ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚନ୍ଦ୍ର ଦର୍ଶନ ଅନୁଯାୟୀ ଚଳିତ ମାସ ୩୧ କିମ୍ବା ଆଗାମୀ ଏପ୍ରିଲ ୧ ତାରିଖରେ ପାଳିତ ହେବାକୁ ଥିବା ଉଦ୍-ଉଲ୍-ଫିତର ପର୍ବ ଉପଳକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଦ୍ଭାବନା ସଭାଗୃହରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ.ପି ମାଡ଼କର ସନ୍ଦୀପ ସମ୍ପତ, ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଓ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଏସ୍.ପି ଡ଼ି.ଆଇ.ବି. ଅଂଶୁମାନ ଦ୍ୱିବେଦୀ, ସିଟି ଡ଼ି.ଏସ୍.ପି. ସମ୍ବିତ କୁମାର ମାଝୀ, ଡ଼େପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇ ଥିଲେ । ବୈଠକର ପ୍ରାରମ୍ଭରେ ମୁସଲିମ୍ ଜମାତର ପ୍ରାକ୍ତନ ସଭାପତି ସ୍ୱର୍ଗତ ଅବଦୁଲ ବାରି, ଶାନ୍ତି କମିଟିର ସଦସ୍ୟ ଅଧିବକ୍ତା ନିରାକାର ଜେନାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ଲେଖାଏଁ ନୀରବ ପ୍ରାର୍ଥନା କରାଯାଇଥିଲା । ରମଜାନ ମାସର ଶେଷ ଦିନରେ ଚନ୍ଦ୍ର ଦର୍ଶନର ପରବର୍ତୀ ଦିନ ଇଦ୍ପର୍ବ ପାଳନ ହୁଏ ଏବଂ ଚଳିତ ବର୍ଷ ଏହା ମାର୍ଚ୍ଚ ୩୧ କିମ୍ବା ଏପ୍ରିଲ ୧ରେ ପାଳନ କରାଯିବା ନେଇ ବୈଠକରେ ମୁସଲିମ୍ ଜମାତ୍ର ସମ୍ପାଦକ ଅବଦୁଲ ମୋକିତ ଖାଁ ପ୍ରକାଶ କରିଥିଲେ । ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ଖୁସି, ତ୍ୟାଗ, ଦାନ, ସ୍ନେହ, ପ୍ରୀତି, ଭାଇଚାରାର ପବିତ୍ର ପର୍ବ ଇଦ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାଳିତ ହେବ ବୋଲି ସେ ପ୍ରକାଶ କରିଥିଲେ । ତାଙ୍କ ଦ୍ୱାରା ବୈଠକରେ ପ୍ରଦତ୍ତ ସୂଚନା ଅନୁଯାୟୀ ଇଦ୍ ପର୍ବ ପାଳନ ଦିନ ଇଦ୍ଘାରେ ସକାଳ ୭ଟାରୁ ଦିନ ୧୦ଟା ମଧ୍ୟରେ ସାମୂହିକ ନମାଜ ପାଠ ଓ ପର୍ବ ପାଳନ ଅବସରରେ ୧୫ ରୁ ୨୦ ହଜାର ଶ୍ରଦ୍ଧାଳୁ ମାନଙ୍କର ସମାବେଶ ହେବାର ସମ୍ଭାବନା ଅଛି । ପ୍ରଦତ୍ତ ସୂଚନା ମତେ ଇଦ୍ଗାହା ସହିତ ଭଦ୍ରକ ପୁରୁଣା ବଜାର ଥାନା ଅଞ୍ଚଳରେ ୩୭ଟି, ସହରାଂଚଳ ଥାନା ଅଂଚଳରେ ୮ଟି, ଗ୍ରାମାଂଚଳ ଥାନାରେ ୧୮ଟି, ଧାମନଗରରେ ୧୭ଟି, ବାସୁଦେବପୁରରେ ୧୭ଟି, ବନ୍ତରେ ୧୦ଟି, ଧାମରାରେ ୮ଟି, ଧୁଷୁରିରେ ୬ଟି, ତିହିଡ଼ିରେ ୫ଟି, ଆଗରପଡ଼ାରେ ୬ଟି, ପୀରହାଟରେ ୩ଟି, ଚାନ୍ଦବାଲିରେ ୩ଟି, ଭଣ୍ଡାରିପୋଖରୀରେ ୩ଟି ଜିଲ୍ଲାର ସମୁଦାୟ ୧୪୦ଟି ମସଦିଦ୍ରେ ନମାଜ ପାଠ କରାଯିବ । ଶାନ୍ତି ଶୃଙ୍ଖଳାର ସହିତ ଏହି ପର୍ବ ପାଳନ ନିମନ୍ତେ ମୁସଲିମ୍ ଜମାତ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଇଦ୍ଘା ଓ ପୁରୁଣାବଜାର ଥାନାରେ ଆମ୍ବୁଲାନ୍ସ ରହିବା, ଇଦ୍ଘାରେ ପାଣି ଟ୍ୟାଙ୍କର ରଖାଯିବା ସହିତ ସଫେଇ, ରାତିରେ ଜଗିବା ପାଇଁ ପୋଲିସ୍ ବ୍ୟବସ୍ଥା, ସରକାର ନଗର, ପୁରୁଣାବଜାର ଅଂଚଳ, ଇଦ୍ଘା ଠାରେ ଉକ୍ତ ପର୍ବ ପାଳନ ଅବସରରେ ହେବାକୁ ଥିବା ପ୍ରବଳ ଜନସମାଗମ ପାଇଁ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ଚୋରି ଛିନ୍ତାଇ ରୋକିବାକୁ ଅଧିକ ସିସିଟିଭି ବ୍ୟବସ୍ଥା, ପର୍ବ ପାଳନର ଦୁଇ ଚାରିଦିନ ପୂର୍ବରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ଅନୁମତି ପ୍ରଦାନ, ରାସ୍ତାର ଆଲୋକିକରଣ, ଅବକାରୀ ଧରପଗଡ଼, ରାସ୍ତା ମରାମତି, ସାମାଜିକ ଗଣମାଧ୍ୟମର ଦୂରୁପଯୋଗ ରେ କଡ଼ା କାର୍ଯ୍ୟାନୁଷ୍ଠାନ ଆଦି ଆନୁସଙ୍ଗିକ ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବୈଠକର ସର୍ବ ସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା । ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ, ଶାନ୍ତି କମିଟିର ସଦସ୍ୟ ସାମ୍ବାଦିକ ରୋଟାରିଆନ୍ ଅତିସ୍ ବେହେରା, ସମାଜସେବୀ ସୁଧାକର ରାଉତ, ମୁସଲିମ୍ ଜମାତ୍ର ଉପସଭାପତି ସେକ୍ ଜକାଉଲ୍ଲା, ସାଧାରଣ ସମ୍ପାଦକ ସେକ୍ ଇନାମ ମହମ୍ମଦ, ସଦସ୍ୟ ହାଜି ଅନୱାର ହୋସେନ୍, ଜମିଲ ଅକତର ଖାନ୍, ଏସ୍.ଏମ୍.ଫାରୁକ୍ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ମୂଲ୍ୟବାନ ମତାମତ ରଖିଥିଲେ । ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଥାନାଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ଆନନ୍ଦ ଉଦ୍ଦୀପନାର ସହିତ ଇଦ୍ପର୍ବ ପାଳନ କରାଯିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଶ୍ରୀ ମଣ୍ଡଳ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଉପଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
Home ଜିଲ୍ଲା ପରିକ୍ରମା ଉଦ୍-ଉଲ୍-ଫିତର ପର୍ବ ପାଳନ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ, ଜିଲ୍ଲାର ୧୪୦ ମସଜିଦ୍ରେ ହେବ ନମାଜ...