Home ଜିଲ୍ଲା ପରିକ୍ରମା “ଏକ ଦେଶ ଏକ ନିର୍ବାଚନ’ ସ୍ଳୋଗାନ ହେଉଛି ଆମ ଦେଶର ସଂଘୀୟ ବ୍ୟବସ୍ଥାକୁ ଧ୍ୱଂସ କରିବାର...

“ଏକ ଦେଶ ଏକ ନିର୍ବାଚନ’ ସ୍ଳୋଗାନ ହେଉଛି ଆମ ଦେଶର ସଂଘୀୟ ବ୍ୟବସ୍ଥାକୁ ଧ୍ୱଂସ କରିବାର ଆୟୁଧ : ଆଲୋଚନା ଚକ୍ରର ନିର୍ଯ୍ୟାସ

2

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତିର ଜନକ ମହାମାନବ ମହାତ୍ମାଗାନ୍ଧୀଙ୍କ ୭୭ ତମ ସହୀଦ ଦିବସ ପାଳନ ଅବସରରେ ଭାରତର କମ୍ୟୁନିଷ୍ଟ ପାର୍ଟି ( ମାର୍କ୍ସବାଦୀ ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ” ଏକ ଦେଶ ଏକ ନିର୍ବାଚନ ଆଇନର ଆବଶ୍ୟକତା ଅଛି କି !’ ସଂପର୍କିତ ଏକ ଆଲୋଚନା ଚକ୍ର ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ପ୍ରଫୁଲ୍ଲ ପାଢୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୨୦୨୪ ଡିସେମ୍ବର ୧୭ ତାରିଖରେ ମୋଦି ସରକାରଙ୍କ ପକ୍ଷରୁ ଲୋକସଭା ରେ ଦୁଇଟି ବିଲ୍ ଆଗତ କରାଯାଇଥିଲା । ସଂସଦରେ ଦୁଇ ତୃତୀୟାଂସ ସଂଖ୍ୟା ଗରିଷ୍ଠତାରୁ କମ୍ ଭୋଟ ମିଳିଥିବା ରୁ ବିଲ୍ ଦୁଇଟି ଗୃହୀତ ହୋଇପାରିଲା ନାହିଁ । ୧୨୯ ତମ ସମ୍ବିଧାନ ସଂଶୋଧନ ବିଲ୍ ଓ କେନ୍ଦ୍ର ଶାସିତ ଅଂଚଳ ଆଇନ ସଂଶୋଧନ ବିଲ ମାଧ୍ୟମରେ ଦେଶର ସଂସଦୀୟ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା କୁ ଭାଙ୍ଗିବା ପାଇଁ ମୋଦି ସରକାର ଷଡଯନ୍ତ୍ର କରିଥିଲେ । ଦୁଇ ତୃତୀୟାଂସ ସଂଖ୍ୟା ଗରିଷ୍ଠତା ନଥିବା ଜାଣି ମୋଦି ସରକାର ବିଲ୍ ଆଗତ କରିବା ଥିଲା ଅଭିସନ୍ଧିମୂଳକ ।ସରକାରଙ୍କ ଉଦ୍ଦେଶ୍ୟ ହେଲା ପ୍ରସଙ୍ଗଟିକୁ ସଂସଦରେ ବଂଚାଇ ରଖି ଅନୁକୂଳ ପରିସ୍ଥିତି ରେ ସମୟ ଦେଖି ପାରିତ କରାଇନେବା । ଆମ ସମ୍ବିଧାନ ଧାରା-୧ ରେ ଉଲ୍ଲେଖ ଅଛି ଯେ ଭାରତ ହେଉଛି ରାଜ୍ୟ ମାନଙ୍କର ଏକ ୟୁନିୟନ । ରାଜ୍ୟ ସରକାର ଗୁଡିକର ମତାମତ ନନେଇ ଏହି ବିଲ୍ ଆଣିବା ହେଉଛି ମୋଦି ସରକାରଙ୍କ ଏକଛତ୍ରବାଦୀ ଶାସନର ନମୁନା ଅଟେ । ୧୨୯ ତମ ସମ୍ବିଧାନ ସଂଶୋଧନ ବିଲ୍ ଆଣି ସମ୍ବିଧାନର ଧାରା- ୮୨ , ଧାରା- ୮୩, ଧାରା- ୧୭୨, ଧାରା-୩୨୭ ସଂଶୋଧନ ପାଇଁ ମୋଦି ସରକାର ପ୍ରସ୍ତାବ ରଖିଥିଲେ ।ଆମ ଦେଶର ପ୍ରଥମ ଓ ଦ୍ୱିତୀୟ ସାଧାରଣ ନିର୍ବାଚନରେ ଏକକାଳୀନ ନିର୍ବାଚନ ହୋଇଥିଲା । କିନ୍ତୁ ୧୯୫୭ ମସିହାରେ କ୍ଷମତାସୀନ କେରଳ ରାଜ୍ୟର ଇଏମ୍‌ଏସ୍ ନମ୍ବୁଦ୍ରିପଦ ନେତୃତ୍ୱାଧିନ କମ୍ୟୁନିଷ୍ଟ ସରକାର ଙ୍କୁ ୧୯୫୯ ମସିହାରେ ୩୫୬ ଧାରା ଅପପ୍ରୟୋଗ କରି ଭାଙ୍ଗି ଦେଇଥିଲେ ଓ ୧୯୬୨ ଫେବୃଆରୀ ୧୫ ରେ ଓଡିଶା ର ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେବାରୁ ୧୯୬୨ ସାଧାରଣ ନିର୍ବାଚନରେ ଓଡିଶା ଓ କେରଳରେ ବିଧାନସଭା ନିର୍ବାଚନ ସାଧାରଣ ନିର୍ବାଚନ ସହ ଅନୁଷ୍ଠିତ ହୋଇପାରି ନଥିଲା । ଆମ ଦେଶର ବିଭିନ୍ନ ସମୟରେ ରାଜନୈତିକ ସଂକଟ କାରଣରୁ ବିଭିନ୍ନ ରାଜ୍ୟ ର ବିଧାନସଭା ନିର୍ବାଚନ ଭିନ୍ନ ଭିନ୍ନ ସମୟରେ ଅନୁଷ୍ଠିତ ହେଉଛି । ଯେଉଁଠି ବିଧାନସଭା ମଧ୍ୟ ବର୍ତୀ ସମୟରେ ଭଙ୍ଗ ହେଉଛି ସେଠି ମଧ୍ୟ ବର୍ତୀ କାଳୀନ ନିର୍ବାଚନ ହେଉଛି ।ଏହା ବିଶ୍ୱବ୍ୟାପୀ ଗଣତାନ୍ତ୍ରିକ ବ୍ୟବସ୍ଥା ଅଟେ । ଏହି ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା କୁ ଭାଙ୍ଗି ଏକଛତ୍ରବାଦୀ ହିନ୍ଦୁତ୍ୱବାଦୀ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା କରିବା ପାଇଁ ମୋଦି ସରକାରଙ୍କ “ଏକ ଦେଶ ଏକ ନିର୍ବାଚନ’ ପ୍ରସଙ୍ଗର ଚକ୍ରାନ୍ତ କୁ ଆଲୋଚନା ଚକ୍ରରେ ତୀବ୍ର ନିନ୍ଦା କରାଯାଇଥିଲା ।ଏକ କାଳୀନ ନିର୍ବାଚନ କରାଗଲେ ଅର୍ଥନୀତି ର ଅଭିବୃଦ୍ଧି ହାର ବଢିବ ଓ ମୁଦ୍ରାସ୍ଫୀତି ନିମ୍ନ ସ୍ତରରେ ରହିବ ବୋଲି ମୋଦି ସରକାର ଯେଉଁ ଯୁକ୍ତି ଉପସ୍ଥାପନ କରୁଛନ୍ତି ତାହା ସଂପୂର୍ଣ୍ଣ ଭିତିହୀନ ଅଟେ । ତା’ହେଲେ ଯେଉଁ ଦେଶରେ ଏକଛତ୍ରବାଦୀ ଶାସନ ଚାଲିଛି ବା ଆଦୌ ନିର୍ବାଚନ ହେଉନାହିଁ, ସେହି ଦେଶ ଗୁଡିକ ରେ ଅଭିବୃଦ୍ଧି ହାର ଉଚ୍ଚ ହୋଇ ରୁହନ୍ତା ବୋଲି ଆଲୋଚକ ମାନେ କଟାକ୍ଷ କରି କହିଥିଲେ । “ଏକ ଦେଶ ଏକ ନିର୍ବାଚନ’ ନାମକ ପ୍ରଚାର ପ୍ରହସନ ବଂଦ କରି ଆମ ଦେଶର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା, ଆମ ଦେଶର ଉଚ୍ଚଶିକ୍ଷା ମାଗଣାରେ ଯୋଗାଇବା, ସ୍ୱିଡେନ ଓ ବେଲଜିୟମ ଭଳି ଆମ ଭାରତରେ ସମାନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳନ କରିବା, ରାଜନୈତିକ ଦଳମାନଙ୍କୁ କଂପାନି ମାନେ ଚାନ୍ଦା ଦେବା ବ୍ୟବସ୍ଥା କୁ ନିଷିଦ୍ଧ ଘୋଷଣା କରିବା, ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳ ଗୁଡିକୁ ପ୍ରଚାର ସାମଗ୍ରୀ ରାଷ୍ଟ୍ର ଯୋଗାଇ ଦେଲେ ଆମ ଦେଶର ରାଜନୈତିକ ସଂସ୍କାର ହୋଇ ପାରିବ ବୋଲି ଆଲୋଚକ ମାନେ ଏହି ଆଲୋଚନା ମାଧ୍ୟମରେ ବିକଳ୍ପ ପ୍ରସ୍ତାବ ଦେଇଥିଲେ । ଏହି ଆଲୋଚନା ସଭାରେ ଓଡିଶାର ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀଯୁକ୍ତ ସନ୍ତୋଷ ଦାସ, ବିଶିଷ୍ଟ ସାମ୍ବାଦିକ ରବି ଦାସ, ସିପିଆଇ(ଏମ) ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ, ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଭାସ ମହାପାତ୍ର, ବରିଷ୍ଠ ସିପିଆଇ(ଏମ) ନେତା ଚନ୍ଦ୍ରଶେଖର ନାୟକ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ରାଧାନାଥ ଦାସ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଆଇନଜୀବୀ ଜୟନୁଲ ଆବେଦିନ, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଉପସଭାପତି ମଳୟ ଭୋଇ, ଯୁବ ନେତା ବିନୋଦ ସାହୁ, ଯୁବ ନେତା ଉଜ୍ୱଳ ଜେନା, ଯୁବ ନେତା ପ୍ରତାପ ସେଠୀ, ଇଂ କାହ୍ନୁ କିଶୋର ସାହୁ ପ୍ରମୁଖ ଆଲୋଚନା ଚକ୍ର ପରିଚାଳନାରେ ସହଯୋଗ କରିଥିଲେ । ଏହି ଆଲୋଚନା ସଭା ର ଭଦ୍ରକ ଜିଲ୍ଲାର ବହୁ ବୁଦ୍ଧିଜୀବି, ଚାଷୀ, ଭାଗଚାଷୀ, କ୍ଷେତମଜଦୂର, ଛାତ୍ର, ଯୁବ ଓ ମହିଳା ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.