Home ଜିଲ୍ଲା ପରିକ୍ରମା ଏଣିକି ବର୍ଷକୁ ୪ଥର ଭୋଟର ତାଲିକାରେ ପ୍ରବେଶ ଯୋଗ୍ୟତା ରହିବ

ଏଣିକି ବର୍ଷକୁ ୪ଥର ଭୋଟର ତାଲିକାରେ ପ୍ରବେଶ ଯୋଗ୍ୟତା ରହିବ

31

ନୟାଗଡ଼, ୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଅପରାହ୍ନରେ ଇଲେକ୍‌ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକା ସଂଶୋଧନ, ନୂତନ ଭୋଟର ପଂଜୀକରଣ ଏବଂ ଆଧାର ସଂଯୋଗୀକରଣ ଉପରେ ଏକ ସାମ୍ବାଦିକ ସମ୍ମିଲନୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ରାଉତ ସାମ୍ବାଦିକମାନଙ୍କୁ ସ୍ୱାଗତ ଜଣାଇ କହିଥିଲେ ଯେ, ପୂର୍ବରୁ ଏ ବାବଦରେ ବ୍ୟବହାର କରାଯାଉଥିବା ଫର୍ମଗୁଡ଼ିକ ଯଥା- ଫର୍ମ ନଂ-୬ ଓ ୭ ସରଳୀକରଣ କରାଯାଇ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସେହିପରି ଫର୍ମ ନଂ-୮ରେ ଆଗରୁ ଭୋଟର ତାଲିକାରେ ତ୍ରୁଟି ଥିବା ବିବରଣୀ ଗୁଡ଼ିକର ସଂଶୋଧନ କରାଯାଉଥିଲା। କିନ୍ତୁ ବର୍ତମାନ ଏହି ଫର୍ମରେ ତ୍ରୁଟି ସଂଶୋଧନ ସହ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ, ଭୋଟର ପରିଚୟ ପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ ନିମନ୍ତେ ମଧ୍ୟ ବ୍ୟବହାର କରାଯାଇପାରିବ। ଏତଦ୍ ବ୍ୟତୀତ ପୂର୍ବରୁ ଭୋଟର ତାଲିକାରେ ନୂତନ ଭୋଟର ପଂଜୀକରଣ ନିମନ୍ତେ ପ୍ରତ୍ୟେକ ବର୍ଷ ଜାନୁଆରୀ ୧ତାରିଖକୁ ଭୋଟରଙ୍କ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରାଯାଉଥିଲା। କିନ୍ତୁ ତାହାକୁ ପରିବର୍ତ୍ତନ କରାଯାଇ ବର୍ତମାନ ତା.୦୧.୦୮.୨୦୨୨ରିଖ ଠାରୁ ନୂତନ ଭୋଟର ପ୍ରବେଶ ତାରିଖ ଜାନୁଆରି ୧ ସହ ଅପ୍ରେଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧ ଏହିପରି ବର୍ଷକୁ ୪ଟି ପର୍ଯ୍ୟାୟରେ ଭୋଟର ତାଲିକାରେ ପ୍ରବେଶର ଯୋଗ୍ୟତା ଭାବେ ଗ୍ରହଣ କରାଯାଇଅଛି। ସେ ଆହୁରି କହିଥିଲେ ଯେ, ତା.୦୪.୦୮.୨୦୨୨ରିଖ ଠାରୁ ତା. ୨୪.୧୦.୨୦୨୨ରିଖ ମଧ୍ୟରେ ଭୋଟର ତାଲିକା ସଂଶୋଧନର ପୂର୍ବ କାର୍ଯ୍ୟକ୍ରମ ଗୁଡ଼ିକ କରାଯିବ ଯଥା- ମତଦାନ କେନ୍ଦ୍ରର ନିର୍ଦ୍ଧାରଣ ଓ ପରିବର୍ତ୍ତନ, ଭୋଟର ତାଲିକାର ଅସଙ୍ଗତି ଦୂରୀକରଣ, ଭୋଟରମାନଙ୍କର ଉନ୍ନତମାନର ଫଟୋ ସଂଗ୍ରହ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ। ଏହି କାର୍ଯ୍ୟକ୍ରମଗୁଡ଼ିକ ତା.୦୯.୧୧.୨୦୨୨ରିଖ ଠାରୁ ଆରମ୍ଭ କରାଯିବ। ତା.୦୯.୧୧.୨୦୨୨ରିଖ ଠାରୁ ତା.୦୮.୧୨.୨୦୨୨ରିଖ ପର୍ଯ୍ୟନ୍ତ ଭୋଟରମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କର ଫର୍ମ ପୂରଣ କରି ଦାଖଲ କରିପାରିବେ। ଏହି ସମୟ ମଧ୍ୟରେ ବିଏଲ୍‌ଓମାନଙ୍କ ଦ୍ୱାରା ପଂଜୀକରଣ ନିମନ୍ତେ ସ୍ୱତନ୍ତ୍ର ଅଭିଯାନମାନ କରାଯିବ। ତା.୨୬.୧୨.୨୦୨୨ଦିନ ଭୋଟରମାନଙ୍କ ଠାରୁ ଗ୍ରହଣ କରାଯାଇଥିବା ଅଭିଯୋଗଗୁଡ଼ିକର ସମାଧାନ କରାଯିବ। ତା.୦୩.୦୧.୨୦୨୩ରିଖରେ ନିର୍ବାଚନ ଆୟୁକ୍ତଙ୍କ ଠାରୁ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶନର ଅନୁମତି ପରେ ତାହା ୦୫.୦୧.୨୦୨୩ଦିନ ଏହା ବିଧିବଦ୍ଧ ଭାବେ ପ୍ରକାଶ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସାମ୍ବାଦିକମାନଙ୍କ ସହ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.