Home ଜିଲ୍ଲା ପରିକ୍ରମା ଏମ୍‌ଏସ୍‌ଏମ୍‌ଇ ବିଭାଗରେ ସହକାରୀ ପରିଚାଳକ ସମୂହ ଅବହେଳିତ

ଏମ୍‌ଏସ୍‌ଏମ୍‌ଇ ବିଭାଗରେ ସହକାରୀ ପରିଚାଳକ ସମୂହ ଅବହେଳିତ

20

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏମ୍‌ଏସ୍‌ଏମ୍‌ଇ ବିଭାଗ ସରକାରଙ୍କ ଦ୍ୱିତୀୟ ବୃହତମ ଅର୍ଥନୀତି ତଥା ରୋଜଗାର ପ୍ରଦାନକାରୀ ବିଭାଗ ଅଟେ । କିନ୍ତୁ ପରିତାପର ବିଷୟ ବର୍ତମାନ କାର୍ଯ୍ୟରତ ହାରାହାରି ୩୫ ଜଣ ସହକାରୀ ପରିଚାଳକଙ୍କ ପ୍ରତି ବିଭାଗର ବୈମାତୃକ ମନୋଭାବ ପରିଲକ୍ଷିତ ହୋଇଛି । ଚଳିତବର୍ଷ ଜାନୁଆରୀ ୧୧ ତାରିଖରେ ପୁନବିନ୍ୟାସ ସମୟରେ ଉପରୋକ୍ତ ଅଧିକାରୀଙ୍କୁ ଅଣଦେଖା କରାଯିବାର ଅଭିଯୋଗ ହୋଇଛି । ସରକାରଙ୍କ ନୂତନ ପୁନର୍ବିନ୍ୟାସ ନୀତି ଅନୁଯାୟୀ ସର୍ବମୋଟ ୫୫୩ ଜଣ ଓଡ଼ିଶା ଶିଳ୍ପ ସେବାରେ ରହିବାର ବ୍ୟବସ୍ଥା ରହିଛି । କିନ୍ତୁ ଉପନିଦ୍ଦେର୍ଶକ / ଉପ ପରିଚାଳକ ପଦବୀରେ ୬୦ ଜଣ ଅଧିକାରୀ ରହିବାର ବ୍ୟବସ୍ଥା ଥିବା ସତ୍ୱେ ବର୍ତମାନ ମାତ୍ର ୨/୩ ଜଣ କାର୍ଯ୍ୟରତ ଅଛନ୍ତି । ଅନୁରୂପ ସହକାରୀ ନିର୍ଦ୍ଦେଶକ ପାଇଁ ୧୧୦ ଜଣ ଅଧିକାରୀ ରହିବାର ବ୍ୟବସ୍ଥା ଥାଇ ମଧ୍ୟ ବର୍ତମାନ କୌଣସି ଅଧିକାରୀ ସେହି ପଦବୀରେ କାର୍ଯ୍ୟରତ ନାହାଁନ୍ତି । ପୁନଃଶ୍ଚ ଶିଳ୍ପ ବିକାଶ ଅଧିକାରୀ ଓ ଶିଳ୍ପ ପର୍ଯ୍ୟବେକ୍ଷକ ପଦବୀରୁ ଦୀର୍ଘ ୩୩/୩୪ ବର୍ଷ ଚାକିରୀ କଲା ପରେ ସହକାରୀ ପରିଚାଳକଙ୍କୁ ପଦୋନ୍ନତି ପାଇଥିବା ହାରାହାରି ୩୫ ଜଣ ଅଧିକାରୀ ବର୍ତମାନ ଅତି ଦୟନୀୟ ଓ ମାନସିକ ଚାପରେ କାର୍ଯ୍ୟ କରୁଛନ୍ତି । ସେମାନେ ସହକାରୀ ପରିଚାଳକ ହିସାବରେ କାର୍ଯ୍ୟ କଲାପରେ ମଧ୍ୟ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ଅବହେଳା ପାଇଁ ଉକ୍ତ ପଦବୀ ପୁନର୍ବିନ୍ୟାସ ସମୟରେ ତାଙ୍କ ବିଭାଗରେ ଥିବା ମୂଳ ପଦବୀ ଯଥା ସହକାରୀ ଶିଳ୍ପ ଅଧିକାରୀ ପଦବୀରୁ ଖସାଇ ଦିଆଯାଇଅଛି । ବିଭାଗରେ ଏପରି ମଧ୍ୟ ଉଦାହରଣ ଅଛି କିଛି ଅଧିକାରୀ ୨୦୧୮ ମସିହାରେ ସହକାରୀ ପରିଚାଳକ (ଲେବୁଲ-୧୦) ନିଯୁକ୍ତି ପାଇ ୨୦୨୪ ସୁଦ୍ଧା ୨ଟି ପଦୋନ୍ନତି ସହ ଯୁଗ୍ମ ନିର୍ଦ୍ଦେଶକ (ଲେବୁଲ-୧୪) ରେ ଅବସ୍ଥାପିତ ହୋଇଛନ୍ତି । ଏହାଦ୍ୱାରା ବର୍ତମାନ କାର୍ଯ୍ୟରତ ସହକାରୀ ପରିଚାଳକମାନେ ମାନସିକ ଦୁଃଶ୍ଚିନ୍ତାରେ ରହିବା ସହ ତାଙ୍କ କନିଷ୍ଠ ପଦରେ ଥିବା ଅଧିକାରୀଙ୍କ ସହ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଏ ବାବଦରେ ପୁନଃବିଚାର ପାଇଁ ବିଭାଗୀୟ ସଚିବ ଓ ନିର୍ଦ୍ଦେଶକଙ୍କୁ ଦାବିପତ୍ର ଦେବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବାରୁ କିଛି ଅଧିକାରୀ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଯାହାକି ନୂତନ ସରକାରଙ୍କୁ କିଛି ବିଭାଗୀୟ ଅଧିକାରୀଙ୍କ ତୃଟିପୂର୍ଣ୍ଣ ନିଷ୍ପତି ଯୋଗୁଁ ସମାଲୋଚିତ ହେବାକୁ ପଡୁଛି । ଏଣୁ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ବନ୍ଧରେ ପୁନଃବିଚାର କରିବା ପାଇଁ ପୁନର୍ବିନ୍ୟାସ ପୂର୍ବରୁ ଥିବା ସହକାରୀ ପରିଚାଳକ ସମୂହ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.