Home Top News ଉଦ୍‍ଘାଟିତ ହେଲା କୋଣାର୍କ ଉତ୍ସବ – ୨୦୨୧ : ଶାସ୍ତ୍ରୀୟ ଓଡିଶୀ ଓ କଥକ ନୃତ୍ୟରେ...

ଉଦ୍‍ଘାଟିତ ହେଲା କୋଣାର୍କ ଉତ୍ସବ – ୨୦୨୧ : ଶାସ୍ତ୍ରୀୟ ଓଡିଶୀ ଓ କଥକ ନୃତ୍ୟରେ ଝଂକୃତ ମୁକ୍ତାକାଶ ମଞ୍ଚ

51

କୋଣାର୍କ ୦୧.୧୨ (ଓଡ଼ିଆ ପୁଅ) : ଗୀତ-ବାଦ୍ୟ ଓ ନୃତ୍ୟର ଛନ୍ଦରେ ଶିଳ୍ପୀଙ୍କ ପରିବେଷଣ ଭାବାବେଶ ସୃଷ୍ଟି କରିଥିଲା। ନୃତ୍ୟାଙ୍ଗନା ଙ୍କ ହୃଦୟଛୁଆଁ ଅଭିନୟ ସହ ଆଲୋକ ଓ ସାଜସଜାରେ ମୁକ୍ତାକାଶ ମଞ୍ଚ ସ୍ୱର୍ଗର ସୁଧର୍ମା ସଭାର ଭ୍ରମ ସୃଷ୍ଟି କରୁଥିଲା। ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବ ୨୦୨୧ ର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପର୍ଯ୍ୟଟନ ତଥା ଓଡିଆ ଭାଷା-ସାହିତ୍ୟ-ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣୀଗ୍ରାହୀ, କ୍ରୀଡା-ଯୁବ ବ୍ୟାପାର ତଥା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ୍‍, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ନିର୍ଦ୍ଦେଶକ ଅରୁଣ ମଲ୍ଲିକ, ଓଡିଶା ସଂଗୀତ ନାଟକ ଏକାଡେମୀ ସଭାପତି ଅରୁଣା ମହାନ୍ତି ଓ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ପରିଚାଳିକା ଡ. ସଂଗୀତା ଗୋସାଇଁ। ପ୍ରଦୀପ ପ୍ରଜ୍ୱଳନ ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନୀ ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ ନଭସଂଚାରୀ ସଂଯୋଗରେ।

ଏହାପରେ ପ୍ରଥମ ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ଦିଲ୍ଲୀ ଅବସ୍ଥାପିତ ଓଡିଶୀ ନୃତ୍ୟା ବିଦୁଷୀ ମାଧବୀ ମୁଦ୍‍ଗଲ ଓ ସାଥୀ ପରିବେଷଣ କରିଥିଲେ ନର୍ତ୍ତନ ଗଣେଶ। ଉଭୟ ଲାସ୍ୟ ଓ ତାଣ୍ଡବ ନୃତ୍ୟ ଶୈଳୀରେ ସମୃଦ୍ଧ ନର୍ତ୍ତନ ଗଣେଶ ଉପସ୍ଥାପନ ପରେ ପରେ ମାଧବୀଙ୍କ ଦ୍ୱିତୀୟ ପ୍ରସ୍ତୁତି ଥିଲା ଶୁଦ୍ଧ ନୃତ୍ୟ ପଲ୍ଲବୀ। କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ରଚିତ ବାତ୍ସଲ୍ୟରସ ଆଧାରିତ ଉଠିଲୁ ଏଡେ ବେଗେ କାହିଁକିରେ ଦୁଃଖୀଧନ ର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଓଡିଶୀର ଅନ୍ତିମ ଉପସ୍ଥାପନାରେ ପରିବେଷିତ ହୋଇଥିଲା ତ୍ରୟି। ହିନ୍ଦୁସ୍ଥାନୀ ସଂଗୀତ ଆଧାରିତ ବସନ୍ତ ଗ୍ରୀଷ୍ମ ଓ ବର୍ଷା ଋତୁର ବର୍ଣ୍ଣନାରେ ଏହି ନୃତ୍ୟ ସଂଯୋଜନା ବେଶ୍‍ ମନଛୁଆଁ ଥିଲା।

ଦ୍ୱିତୀୟ ଚରଣରେ ସୁବିଖ୍ୟାତ କଥକ ନୃତ୍ୟଶିଳ୍ପୀ ଭାସ୍ୱତୀ ମିଶ୍ର ଓ ସାଥୀ ପରଶି ଦେଇଥିଲୋ ନଟରାଜ ଶିବଙ୍କ ଆରଧନାରେ ପ୍ରସ୍ତୁତ ଅଭିନୟ ଶିବ ପଞ୍ଚାକ୍ଷର ା ଦ୍ୱିତୀୟ ଉପସ୍ଥାପନାରେ ମଞ୍ଚସ୍ଥ ହୋଇଥିଲା ରସମଂଜରୀ ଯାହା ଶାସ୍ତ୍ରୀୟ କଥକର ବୈଶିଷ୍ଟ୍ୟ କୁ ପ୍ରକାଶ କରିଥିଲା। ପରେ ପରେ ନାୟିକା ର ନୃତ୍ୟସଂଯୋଜନାରେ ନାଟ୍ୟଶାସ୍ତ୍ର ଆଧାରିତ ସ୍ୱାଧୀନ ପଟ୍ଟିକା ଖଣ୍ଡିତା ଓ ବାସକସଦ୍ୱିକା ନାୟିକା ର ନିଖୁଣ ପ୍ରକାଶ ଏକ ଭିନ୍ନ ଆବେଗ ସୃଷ୍ଟି କରିଥିଲା। କଥକ ର ଅନ୍ତିମ ଉପସ୍ଥାପନା ଥିଲା ତରନ୍ନା ଯାହା ରାଗ-ବାହାର ଓ ତାଲ-ତିନତାଲ ଉପରେ ପର୍ଯ୍ୟବେସିତ ଥିଲା। ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ସଂହତି ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପର୍ଯ୍ୟଟନ ବିଭାଗ ଓ ସଂଗୀତ ନାଟକ ଏକାଡେମୀ ଅଧିକାରୀ ପରିଚାଳନାରେ ସହାୟତା ଦେଇଥିଲେ।

ଉକ୍ତ ଉତ୍ସବରେ ଚନ୍ଦ୍ରଭାଗା ବେଳାଭୂମୀରେ ୨୦୨୧ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଉପୋରକ୍ତ ଅତିଥି ମାନଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଅଛି। ଦେଶ ଓ ବିଦେଶରୁ ୧୦୦ ଜଣ ବାଲୁକା ଶିଳ୍ପୀ ଅଶଂଗ୍ରହଣ କରି ପ୍ରଥମ ଦିବସରେ ସ୍ଥାପତ୍ୟ ଓ ସଂସ୍କୃତି ଉପରେ ନିଜ ନିଜର ବାଲୁକା କଳାକୁ ଉପସ୍ଥାପନ କରି ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରାଇଥିଲେ। ବ୍ରାଣ୍ଡ ଅମ୍ବାସଡର ତଥା ଆର୍ନ୍ତଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ରହି ମୁଖ୍ୟ ପରିଚାଳକ ରୁପେ କାର୍ଯ୍ୟ ନିଭାଇ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.