍ରସଙ୍ଗରେ କୈାଣସି ବୁଦ୍ଧିଜିବୀ, ଶିକ୍ଷାବିତ୍‌, ବିଶିଷ୍ଟ ନାଗରିକ, ହିତକ୍ଷାଙ୍କିଙ୍କ ସହ ଆଲୋଚନା ମଧ୍ୟ କରିଲେ ନାହିଁ। ଅନ୍ୟ ପଟେ ଏହି ଅଧିନିୟମ ପାସ୍ ନ ହେଉଣୁ ରାଜ୍ୟର ଶିକ୍ଷା ସଚିବ ବିଶ୍ୱବିଦ୍ୟାଳୟଗୁଡିକର ଦୈନନ୍ଦନୀୟ କାର୍ଯ୍ୟରେ ହସ୍ତକ୍ଷେପ କରିବା ଆରମ୍ଭ କରିଦେଇଛନ୍ତି। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ୱତା କ୍ଷୁର୍ଣ୍ଣ ହେବା ସହ କୁଳାଧିପତିଙ୍କ ମର୍ଯ୍ୟାଦାର ହାନି ହେଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଦ୍ୱାରା ରାଜ୍ୟରେ ଉଚ୍ଚ ଶିକ୍ଷାର ମାନ ହ୍ରାସ ପାଇବ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ-ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ଚୟନ ପ୍ରକ୍ରିୟା ରାଜ୍ୟପାଳଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ଚ୍ଚ କମିଟି ଜରିଆରେ ହୋଇଥାଏ। ଏଥିରେ ଶିକ୍ଷା ସଚିବଙ୍କ ଭୂମିକା ଆଦୈା ନାହିଁ। ମାତ୍ର “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦” ପାସ୍ ହେବା କ୍ଷଣି ୪ ତାରିଖ ଦିନ ରାଜ୍ୟର ଶିକ୍ଷା ସଚିବ ତତ୍‌କ୍ଷଣାତ୍ ରାଜ୍ୟପାଳଙ୍କୁ ପତ୍ର ଲେଖି ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ପଦ ପାଇଁ ଆବେଦନକାରୀଙ୍କ ଦରଖାସ୍ତଗୁଡିକୁ ଦେବା ପାଇଁ କହିଥିଲେ। ଏହାର ୩ ଦିନ ପରେ ଅର୍ଥାତ ୭ ତାରିଖ ଦିନ ଶିକ୍ଷା ସଚିବ ଓପିଏସସିକୁ ପତ୍ର ଲେଖି ବିଶ୍ୱବିଦ୍ୟାଳୟମାନଙ୍କରେ ଖାଲି ପଡିଥିବା ଅଧ୍ୟାପକ ପଦପଦବୀ ଦରଖାସ୍ତକୁ ଅନୁଧ୍ୟାନ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଶିକ୍ଷା ସଚିବ ଗତ କାଲି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ କଂଟ୍ରୋଲର (ଅର୍ଥ)ଙ୍କୁ ପତ୍ର ଲେଖି ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଭିଡିଓ କନଫରେନ୍ସ ଜରିଆରେ ବାଧ୍ୟତା ଭାବେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଉକ୍ତ ଅଧିନିୟମରେ ସବୁ ନିୟମକୁ କାର୍ଯ୍ୟକାରୀ କରାଯିବାକୁ ନେଇ ଆଲୋଚନା ହେବାର ସ୍ଥିର ହୋଇଛି। ଆସନ୍ତା ୨୯ ତାରିଖ ଦିନ ବିଧାନସଭା ଅଧିବେଶନରେ ଆଲୋଚନା ନକରି ରାଜ୍ୟ ସରକାର କାହିଁକି ତରବରିଆ ଓ ଜୋରଜବରଦସ୍ତ ଭାବେ “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦”କୁ କାର୍ଯକାରୀ କରିବାକୁ ପ୍ରଚେଷ୍ଟା କରୁଛନ୍ତି ବୋଲି ଡ-ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ଡ, ସାମନ୍ତସିଂହାର କହିଛନ୍ତି ଯେ, ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ପ୍ରକ୍ରିୟା ଅନୁସାରେ ନିଯୁକ୍ତି ଦେବା ହେଉଛି ବିଶ୍ୱବିଦ୍ୟାଳୟମାନଙ୍କର ମୈାଳିକ ସ୍ୱାଧୀନତା ଏବଂ ଏଥି ସହ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାର ସ୍ୱାଧୀନତା ରହିଛି। ପ୍ରଶାସନିକ ଅଧିକାରୀମାନେ ବିଶ୍ୱବିଦ୍ୟାଳୟର ଦାୟୀତ୍ୱ ନେଲେ ସୁଚାରୁ ରୂପେ କାର୍ଯ୍ୟ ସଂପାଦନା ହେବାର ବଡ ପ୍ରଶ୍ନବାଚୀ। ଏହା ସହ ଅନୁଷ୍ଠାନର ମୁଖ୍ୟ ଜଣେ ପ୍ରଶାସନିକ ଅଧିକାରୀ ହେଲେ, ରାଜନୈତିକ ହସ୍ତକ୍ଷେପ ଓ ଚାପ କାରଣରୁ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାର ମାନ ହ୍ରାସ ପାଇବ ବୋଲି ଡ-ସାମନ୍ତସିଂହାର କହିଛନ୍ତି।

ରାଜ୍ୟର ସମସ୍ତ ଶିକ୍ଷାବିତ୍‌, ବୁଦ୍ଧିଜୀବି, ବିଶିଷ୍ଟ ନାଗରିକ, ହିତକ୍ଷାଂକୀମାନେ ଏହି “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦”କୁ ବିରୋଧ କରୁଥିବାବେଳେ, ତରବରିଆ ଏବଂ ଜୋରଜବରଦସ୍ତ ଭାବେ ଏହାକୁ କାର୍ଯ୍ୟକାରୀ କରାଇ ରାଜ୍ୟ ସରକାର ନିଜର ଉଚ୍ଚ ଶିକ୍ଷା ବିରୋଧୀ ବାର୍ତ୍ତାକୁ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ଉଚ୍ଚ ଶିକ୍ଷାର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟସରକାର ଏହି ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଡ-ସାମନ୍ତସିଂହାର ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.