Home ଜିଲ୍ଲା ପରିକ୍ରମା ଓଡ଼ିଶା ବ୍ରାହ୍ମଣ ମହାସଂଘ ମୁଖପତ୍ର “ବ୍ରହ୍ମ ସନ୍ଦେଶ” ଲୋକାର୍ପଣ

ଓଡ଼ିଶା ବ୍ରାହ୍ମଣ ମହାସଂଘ ମୁଖପତ୍ର “ବ୍ରହ୍ମ ସନ୍ଦେଶ” ଲୋକାର୍ପଣ

7

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକସ୍ଥିତ ବାଇପାସ୍ ଜଗନ୍ନାଥ ମନ୍ଦିର ସଭାଗୃହରେ ଓଡ଼ିଶା ବ୍ରାହ୍ମଣ ମହାସଂଘର ମୁଖପତ୍ର “ବ୍ରହ୍ମ ସନ୍ଦେଶ” ଭଦ୍ରକର ମାନ୍ୟବର ବିଧାୟକ ସିତାଂଶୁ ସେଖର ମହାପାତ୍ରଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ସଭାପତି ମନ୍ଦରଧର ଦୀକ୍ଷିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଭଦ୍ରକ ଜିଲ୍ଲା ସଂପାଦକ ତଥା ପତ୍ରିକାର ସହସଂପାଦକ ଡଃ. ବସନ୍ତ କୁମାର ଦୀକ୍ଷିତଃ ବରେଣ୍ୟ ଅତିଥିମାନଙ୍କୁ ତଥା ବ୍ରାହ୍ମଣ ବନ୍ଧୁମାନଙ୍କୁ ସ୍ୱାଗତ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ତଥା ଭଦ୍ରକ ଜିଲ୍ଲା କୋଷାଧ୍ୟକ୍ଷ ରାଧାକାନ୍ତ ଦୀକ୍ଷିତଙ୍କ ଦ୍ୱାରା ବେଦପାଠ କରାଯାଇଥିଲା । ରାଜ୍ୟ ସଭାପତି ଡଃ. ସଦାନନ୍ଦ ଦୀକ୍ଷିତଃ ମହାସଂଘର ଉଦ୍ଦେଶ୍ୟ ଓ କାର୍ଯ୍ୟବଳୀ ସଂପର୍କରେ ବିସ୍ତୃତ ସୂଚନା ଦେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ମାନ୍ୟବର ବିଧାୟକ ତାଙ୍କ ଅଭିଭାଷଣରେ ବ୍ରାହ୍ମଣ ସଂଗଠନକୁ ଶକ୍ତିଶାଳୀ କରାଯିବା ଓ ବ୍ରାହ୍ମଣ ସଂଗଠନ ମାଧ୍ୟମରେ ଲୋକହିତକର କାର୍ଯ୍ୟ ସଂପାଦନ ଉପରେ ଗୁରୁତ୍ୱାରୋପ କରିବା ସଂଗେ ସଂଗେ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବିଶିଷ୍ଟ ଅତିଥି ମୁଖ୍ୟଯନ୍ତ୍ରୀ ଇଂ. ସୁବ୍ରତ ଦାଶ ବ୍ରାହ୍ମଣ ସଂଗଠନ ଦ୍ୱାରା ରାଷ୍ଟ୍ର ଓ ଧର୍ମର ସୁରକ୍ଷା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସଂପାଦକ ଡଃ. ବସନ୍ତ ଦୀକ୍ଷିତ ଜିଲ୍ଲା ସଂଗଠନର ଆଭିମୁଖ୍ୟ ତଥା ଜିଲ୍ଲା ସଂଗଠନର ଲୋକହିତକର କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିବା ସଂଗେ ସଂଗେ ମାନ୍ୟବର ବିଧାୟକଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ସଭାପତି ମନ୍ଦରଧର ଦୀକ୍ଷିତ ଆଗାମୀ ସେପ୍ଟେମ୍ବର ମାସରେ ଭଦ୍ରକରେ ଏକ ବିଶାଳ ରାଜ୍ୟସ୍ତରୀୟ ବ୍ରାହ୍ମଣ ସମାବେଶ କରାଯିବାକୁ ଘୋଷଣା କରିଥିଲେ । ପତ୍ରିକାର ଅନ୍ୟତମ ସହସଂପାଦକ ତଥା ଜିଲ୍ଲା ଉପସଭାପତି ଅମର କୁମାର ପାଣିଗ୍ରାହୀ ସଭା ସଂଚାଳନା କରିବା ସଂଗେ ସଂଗେ ପତ୍ରିକାର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ । ସଭାରେ ଉପସ୍ଥିତ ବ୍ରାହ୍ମଣ ବନ୍ଧୁମାନଙ୍କ ମଧ୍ୟରୁ ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ସାମ୍ବାଦିକ ପତଞ୍ଜଳୀ କରଶର୍ମା, ତ୍ରିଲୋଚନ ପଣ୍ଡା, ଶମ୍ଭୁନାଥ ପାଣିଗ୍ରାହୀ, ପଣ୍ଡିତ ନରହରି ଦାସ, ନାରାୟଣ ପାଢ଼ୀ, ବ୍ରାହ୍ମଣ ସଂଗଠନ ସଂପର୍କରେ ନିଜର ମତବ୍ୟକ୍ତ କରିଥିଲେ । ପରିଶେଷରେ ଶ୍ରୀମତୀ ଜାନକୀ ପାଢ଼ୀ ବରେଣ୍ୟ ଅତିଥି, ଉପସ୍ଥିତ ସମସ୍ତ ବ୍ରାହ୍ମଣ ବନ୍ଧୁ ତଥା ମନ୍ଦିର ପରିଚାଳକ ସୁରେନ୍ଦ୍ର ପାଣି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ କୃତଜ୍ଞତା ଅର୍ପଣ କରିବା ସଂଗେ ସଂଗେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁଗ୍ମ ସଂପାଦକ ଗୋପବନ୍ଧୁ ମିଶ୍ର, ସୁରେନ୍ଦ୍ରନାଥ ପଣ୍ଡା, ବିଭୂତି ଭୂଷଣ ତ୍ରିପାଠୀ, ରତ୍ନାକର ଦାଶ, ସୁଶାନ୍ତ ପଣ୍ଡା, ମଦନ ଦାଶ ଆଦି ଶତାଧିକ ବ୍ରାହ୍ମଣ ବନ୍ଧୁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.