Home ଜିଲ୍ଲା ପରିକ୍ରମା ଓଡ଼ିଶାର ଶୁଆଶାରୀରୁ ପଶ୍ଚିମବଂଗ ପର୍ଯ୍ୟନ୍ତ ଚାଲିଛି ଜଂଗଲ ଓ ଖଣିଜସଂପଦ ଲୁଟ୍‌, ନିଷେଧାଦେଶ ଓ ୧୪୪...

ଓଡ଼ିଶାର ଶୁଆଶାରୀରୁ ପଶ୍ଚିମବଂଗ ପର୍ଯ୍ୟନ୍ତ ଚାଲିଛି ଜଂଗଲ ଓ ଖଣିଜସଂପଦ ଲୁଟ୍‌, ନିଷେଧାଦେଶ ଓ ୧୪୪ ଧାରା ଜାରି ସତ୍ୱେ ୫୦ କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ହାନି, ଅସାଧୁ ଅଧିକାରୀଙ୍କ ସହ ଖଣି ଓ ଜଂଗଲ ମାଫିଆଙ୍କ ମଧୁଚନ୍ଦ୍ରିକା

40

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟରେ ବିଜୁ ଜନତା ଦଳ ନେତୃତ୍ୱାଧୀନ ବିଜେଡି ସରକାର ଦୀର୍ଘ ୨୪ ବର୍ଷର ଶାସନ କାଳରେ ଖଣି ଖାଦାନରୁ ମୂଲ୍ୟବାନ ପଥର ଲୁଟିବା କ୍ଷେତ୍ରରେ ଯେଉଁ ପଦଚିହ୍ନ ଛାଡିଯାଇଛି, ତାହା ଏବେ ବିଜେପିର ମୋହନ ସରକାରଙ୍କ ସମୟରେ ଲିଭିପାରିନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଅବିଭକ୍ତ ବାଲେଶ୍ୱର ଜିଲାର ଖଇରା ତହସିଲ ଅଧୀନସ୍ଥ ଶାରୀଶୁଆ ପାହାଡ ଠାରୁ ଲମ୍ବିଥିବା କପ୍ତିପଦା ତହସିଲ ଅଧୀନସ୍ଥ ଶୁଖୁଆପଟା ପାହାଡ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ଏ ସମସ୍ତ ଅଂଚଳକୁ ବାଲେଶ୍ୱର ଓ ମୟୂରଭଂଜ ପ୍ରଶାସନ ଦୀର୍ଘଦିନ ହେବ ନିଷେଧାଂଚଳ ଭାବେ ଘୋଷଣା କରି ୧୪୪ ଧାରା ଲାଗୁ କରିଛନ୍ତି। କିନ୍ତୁ ଜଂଗଲ ମାଫିଆଙ୍କ ରାଜ ଓ ଦୁଇ ଜିଲା ପ୍ରଶାସନର ଅସାଧୁ ଅଧିକାରୀଙ୍କ ସହ ଏମାନଙ୍କ ମଧୁଚନ୍ଦ୍ରିକାରେ ଉପରୋକ୍ତ ନିଷେଧାଂଚଳର ୧୪୪ ଧାରା ପାଣି ଫୋଟକା ଭଳି ମିଳାଇଯାଇଛି। ବର୍ତମାନ ବିଜେପିର ମୋହନ ସରକାର ଖଣି ଖାଦାନର ଚୋରା କାରବାରକୁ ରୋକିବା ଦିଗରେ କଡାକଡି ଭାବେ ଆଇନ୍ ଲାଗୁ କରିଥିଲେ ମଧ୍ୟ ସଂପୃକ୍ତ ଦୁଇ ଜିଲାର ଉପରୋକ୍ତ ଅଂଚଳରେ ଜଂଗଲ ଓ ଖଣି ମାଫିଆମାନେ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଯେଭଳି ଭାବେ ସମସ୍ତ ଅଂକୁଶ ସତ୍ୱେ ଜଂଗଲ ଧ୍ୱଂସ କରି କୋଟି କୋଟି ଟଙ୍କାର ଖଣିଜ ସଂପଦ ଲୁଟ୍ କରୁଛନ୍ତି, ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଏବଂ ଏହା ପ୍ରକାରନ୍ତରେ ବିଜେପି ସରକାରକୁ ବଦନାମ କରିବାର ଏକ ଚକ୍ରାନ୍ତ ବୋଲି ଆଲୋଚନା ହେଉଛି। ବିଶ୍ୱସ୍ତ ସୂତ୍ରରୁ ଯାହା ଜଣାଯାଏ ଅବିଭକ୍ତ ବାଲେଶ୍ୱର ଜିଲାର ଖଇରା ତହସିଲ ଅଧୀନସ୍ଥ ଶାରୀଶୁଆ ପାହାଡ, କପ୍ତିପଦା ତହସିଲ ଅଧୀନସ୍ଥ ଶୁଖୁଆପଟା ପାହାଡ ପର୍ଯ୍ୟନ୍ତ ବ୍ୟାପିଛି।

ବିଶେଷକରି ଖଇରା ତହସିଲ ଅଧୀନସ୍ଥ ଶୁଆଶାରୀ ପାହାଡର ଖଣି ନଂ ୮୪, ୮୬, ୮୭, ୮୯ ଓ ୯୭ ଏବଂ କପ୍ତିପଦା ତହସିଲ ଅଧୀନସ୍ଥ ଖଣି ନଂ ୧, ୨ ଓ ୩ ରେ ଉଭୟ ଜିଲା ପ୍ରଶାସନ ପକ୍ଷରୁ ନିଷେଧାଂଚଳ ଘୋଷଣା ହୋଇ ୧୪୪ ଧାରା (ବର୍ତମାନର ୧୬୩) ଜାରି କରାଯାଇଛି। ମାତ୍ର ଜଂଗଲ ଓ ଖଣି ମାଫିଆମାନେ ଏହି ଦୁଇଟି ତହସିଲ ଅଂଚଳର ନିଷେଧାଂଚଳରୁ ବ୍ଲାଷ୍ଟିଂ କରାଇ ବେଆଇନ୍ ଭାବେ ୱାଗନ ୱାଗନ ଖଣିଜ ସଂପଦକୁ ଶାରୀଶୁଆ ଠାରୁ ପଶ୍ଚିମବଂଗ ପର୍ଯ୍ୟନ୍ତ ଚୋରା ଚାଲାଣ କରିଚାଲିଛନ୍ତି। ଏଠାରେ ପ୍ରକାଶ ଥାଉକି ଏମାନେ ଦିନ ଦ୍ୱିପ୍ରହରରେ ବ୍ଲାଷ୍ଟିଂ କରି ପାଖରେ ଥିବା ମେଗା କ୍ରସର ଶିଳ୍ପକୁ ବ୍ଲାଷ୍ଟିଂ ପଥର ଯୋଗାଇବା ସହ ମାଇନିଂ ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକାରେ ପ୍ରାୟ ୧୫ ହେକ୍ଟର ଜଂଗଲ ନଷ୍ଟ ସହିତ ୭୦ ଫୁଟ୍ ଗଭୀରର ୫୦ କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ହାନି କରିସାରିଲେଣି। ପ୍ରତିମାସ ଏମାନେ ବେଆଇନ୍ ଭାବେ ଅର୍ଥ କାରବାର କରି ୩ ଶହ ହାଇୱା ଟ୍ରକ୍ ଦ୍ୱାରା ପଥରକୁ ପଶ୍ଚିମବଂଗ ପର୍ଯ୍ୟନ୍ତ ଚୋରା ଚାଲାଣ କରୁଛନ୍ତି। ଏ ଦିଗରେ ମାଇନିଂର ସହାୟକ ନିର୍ଦ୍ଦେଶକ ସନ୍ତୋଷ ଦଳାଇ, କପ୍ତିପଦା ରେଂଜର, ତହସିଲଦାର, ଉପଜିଲାପାଳ, ବାରିପଦା ଡିଏଫ୍‌ଓ, ଖଇରା ତହସିଲଦାର, ଥାନା ଆଇଆଇସି, ବାଲେଶ୍ୱର, ବାରିପଦା, କେନ୍ଦୁଝରର ପ୍ରଶାସନିକ ଅଧିକାରୀମାନେ ଦାୟୀ ଅଟନ୍ତି। ଏଣୁ ଓଡ଼ିଶାର ସବୁଠାରୁ ବଡ ଜଂଗଲ, ଖଣିମାଫିଆଙ୍କ ମେଳି ଶୁଆଶାରୀ ଭଳି ଅଂଚଳରୁ ପଶ୍ଚିମବଂଗ ପର୍ଯ୍ୟନ୍ତ ବ୍ୟାପିଥିବାରୁ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.