Home ଜିଲ୍ଲା ପରିକ୍ରମା ଓଏଏସ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ସ୍ୱାତୀଦୀପାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଓଏଏସ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ସ୍ୱାତୀଦୀପାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

31

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ଓଏଏସ୍ ପରୀକ୍ଷାରେ ଭଦ୍ରକ ବ୍ଲକ୍ ଅଧୀନସ୍ଥ କଲେଇ ପଂଚାୟତ ବଳଭଦ୍ରପୁରର ୨୩ ବର୍ଷର ଛାତ୍ରୀ ସ୍ୱାତୀଦୀପା ରାଉତ ୪୬ ନଂ ର‌୍ୟାଙ୍କ ରଖି କୃତିତ୍ୱ ହାସଲ କରିଛନ୍ତି। ସ୍ୱାତୀଦୀପା ଭୁବନେଶ୍ୱରସ୍ଥିତ କଳିଙ୍ଗ ଆଇଏଏସ୍ କୋଚିଂ ସେଂଟରରେ ଅଧ୍ୟୟନ କରୁଥିଲେ। ଭଦ୍ରକ ସେଂଟ୍ରାଲ ସ୍କୁଲରୁ ଶିକ୍ଷା ଆରମ୍ଭ କରିଥିବା ସ୍ୱାତୀଦୀପା ୮୬% ରଖି ଦଶମ ପାସ୍ କରିଥିବାବେଳେ, ଭଦ୍ରକ କଲେଜରୁ +୨ ରେ ୭୫% ଓ ଓଡଶପୁର ଅଟୋନମସ୍ କଲେଜରୁ +୩ ରେ ୭୦% ରଖିଥିଲେ। ସେ ସ୍କୁଲ ଓ କଲେଜରେ ଯଦିଓ ଆଶାନୁରୂପ ସଫଳତା ପାଇନଥିଲେ, ତଥାପି ତାଙ୍କର ଓଏଏସ୍ ହେବାର ଲକ୍ଷ୍ୟ ପୂରଣ ହୋଇଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ସ୍ୱାତୀଦୀପା ଓଡ଼ିଶାରେ ୨୩ ବର୍ଷ ବୟସରେ କେହି ଓଏଏସ୍ ପାଇନଥିବାବେଳେ ପ୍ରଥମ । ସେ କୌଣସି ଚାକିରୀ କରୁନଥିବାରୁ ୮ ଘଂଟା ଲାଇବ୍ରେରୀରେ କଟାଇ ଏଭଳି ସଫଳତା ଆଣିଛନ୍ତି ବୋଲି କହିଛନ୍ତି। ତାଙ୍କର ଏହି ସଫଳତା ପଛରେ ଇଷ୍ଟଦେବତା ରାଧାକୃଷ୍ଣ, ପିତା ପ୍ରକାଶ ରଞ୍ଜନ ରାଉତ, ମା ସସ୍ମିତା ରାଉତ ଓ ପରିବାରର ସମସ୍ତଙ୍କର ଆଶୀର୍ବାଦ ରହିଥିବାବେଳେ ବିଶେଷକରି ଦିବଂଗତ ତାଙ୍କ ଜେବେ ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତଙ୍କ ପ୍ରେରଣା ତାଙ୍କୁ ଏଭଳି ଶ୍ରେୟ ଆଣିଦେଇଛି ବୋଲି ସେ କହିଛନ୍ତି। ତାଙ୍କ ଜେଜେ ସ୍ୱର୍ଗତଃ ରାଉତ ବର୍ତମାନର କଳୁଷିତ ସମାଜକୁ ବଦଳାଇବାର ଯେଉଁ ଲକ୍ଷ୍ୟ ରଖି ଦରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ବିକାଶ ଦିଗରେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାକୁ ପୂରଣ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିବା ସହ ଜଣେ ନାରୀ ଶିକ୍ଷିତ ହେଲେ ଗୋଟିଏ ପରିବାରକୁ ଶିକ୍ଷିତ କରାଇଥାଏ ବୋଲି କହିଛନ୍ତି। ଆଜି ସ୍ୱାତୀଦୀପା ଭୁବନେଶ୍ୱରରୁ ଆସିବା ପରେ ତାଙ୍କୁ ନଳାଙ୍ଗ ଛକରୁ ଶତାଧିକ ମୋଟର ସାଇକେଲ୍ ଓ କାର୍‌ର ଶୋଭାଯାତ୍ରାରେ ନିଆଯାଇ ନିଜ ଗ୍ରାମ ବଳଭଦ୍ରପୁରସ୍ଥିତ ବାସଗୃହରେ ପହଂଚାଇଥିଲେ। ଏହି ଅବସରରେ ସେ ନିଜ ଜେଜେ ହୃଦାନନ୍ଦ ରାଉତ, ଗୟାଧର ରାୟ, କମଳାକାନ୍ତ ରାୟ ଓ ବଡବାପା ସୁରେନ୍ଦ୍ର ରାୟଙ୍କ ପ୍ରତିମୂର୍ତିରେ ପୁଷ୍ପଅର୍ଘ୍ୟ ଦେଇ ଗ୍ରାମରେ ଥିବା ରାଧାକୃଷ୍ଣଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ଶୋଭାଯାତ୍ରାରେ ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ଅଭିନ୍ନ ସାହୁ, ତୁଷାରକାନ୍ତ ପରିଡା, ଅମର ରାୟ, କଲେଇ ସରପଂଚ ନିରଞ୍ଜନ ମଲ୍ଲିକ, ଅନୀଲ କୁମାର ବେହେରା, ଶିକ୍ଷାବିତ୍ ଶଙ୍କର୍ଷଣ ଦାସ, ଅନାଦି ରାଉତ, ବାବୁଲା ରାଉତ, ଅସୀମାନନ୍ଦ ରାୟ, ଚଗୁଲୁ ଦାସ, ଜଗନ୍ନାଥ ରାୟ, ଚନ୍ଦନ ରାଉତ, ରମାକାନ୍ତ ରାୟ, ଆଦିକନ୍ଦ ରାଉତ, ନିର୍ମଳ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ମଳୟ ଜେନା ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.