ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱରେ ସଂସ୍କୃତି ଓ ସଭ୍ୟତାର ଜ୍ୱଳନ୍ତ ପ୍ରତୀକ ଭାବେ ଇତିହାସର ଭୂମିକା ଯୁଗେ ଯୁଗେ ଅତୁଳନୀୟ । ସାମାଜିକ ଜୀବନର ପ୍ରତିଫଳନକୁ ତୋଳି ଧରିବାରେ ଐତିହାସିକମାନଙ୍କର ଯେଉଁ ଅବଦାନ ତାହା ଜନଜୀବନରେ ଚିରକାଳ ସ୍ମରଣୀୟ । ଐତିହାସିକ ଜଗନ୍ନାଥ ପଟ୍ଟନାୟକ ଜୀବଦ୍ଦଶାରେ ନିଜକୁ ଇତିହାସ ଭିତିକ ରଚନା ସୃଷ୍ଟିରେ ନିୟୋଜିତ କରି ଚିରନମସ୍ୟ ହୋଇଛନ୍ତି ବୋଲି ତାଙ୍କ ୨୨ତମ ସ୍ମୃତି ସଂଧ୍ୟାରେ ବିଶିଷ୍ଟ ଐତିହାସିକ ଓ ଗବେଷକମାନେ ମତ ପ୍ରକାଶ କରିଛନ୍ତି । ଭଦ୍ରକ ପୂଜ୍ୟପୂଜା ସଂସଦ ପକ୍ଷରୁ ସଂସ୍କୃତି ଭବନ ପରିସରରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ. ବଳରାମ ମିଶ୍ରଙ୍କ ସଭାପତିତ୍ୱରେ ଶ୍ରାଦ୍ଧ ସମାରୋହ ଅନୁଷ୍ଠିତ ହୋଇଥିଲା । କଳାକାର କାଳନ୍ଦୀ ମଲ୍ଲିକ ଅତିଥିମାନଙ୍କୁ ମଂଚାସୀନ କରିଥିବା ବେଳେ ଅନୁଷ୍ଠାନର ସହସଂପାଦକ ପ୍ରକୃତିବଂଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଗାଳ୍ପିକ ପବିତ୍ର ପାଣିଗ୍ରାହୀ କହିଲେ ଯେ ଜଣେ ଉତମ ଓ ଛାତ୍ରବତ୍ସଳ ଅଧ୍ୟାପକ ଭାବେ ସେ ଯେପରି ପରିଚିତ ଥିଲେ, ସେହିପରି ମଧ୍ୟ ଇତିହାସ ପାଠ୍ୟପୁସ୍ତକ ରଚନାରେ ତାଙ୍କ ଭଳି ନିଷ୍ଠାପର ଲେଖକ ଓଡ଼ିଶାରେ ବିରଳ । ସମ୍ମାନିତ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ରାଇମୋହନ ମହାପାତ୍ର ଯୋଗଦେଇ କହିଲେ ଯେ ଯେଉଁ ଜାତି ଇତିହାସ ପ୍ରତି ସଚେତନ ନୁହେଁ ସେହି ଜାତିର ଜନସାଧାରଣ ସକଳ ବିଷୟରେ ଅଜ୍ଞ ହୋଇରହିଯାଆନ୍ତି । ସେ ଦୃଷ୍ଟିରୁ ଗବେଷକ ପଟ୍ଟନାୟକ ବହୁ ଅଜ୍ଞାତ ତଥ୍ୟକୁ ଆଲୋକକୁ ଆଣିଥିବା ଆନନ୍ଦର ବିଷୟ । କବୟିତ୍ରୀ ଜାନକୀ ପାଢ଼ୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଶିକ୍ଷାବିତ୍ ଭାଗବତ ତ୍ରିପାଠୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଦିବଂଗତ ଡ. ପ୍ରସନ୍ନ କୁମାର ବିଶ୍ୱାଳ ଓ ଅମର କୁମାର ଦାସଙ୍କୁ ଜଗନ୍ନାଥ ପଟ୍ଟନାୟକ ସ୍ମୃତି ସମ୍ମାନ ଅର୍ପଣ କରାଯାଇଥିଲା । ସ୍ୱର୍ଗତ ବିଶ୍ୱାଳଙ୍କ ଧର୍ମପତ୍ନୀ ଉତ୍ପଳା ନାୟକ ଓ ସ୍ୱର୍ଗତ ଦାସଙ୍କ ଧର୍ମପତ୍ନୀ ଭାରତୀ ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ । କବି ଶରତ କୁମାର ଜେନା ଓ ଅଧିବକ୍ତା ମନୋରଂଜନ ଦାସ ମାନପତ୍ର ପାଠ କରିଥିବା ବେଳେ ନାଟ୍ୟଶ୍ରୀ ନିର୍ମଳ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ରାଧାରାଣୀ ମହାପାତ୍ର, ଡ. ପ୍ରଭାତ ନଳୀନୀ ମହାପାତ୍ର, ଅଜୟ ନାୟକ, ମନୋଜ ସ୍ୱାଇଁ, ଅଶୋକ ନାୟକ, ଶାନ୍ତନୁ ରାଉତ, ସୁଧାକର ରାଉତ, ବିପ୍ଳବ ହୋତା, ରଙ୍ଗାଧର ଦାସ, ପଣ୍ଡିତ ଘନଶ୍ୟାମ ଲେଙ୍କା, ଆଶିଷ କୁମାର ରାୟ, ସଂଗ୍ରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଐତିହାସିକ ଜଗନ୍ନାଥ ପଟ୍ଟନାୟକ ସ୍ମୃତି ସଂଧ୍ୟା, ଇତିହାସ ରାଷ୍ଟ୍ରର ସଂସ୍କୃତି ଓ ସଭ୍ୟତାର ଜ୍ୱଳନ୍ତ ପ୍ରତୀକ








