
ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନୂତନ ସରକାର ଏକବର୍ଷ ପୂର୍ତି ପାଳନ କରୁଥିବାବେଳେ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆଜି ପାଣିର ଗାର ପାଲଟିଛି। ଏପରିକି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମଧ୍ୟ ପ୍ରତାରଣା ପାଲଟିଥିବାର ଅଭିଯୋଗ କରିଛନ୍ତି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଭଦ୍ରକ ଜିଲା ଶାଖା। ୨୦୦୮ ମସିହା ପରବର୍ତୀ ଅଣ ଅନୁଦାନ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ ଦାବି ନେଇ ଆଜି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଭଦ୍ରକ ଜିଲା ପକ୍ଷରୁ ଅଧିକାର ଯାତ୍ରା-୩ ଓ ୨୬୫ ଦିନ ଅହୋରାତ୍ର ଧାରଣା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଆଜି ମହାସଂଗ୍ରାମ ଆରମ୍ଭ କରିଛନ୍ତି ସଂଘର ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ। ସେମାନଙ୍କ ପ୍ରେସ୍ତ ଇସ୍ତାହାରରୁ ଯାହା ଜଣାଯାଏ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଓଡ଼ିଶା ଭୁବନେଶ୍ୱର ଆନୁକୂଲ୍ୟରେ ରାଜ୍ୟ ସଭାପତି ବିଶ୍ୱରଂଜନ ଦାସଙ୍କ ତତ୍ୱାବଧାନରେ ଅଧିକାର ଯାତ୍ରା-୩ ର ୨୬୫ ଦିନ ଅହୋରାତ୍ର ଧାରଣା ପରେ ସଂଘ ନିଷ୍ପତି ମୂଳେ ଜିଲାସ୍ତରୀୟ ଏହି ମହାସଂଗ୍ରାମ ଆରମ୍ଭ ହୋଇଛି। ଓଡ଼ିଶା ସରକାର ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ଅନୁଦାନ ଏବଂ ଅଣ ଅନୁଦାନ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ଏହି ମହାସଂଗ୍ରାମର ଲକ୍ଷ୍ୟ ଅଟେ। ବର୍ତମାନର ସମୟରେ ଜୀବନଧାରଣର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଧ୍ୟାପକ ଓ କର୍ମଚାରୀମାନେ ଅସମର୍ଥ ହୋଇପଡିଥିବାବେଳେ ମାସିକ ବେତନ ୩ ହଜାରରୁ ୫ ହଜାର ଅଧ୍ୟୟନ ଓ ଅଧ୍ୟାପନା ସହିତ ମହାବିଦ୍ୟାଳୟ ସ୍ତରୀୟ ସମସ୍ତ ଆନୁସଙ୍ଗିକ ସରକାରୀ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିଆସୁଥିଲେ ମଧ୍ୟ ଏମାନେ ଆଜି ନିସ୍ପେସିତ ଓ ନିର୍ଯ୍ୟାତିତ। ଏଣୁ ସେମାନଙ୍କର ଉପରୋକ୍ତ ଦାବି ନେଇ ଜିଲା ସଂଯୋଜକ ସୌମେନ୍ଦ୍ର ମିର୍ଦ୍ଧା, ବିକ୍ରମ କୁମାର ପ୍ରଧାନ, ଖଣ୍ଡ ସଂଯୋଜକ ହେମନ୍ତ କୁମାର ସାହୁ, ଦେବାଶିଷ ମହାନ୍ତି, ସରୋଜ କୁମାର ବାରିକ, ପ୍ରବୀର କୁମାର ପରିଡା, ଅଧ୍ୟାପକ କମଳାକାନ୍ତ ଓଝା, ବିଚିତ୍ର କୁମାର ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଂଟିଆ ଧାରଣାରେ ବସିବା ପରେ ଜିଲାପାଳଙ୍କୁ ସେମାନଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି।







