ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବହୁ ଚର୍ଚ୍ଚିତ ଏରେଇଁ ସେବା ସମବାୟ ସମିତି ନିର୍ବାଚନରେ ପ୍ରକାଶଜ୍ୟୋତି ମହାକୁଡ ନିଦ୍ୱନ୍ଦ୍ୱର୍ରେ ସଭାପତି ଭାବେ ନିର୍ବାଚିତ ହେବା ପରେ ଭଦ୍ରକ ଜିଲା ଏଆରସିଏସ୍ ସଦାନନ୍ଦ ବେହେରାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଧାନ ପଂଜିକରଣ ଓ ଚାଷୀଙ୍କ ସ୍ୱାର୍ଥ କ୍ଷେତ୍ରରେ ସହଯୋଗ କାମନା କରିଛନ୍ତି। ଏହି ଅବସରରେ ସେ ୩ଟି ପଞ୍ଚାୟତ ଓ ୧୬ଟି ୱାର୍ଡକୁ ନେଇ ଗଠିତ ଏରେଇଁ ସେବା ସମବାୟ ସମିତି ଅଧୀନରେ ଥିବା ସମସ୍ତ ଚାଷୀମାନଙ୍କ ମୌଳିକ ସମସ୍ୟା ଯଥା ଧାନ ପଂଜିକରଣ, ଧାନକ୍ରୟ, ସାର କ୍ରୟ, ଚାଷୀଋଣ, ଚାଷ ଉପକରଣ କେମିତି ସୁବିଧାରେ ପାଇପାରିବେ, ସେଥିପାଇଁ ସେଦିଗରେ ସେ ଉପଯୁକ୍ତ ଧ୍ୟାନଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ଏବଂ ସେବା ସମବାୟ ସମିତିର ଜରାଜୀର୍ଣ୍ଣ ଘର ଓ ପାଚେରୀକୁ ମରାମତି କରିବାରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ, ପ୍ରାକ୍ତନ ବିଧାୟକ ନରେନ ପଲେଇ, ପୌରାଧ୍ୟକ୍ଷା ଗୁଲମକୀ ହବିବ୍, ବିଜେପିର ଜିଲା ସଭାପତି ହେମନ୍ତ ପାଢୀ ଏବଂ ବରିଷ୍ଠ ନେତା ଡାକ୍ତର ପ୍ରଦୀପ ନାୟକ, ବଣିଆ ଗ୍ରାମପଞ୍ଚାୟତର ସରପଞ୍ଚ ତଥା ବିଜେପିର ଯୁବନେତା ଅଜୟ ସାମଲ, ପ୍ରାକ୍ତନ କାଉନସିଲର ଶରତ ପଢିଆରୀ, ଏରେଇଁ ଗ୍ରାମପଞ୍ଚାୟତର ଯୁବ ବିଜେପି ନେତା ଅମୂଲ୍ୟ ବେହେରା, ପରସିଙ୍ଗାର ବିଜେପି ଯୁବନେତା ବାବୁଲି ମହାନ୍ତି, ସୋନୁ କେଶି ଓ ଭଦ୍ରକର ଟାଣୁଆ ଯୁବନେତା ଜାହିଦ ହବିବ୍ଙ୍କୁ କୃତଜ୍ଞତା ଜ୍ଞାପନ ସହ ଆଗାମୀ ଦିନରେ ସମିତି ଏବଂ ଚାଷୀମାନଙ୍କ ଉନ୍ନତି ପାଇଁ ସହଯୋଗ ଭିକ୍ଷା କରିଛନ୍ତି। ଅନୁରୂପ ଏଆରସିଏସ୍ ସଦାନନ୍ଦ ବେହେରା ପ୍ରଥମେ ସଭାପତି ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହ ଦୁଇବର୍ଷ ପୂର୍ବରୁ ହେବାକୁ ଥିବା ନିର୍ବାଚନ ସୁରୁଖୁରୁରେ ସଂପନ୍ନ ହୋଇଛି। ଏବଂ ସେଣ୍ଟ୍ରାଲ କୋ-ଅପରେଟିଭ୍ ସୋସାଇଟିର ନିର୍ବାଚନ ଆଗକୁ ଥିବାରୁ ରାଜ୍ୟ ତରଫରୁ ଆସନ୍ତା ଅଗଷ୍ଟ ୧୦ ରେ ଏହି ସଂପର୍କରେ ଏକ ବୈଠକର ନିଷ୍ପତ୍ତି ହୋଇଥିବାର ସେ ଜଣାଇଛନ୍ତି। ସଭାପତି ସମିତିର ଆର୍ଥିକ ଉନ୍ନତି ଦିଗରେ ଯତ୍ନବାନ ହେବା ସହିତ ଚାଷୀଙ୍କ ମୌଳିକ ସମସ୍ୟାର ସମାଧାନ ସହ ଏରେଇଁ ସେବା ସମବାୟ ସମିତିର ପୂର୍ବ ଗୌରବ ଫେରାଇ ଆଣିବାକୁ ପରାମର୍ଶ ଦେଇଥିଲେ।