ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମେ ସମସ୍ତେ ଏକ ହେଲେ ଆମ ଦେଶର ଅଖଣ୍ଡତା ବଜାୟ ରହିବା ସହିତ ଉନ୍ନତି ସମ୍ଭବ ହେବ। ଆମେ ସମସ୍ତେ ଜାଣି ରଖିବା ଉଚିତ ଆମେ ସମସ୍ତେ ପ୍ରଥମେ ଭାରତୀୟ ପରେ ହିନ୍ଦୁ କି ମୁସଲିମ୍ ବା ଅନ୍ୟ ଧର୍ମର। ପ୍ରତ୍ୟେକ ସମସ୍ୟାକୁ ସମ୍ଭାବନାରେ ପରିଣତ କରିପାରିଲେ ଆପେ ଆପେହିଁ ସମସ୍ୟା ସମାଧାନ ହୋଇପାରିବ। ସମସ୍ୟା ସମାଧାନର ବାଟ ଖୋଜି ପାଇବା ଜୀବନର ଏକ କଳା। ସେ କଳାକୁ ହାସଲ କରିବା ସମସ୍ତଙ୍କର ଈପସିତ ଲକ୍ଷ୍ୟ ହେଲେ ପ୍ରଗତିରେ ଅନ୍ତରାୟ ରହିବନାହିଁ ବୋଲି ଭଦ୍ରକ ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ରୀଡ଼ା ପ୍ରାନ୍ତରରେ ଆୟୋଜିତ ଏହି ଉତ୍ସବ ସ୍ଥଳୀରେ ପହଂଚି ଜିଲ୍ଲାପାଳ ଠିକ୍ ଘ.୮.୩୦ ମି ସମୟରେ ଜାତୀୟ ପତାକା ଉତୋଳନ କରି ସାଲ୍ୟୁଟ ଜଣାଇଥିଲେ। ପୁଷ୍ପ ସୁସଜ୍ଜିତ ଏକ ଖୋଲା ଗାଡ଼ିରେ ସମସ୍ତ ପ୍ୟାରେଡ଼ ଦଳଙ୍କୁ ପରିଦର୍ଶନ କରି ଦେଶାତ୍ମବୋଧକ ଉଦ୍ବୋଧନରେ ସମସ୍ତଙ୍କ ମନରେ ଜାତୀୟତାର ଭାବ ଭରିଦେଇଥିଲେ। ପ୍ୟାରେଡ଼୍ରେ ଅଂଶ ଗ୍ରହଣ କରିଥିବା ସମୁଦାୟ ୩୭ ଗୋଟି ଦଳର ମାର୍ଚ୍ଚପାଷ୍ଟରେ ସେ ଅଭିବାଦନ ଗ୍ରହଣ କରିଥିଲେ। ପରେ ପରେ ରଙ୍ଗାରଙ୍ଗ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଟାଇକୋଣ୍ଡ କ୍ରୀଡ଼ା ପ୍ରଦର୍ଶନ କରାଯାଇଥିଲା। ଏହି ଉତ୍ସବ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, କ୍ୱିଜ, ସଙ୍ଗୀତ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ପ୍ୟାରେଡ଼୍ରେ ଅଂଶ ଗ୍ରହଣ କରିଥିବା ଏନ୍.ସି.ସି. ସିନିୟର, ଏନ୍.ସି.ସି. ଜୁନିୟର, ସ୍କାଉଟ, ଗାଇଡ଼୍, ରେଡ଼କ୍ରସ, ସିଭିଲିଆନ୍ ଆଦି ସମସ୍ତ ଦଳର ଶ୍ରେଷ୍ଠ ବିବେଚିତ ୧,୨ୟ,୩ୟ ଦଳ ମାନଙ୍କୁ ବଡ଼ ଆକାରର ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ସାଂସ୍କୃତିକ ଦଳ, ଟାଏକୋଣ୍ଡ ଦଳକୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଚିତ୍ର ଶିଳ୍ପୀ ସ୍ନେହା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବ ପାଳନରେ ପଡ଼ିଆ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଂଚି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଶୁଂ ଶେଖର ବଳଙ୍କ ତତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିର ପରିଦର୍ଶନ କରିବା ସହିତ ଜିଲ୍ଲାସ୍କୁଲ ଓ ଭଦ୍ରକ ବସ୍ ସିଣ୍ଡିକେଟ୍ ଆନୁକୂଲ୍ୟରେ ରୋଗୀମାନଙ୍କ ମଧ୍ୟରେ ଫଳ ଓ ବିସ୍କୁଟ୍ ବଂଟନ କରିଥିଲେ। ଦିବସ ଭିତିକ ଅନ୍ତିମ କାର୍ଯ୍ୟକ୍ରମ ଭାବେ ସଂସ୍କୃତି ଭବନରେ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଭଦ୍ରକ ଆନୁକୂଲ୍ୟରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏସ୍.ପି. ମାଡ଼କର ସନ୍ଦୀପ ସମ୍ପତ ଜିଲ୍ଲାପାଳଙ୍କ ସହ ପତାକା ମଂଚରେ ଉପସ୍ଥିତ ରହିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଏସ୍.ପି. ବାମଦେବ ସ୍ୱାଇଁ, ଅରୂପ ଅଭିଷେକ ବେହେରା ଓ ଅଂଶୁମାନ ଦ୍ୱିବେଦୀ, ସହକାରୀ ଜିଲ୍ଲାପାଳ କାର୍ତିକନାଥ ମଣ୍ଡଳ, ତହସିଲଦାର ଭଦ୍ରକ ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନା ଓ ଆବାହକତ୍ୱରେ ଅନୁଷ୍ଠିତ ଏହି ଦିବସ ଭିତିକ କାର୍ଯ୍ୟକ୍ରମ ପରିଚାଳନାରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ସାମ୍ବାଦିକ ରୋଟାରିଆନ ଅତିସ୍ କୁମାର ବେହେରା ସମ୍ପୃକ୍ତ ବିଭାଗୀୟ କର୍ମଚାରୀ ଆନୁସଙ୍ଗିକ ସହଯୋଗ କରିଥିଲେ। ଆର.ଆର ପୋଲିସ ରାକେଶ କୁମାର ସ୍ୱାଇଁ ଓ ସର୍ଜେଂଟ ବାବା ପୁଷ୍କରନାଥ ପଣ୍ଡା ପ୍ୟାରେଡ଼ ପରିଚାଳନା କରିଥିଲେ। ଆର୍ଟ କଲେଜର ଅଧ୍ୟକ୍ଷ ମନୋଜ ଭଟ୍ଟାଚାର୍ଯ୍ୟଙ୍କ ତତ୍ୱାବଧାନରେ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସେଠାରେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା, ଧାମନଗର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସୁବାଷ ଚନ୍ଦ୍ର ମଲ୍ଲିକ୍ ଏବଂ କଲେଜ ଅଧ୍ୟାପକ ଅଶ୍ୱିନୀ ପଣ୍ଡା, ନାରଣ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଦିବସ ଉପଲକ୍ଷେ ପ୍ରତ୍ୟୁଷରୁ ଲୋକସମ୍ପର୍କ ବିଭାଗ ଦ୍ୱାରା ପୌରାଂଚଳରେ ରାମଧୂନ ପରିକ୍ରମା କରାଯାଇଥିଲା। ଭଦ୍ରକ ସହର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଅବସ୍ଥିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା।