ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇଥିବା ଏହି ସଚେତନତାମୂଳକ ଐତିହ୍ୟ ଗଣଦୌଡ଼ରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଓ ଦେବବ୍ରତ ମହାପାତ୍ର, ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲାର ଏଡିଇଓ , ବିଇଓ , ଜିଲ୍ଲା ଏଥ୍ଲେଟିକ୍ସ ସଂଘର ସଦସ୍ୟ, ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ , ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ପ୍ରଶାସନିକ ଅଧିକାରୀ, ବରିଷ୍ଠ ନାଗରିକ, ଶିକ୍ଷକ-ଶିକ୍ଷୟତ୍ରୀ ଓ ସାଧାରଣ ଜନସାଧାରଣ ସାମିଲ ହୋଇଥିଲେ। ସେମାନେ ପ୍ଲାକାର୍ଡ ଧରି ସହର ପରିକ୍ରମା କରି ଐତିହାସିକ ଗାନ୍ଧୀ ପଡିଆରେ ପହଂଚିଥିଲେ।ଏହା ପରେ ଜିଲ୍ଲାପାଳକଂ ସହିତ ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ନାଗରିକମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଓଡ଼ିଆ ଅସ୍ମିତା, ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବାକୁ ଆହ୍ୱାନ ଦେଇଥିଲେ । ସେହିପରି ଆସନ୍ତା ୧୦ ବର୍ଷ ମଧ୍ୟରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ।








