“ମୋ ପାଇଁ, ଦେଶର ସୀମାରେ ଥିବା ପ୍ରତ୍ୟେକ ଗ୍ରାମ ହେଉଛି ଦେଶର ପ୍ରଥମ ଗ୍ରାମ ”
“ଆମର ଐତିହ୍ୟରେ ରହିଥିବା ଗୌରବ ଏବଂ ବିକାଶ ପାଇଁ ସମସ୍ତ ପ୍ରକାରର ସମ୍ଭାବ୍ୟ ପ୍ରୟାସ ହେଉଛି ଏକ ବିଂଶ ଶତାବ୍ଦୀର ବିକଶିତ ଭାରତ ପାଇଁ ଦୁଇଟି ପ୍ରମୁଖ ସ୍ତମ୍ଭ ”
“ଏହି ବିକାଶମୂଳକ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହେଲେ ସମଗ୍ର ବିଶ୍ୱର ଭକ୍ତମାନେ ଆନନ୍ଦିତ ହେବେ ”
“ଶ୍ରମଜୀବୀ ମାନେ ଈଶ୍ୱରଙ୍କର କାର୍ଯ୍ୟ କରୁଛନ୍ତି, ଆପଣ ମାନେ ସେମାନଙ୍କ ପାଇଁ ଯତ୍ନବାନ ହୁଅନ୍ତୁ, ସେମାନଙ୍କୁ କେବଳ ଦରମା ପ୍ରାପ୍ତ ଶ୍ରମିକ ଭାବରେ ବିବେଚନା କରନ୍ତୁ ନାହିଁ ”
“ଏହି ଧର୍ମସ୍ଥଳୀ ଗୁଡିକର ଦୟନୀୟ ସ୍ଥିତି ଦାସତ୍ୱ ମାନସିକତାର ଏକ ସ୍ପଷ୍ଟ ସଙ୍କେତ ଥିଲା”
“ଆଜି କାଶୀ, ଉଜ୍ଜୟିନୀ, ଅଯୋଧ୍ୟା ଏବଂ ଆହୁରି ଅନେକ ଆଧ୍ୟାତ୍ମିକ ସ୍ଥଳ ସେଗୁଡିକର ହଜି ଯାଇଥିବା ଗୌରବ ଏବଂ ଐତିହ୍ୟକୁ ପୁନଃ ପ୍ରାପ୍ତ କରୁଛନ୍ତି ”
“ସ୍ଥାନୀୟ ଉତ୍ପାଦ କିଣିବା ପାଇଁ ଆପଣଙ୍କର ଭ୍ରମଣ ବଜେଟର ପାଂଚ ପ୍ରତିଶତ ଖର୍ଚ୍ଚ କରନ୍ତୁ ”
“ପାହାଡ ଅଂଚଳର ଲୋକ ମାନଙ୍କର ସ୍ଥାଣୁତା ସେମାନଙ୍କ ବିରୁଦ୍ଧରେ ଏକ ବାହାନା ଭାବରେ ବ୍ୟବହୃତ ହୋଇଥିଲା ”
“ଆମେ ଏହି ସୀମାନ୍ତ ଅଂଚଳରୁ କାମ କରିବା ଆରମ୍ଭ କରିଛୁ, ସେମାନଙ୍କୁ ସମୃଦ୍ଧିର ଆରମ୍ଭ ଭାବରେ ଚିହ୍ନିତ କରିଛୁ”
“ଆମେ ଉଦ୍ୟମ କରୁଛୁ ଯାହା ଦ୍ୱାରା ସୀମା ଅଂଚଳରେ ଏକ ଜୀବନ୍ତ ଜୀବନ ହେବ, ଯେଉଁଠାରେ ବିକାଶ ଉତ୍ସବ ପାଳନ କରାଯାଏ”
ନୂଆ ଦିଲ୍ଲୀ ୨୧-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ମାନା ଠାରେ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ ଏବଂ ରୋପୱେ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ କେଦାରନାଥ ପରିଦର୍ଶନ କରି ଶ୍ରୀ କେଦାରନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିଥିଲେ। ସେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କର ସମାଧି ସ୍ଥଳକୁ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ମନ୍ଦାକିନୀ ଅଷ୍ଟପଥ ଏବଂ ସରସ୍ୱତୀ ଅଷ୍ଟପଥରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ବଦ୍ରିନାଥ ପରିଦର୍ଶନ କରି ଶ୍ରୀ ବଦ୍ରିନାଥ ମନ୍ଦିରରେ ଠାକୁର ଦର୍ଶନ ଏବଂ ପୂଜା କରିଥିଲେ। ଏହା ପରେ ସେ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ।
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଧର୍ମପୀଠରେ ଦର୍ଶନ ଏବଂ ପୂଜା କରିବା ପରେ ନିଜର ଖୁସିକୁ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, “ମୋ ଜୀବନ ଆଶୀର୍ବାଦ ପ୍ରାପ୍ତ ହେଲା, ମନ ଖୁସି ହେଲା ଏବଂ ଏହି ମୂହୁର୍ତ୍ତ ଗୁଡ଼ିକ ଜୀବନ୍ତ ହେଲା”। ତାଙ୍କର ପୂର୍ବ ଗସ୍ତ ସମୟରେ ସେ କହିଥିବା ଶବ୍ଦକୁ ମନେ ପକାଇ ଏହି ଦଶନ୍ଧି ଉତ୍ତରାଖଣ୍ଡର ହେବ, ପୁଣି ଥରେ ଏହାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି, ବାବା କେଦାର ଏବଂ ବଦ୍ରି ବିଶାଳ ସେହି ଶବ୍ଦ ଗୁଡ଼ିକୁ ଆଶୀର୍ବାଦ ଦେବେ। ସେ କହିଥିଲେ ଯେ, “ ଏହି ନୂତନ ପ୍ରକଳ୍ପ ଗୁଡ଼ିକ ସହିତ ସମାନ ସଂକଳ୍ପକୁ ଦୋହରାଇବା ପାଇଁ ମୁଁ ଆଜି ଆପଣଙ୍କ ମଧ୍ୟରେ ଅଛି।”
ମାନା ଗ୍ରାମ ଭାରତର ସୀମାରେ ଶେଷ ଗ୍ରାମ ଭାବରେ ଜଣାଶୁଣା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ମୋ ପାଇଁ, ସୀମାରେ ଥିବା ପ୍ରତ୍ୟେକ ଗ୍ରାମ ହେଉଛି ଦେଶର ପ୍ରଥମ ଗ୍ରାମ ଏବଂ ସୀମା ନିକଟରେ ରହୁଥିବା ଲୋକମାନେ ଦେଶର ସୁଦୃଢ଼ ସୁରକ୍ଷା ତିଆରି କରୁଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅଂଚଳ ସହିତ ତାଙ୍କର ଦୀର୍ଘ ସମୟର ସମ୍ପର୍କ ଏବଂ ଏହାର ମହତ୍ତ୍ୱକୁ ବାରମ୍ବାର ସମର୍ଥନ କରିଥିଲେ। ସେ ସେମାନଙ୍କର ସମର୍ଥନ ଏବଂ ଆତ୍ମବିଶ୍ୱାସକୁ ମଧ୍ୟ ଉଲ୍ଲେଖ କରିଥିଲେ। ନିରନ୍ତର ପ୍ରେମ ଏବଂ ସମର୍ଥନ ପାଇଁ ସେ ମାନାର ଲୋକ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।
ଏକ ବିଂଶ ଶତାବ୍ଦୀରେ ବିକଶିତ ଭାରତର ଦୁଇଟି ପ୍ରମୁଖ ସ୍ତମ୍ଭ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ। “ପ୍ରଥମଟି ହେଉଛି, ଆମର ଐତିହ୍ୟ ପାଇଁ ଗର୍ବ ଏବଂ ଦ୍ୱିତୀୟରେ, ବିକାଶ ପାଇଁ ଆମର ସମସ୍ତ ସମ୍ଭାବ୍ୟ ପ୍ରୟାସ। ଆଜି, ଉତ୍ତରାଖଣ୍ଡ ଏହି ଉଭୟ ସ୍ତମ୍ଭକୁ ମଜବୁତ କରୁଛି ବୋଲି ସେ କହିଥିଲେ। ସେ ସୂଚନା ଦେଇଥିଲେ ଯେ କେଦାରନାଥ ଏବଂ ବଦ୍ରି ବିଶାଳରେ ଦର୍ଶନ ଦ୍ୱାରା ସେ ନିଜକୁ ଆଶୀର୍ବାଦପ୍ରାପ୍ତ ଅନୁଭବ କରୁଛନ୍ତି। ସେ ବିକାଶ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଥିଲେ ଏବଂ “୧୩୦ କୋଟି ଲୋକ ମଧ୍ୟ ମୋ ପାଇଁ ଭଗବାନଙ୍କର ଏକ ରୂପ” ବୋଲି ସେ କହିଥିଲେ।
କେଦାରନାଥ ଠାରୁ ଗୌରୀକୁଣ୍ଡ ଏବଂ ହେମକୁଣ୍ଡ ଦୁଇଟି ରୋପୱେ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବାବା କେଦାରନାଥ, ବଦ୍ରି ବିଶାଳ ଏବଂ ଶିଖ୍ ଗୁରୁଙ୍କ ଆଶୀର୍ବାଦକୁ ପ୍ରେରଣା ଏବଂ ପ୍ରଗତିର ଶ୍ରେୟ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଦ୍ୱିତୀୟ ପଦକ୍ଷେପ ଯୋଗୁଁ ସମଗ୍ର ବିଶ୍ୱରେ ଭକ୍ତମାନେ ଆନନ୍ଦିତ ହେବେ।
ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପରେ ଜଡିତ ଶ୍ରମଜୀବୀ ମାନଙ୍କର ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ ଏବଂ ଏହି କଠିନ ପରିସ୍ଥିତିରେ ସେମାନଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମାନେ ଈଶ୍ୱରଙ୍କ କାର୍ଯ୍ୟ କରୁଛନ୍ତି, ଆପଣ ମାନେ ସେମାନଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ, ସେମାନଙ୍କୁ କେବଳ ବେତନ ପ୍ରାପ୍ତ ଶ୍ରମିକ ବୋଲି ବିବେଚନା କରନ୍ତୁ ନାହିଁ, ସେମାନେ ଏକ ଐଶ୍ୱରୀୟ ପ୍ରକଳ୍ପରେ ସହଯୋଗ କରୁଛନ୍ତି” ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ। କେଦାରନାଥ ଠାରେ ଶ୍ରମଜୀବି ମାନଙ୍କ ସହ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଶ୍ରମିକ ଏବଂ ଇଞ୍ଜିନିୟର ମାନେ ସେମାନଙ୍କ କାର୍ଯ୍ୟକୁ ବାବା କେଦାରଙ୍କୁ ପୂଜା କରିବା ସହ ତୁଳନା କରିଥିଲେ ସେତେବେଳେ ତାଙ୍କ ପାଇଁ ଏହା ଏକ ଚମତ୍କାର ଅନୁଭୂତି ଥିଲା।
ଔପନିବେଶିକ ମାନସିକତାରୁ ମୁକ୍ତି ପାଇବା ପାଇଁ ଲାଲ୍ କିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ କରିଥିବା ଆବେଦନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ୭୫ ବର୍ଷର ସ୍ୱାଧୀନତା ପରେ ଏହି ଆବେଦନ କରିବାର ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ ଏବଂ ଦାସତ୍ୱର ମାନସିକତା ଦେଶକୁ ଏତେ ଗଭୀର ଭାବରେ ଜାବୁଡି ଧରିଛି ଯେ, ଦେଶର କିଛି ଲୋକ ଦେଶର ବିକାଶ କାର୍ଯ୍ୟକୁ ଅପରାଧ ବୋଲି ବିବେଚନା କରିଥିଲେ ବୋଲି ସେ କହିଥିଲେ। “ଦେଶର ବିକାଶରେ ଅଗ୍ରଗତି ଦାସତ୍ୱର ଏକ ମାପକାଠିରେ ତଉଲା ଯାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଦୀର୍ଘ ଦିନ ଧରି ଦେଶରେ ପୂଜାସ୍ଥଳ ଗୁଡିକ ଉପରେ ଦୃଷ୍ଟି ଦିଆ ଯାଇନାହିଁ। ସେ ତାଙ୍କ ବକ୍ତବ୍ୟରେ ଏହା ମଧ୍ୟ ଯୋଡିଥିଲେ ଯେ, ସାରା ବିଶ୍ୱରେ ଲୋକମାନେ ଏହି ମନ୍ଦିର ଗୁଡିକର ଭୁରି ଭୁରି ପ୍ରଶଂସା କରନ୍ତି। ଅତୀତରେ କରାଯାଇଥିବା ପ୍ରୟାସ ଗୁଡିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସୂଚାଇ ଦେଇଥିଲେ ଯେ, ସୋମନାଥ ମନ୍ଦିର ଏବଂ ରାମ ମନ୍ଦିର ନିର୍ମାଣ ସମୟରେ ଯାହା ଘଟିଥିଲା ତାହା ସମସ୍ତେ ମନେ ରଖିଛନ୍ତି।
ଶ୍ରୀ ମୋଦୀ କହିଥିଲେ ଏହା ମଧ୍ୟ କହିଥିଲେ, “ଏହି ଧର୍ମସ୍ଥଳୀ ଗୁଡିକର ଦୟନୀୟ ଅବସ୍ଥା ଦାସତ୍ୱ ମାନସିକତାର ଏକ ସ୍ପଷ୍ଟ ସଙ୍କେତ ଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ମନ୍ଦିର ଗୁଡିକୁ ଆସିବା ନିମନ୍ତେ ଉଦ୍ଦିଷ୍ଟ ରାସ୍ତା ମଧ୍ୟ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିଲା। “ଭାରତର ଆଧ୍ୟାତ୍ମିକ କେନ୍ଦ୍ର ଗୁଡ଼ିକ ଅନେକ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ରହି ଆସିଥିଲା ଏବଂ ଏହା ପୂର୍ବ ସରକାରଙ୍କ ସ୍ୱାର୍ଥପରତା ହେତୁ ହୋଇଥିଲା ” ବୋଲି ସେ କହିଥିଲେ। ସେ ଦର୍ଶାଇ ଥିଲେ ଯେ କୋଟି କୋଟି ଭାରତୀୟଙ୍କ ପାଇଁ ଏହି ଆଧ୍ୟାତ୍ମିକ କେନ୍ଦ୍ର ଗୁଡ଼ିକର ମୂଲ୍ୟ କ’ଣ ଏହି ବ୍ୟକ୍ତିମାନେ ଭୁଲି ଯାଇଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଆମର ଆଧ୍ୟାତ୍ମିକ କେନ୍ଦ୍ର ଗୁଡ଼ିକର ମହତ୍ୱ ସେମାନଙ୍କର ଉଦ୍ୟମ ଦ୍ୱାରା ନିର୍ଣ୍ଣୟ ହୋଇ ନଥାଏ କିମ୍ବା ଏହି ଆଧ୍ୟାତ୍ମିକ କେନ୍ଦ୍ର ଗୁଡିକ ପ୍ରତି ଲୋକଙ୍କ ବିଶ୍ୱାସରେ କୌଣସି ହ୍ରାସ ଘଟି ନାହିଁ। “ଆଜି କାଶୀ, ଉଜ୍ଜୟିନୀ, ଅଯୋଧ୍ୟା ଏବଂ ଆହୁରି ଅନେକ ଆଧ୍ୟାତ୍ମିକ କେନ୍ଦ୍ର ସେମାନଙ୍କର ହଜି ଯାଇଥିବା ଗୌରବ ଏବଂ ଐତିହ୍ୟକୁ ପୁଣି ଥରେ ପ୍ରାପ୍ତ କରୁଛନ୍ତି। ବୈଷୟିକ ସେବା ଗୁଡିକ ସହିତ ସଂଯୁକ୍ତ ହେବା ସଙ୍ଗେ ସଙ୍ଗେ କେଦାରନାଥ, ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବ ସେହି ଧାର୍ମିକ ବିଶ୍ୱାସକୁ ବଜାୟ ରଖିଛନ୍ତି ବୋଲି ସେ ଦର୍ଶାଇଥିଲେ, “ଅଯୋଧ୍ୟାରେ ଥିବା ରାମ ମନ୍ଦିର ଠାରୁ ଗୁଜରାଟର ପାଭଗଡର ମାଆ କାଳିକା ମନ୍ଦିର ପର୍ଯ୍ୟନ୍ତ ଦେବୀ ବିନ୍ଧ୍ୟାଂଚଳ କରିଡର ପର୍ଯ୍ୟନ୍ତ, ଭାରତ ଏହାର ସାଂସ୍କୃତିକ ତଥା ପାରମ୍ପରିକ ଉତ୍ଥାନ ଘୋଷଣା କରୁଛି।” ସେ ଆହୁରି ମଧ୍ୟ କହିଥିଲେ ଯେ ତୀର୍ଥଯାତ୍ରୀ ମାନେ ଏହି ବିଶ୍ୱାସର ପୂର୍ଣ୍ଣ ସ୍ଥାନରେ ପହଂଚିବା ଏବେ ସହଜ ହେବ ଏବଂ ଯେଉଁ ସେବା ଯୋଗାଇ ଦିଆ ଯାଉଛି ତାହା ବୟସ୍କ ଲୋକ ମାନଙ୍କର ଜୀବନକୁ ସହଜ କରିବ।
ପ୍ରଧାନମନ୍ତ୍ରୀ ଏହି ବିଶ୍ୱାସରେ ଭରି ରହିଥିବା ସ୍ଥାନ ଗୁଡିକର ନବୀକରଣର ଅନ୍ୟ ଏକ ଦିଗକୁ ସୂଚାଇ ଦେଇଥିଲେ, ଯେମିତିକି ପାହାଡ଼ିଆ ଅଂଚଳରେ ଲୋକଙ୍କ ଜୀବନଯାପନରେ ସହଜତା ଏବଂ ଏହି ଅଂଚଳର ବସବାସ କରୁଥିବା ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ। “ରେଳ, ସଡ଼କ ଏବଂ ରୋପୱେ ସେମାନଙ୍କ ପାଇଁ ରୋଜଗାର ଆଣିଥାଏ ଏବଂ ଜୀବନକୁ ସହଜ ଏବଂ ସଶକ୍ତ କରିଥାଏ। ଏହି ସୁବିଧା ପର୍ଯ୍ୟଟନକୁ ଉନ୍ନତ କରିଥାଏ ଏବଂ ପାହାଡ଼ିଆ ଅଂଚଳରେ ପରିବହନକୁ ସୁଗମ କରିଥାଏ। ଏହି କଷ୍ଟସାଧ୍ୟ ଅଂଚଳରେ ଲଜିଷ୍ଟିକ୍ସର ଉନ୍ନତି ପାଇଁ ଡ୍ରୋନ୍ ମଧ୍ୟ ନିୟୋଜିତ କରାଯିବାକୁ ଯୋଜନା କରା ଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ।
ସ୍ଥାନୀୟ ଉତ୍ପାଦ ଗୁଡିକର ଏବଂ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଉଦ୍ୟମକୁ ପ୍ରଶଂସା କରି, ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କୁ ଏହା ନିବେଦନ କରିଥିଲେ, ଦେଶର ଯେକୌଣସି ଅଂଚଳକୁ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଯାଉଥିବା ଲୋକ ମାନଙ୍କୁ ସ୍ଥାନୀୟ ଉତ୍ପାଦ କିଣିବା ପାଇଁ ସେମାନଙ୍କ ଯାତ୍ରା ବଜେଟର ପାଂଚ ପ୍ରତିଶତ ଖର୍ଚ୍ଚ କରିବା ଉଚିତ୍। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ସ୍ଥାନୀୟ ଉତ୍ପାଦକୁ ଏକ ବଡ ଉତ୍ଥାନ ପ୍ରଦାନ କରିବ ଏବଂ ଆପଣ ମାନଙ୍କୁ ମଧ୍ୟ ବହୁତ ସନ୍ତୁଷ୍ଟି ଦେବ।
ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଥିଲେ ଯେ, ପାହାଡିଆ ଅଂଚଳରୁ ଆସିଥିବା ଲୋକଙ୍କ ସ୍ଥାଣୁତା ସେମାନଙ୍କ ବିରୋଧରେ ବ୍ୟବହୃତ ହୋଇଛି। ସେମାନଙ୍କର ପରିଶ୍ରମୀ ପ୍ରକୃତି ଏବଂ ଶକ୍ତି ସେମାନଙ୍କୁ ଅନେକ ପ୍ରକାରର ସୁବିଧା ସୁଯୋଗରୁ ବଂଚିତ କରିବା ପାଇଁ ଏକ ବାହାନା ଭାବରେ ବ୍ୟବହୃତ ହୋଇଥିଲା। ସୁବିଧା ଏବଂ ସୁଯୋଗ ପାଇବା କ୍ଷେତ୍ରରେ ସେମାନେ ପଛରେ ରହିଥିଲେ। ଆମକୁ ଏହାକୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ବର୍ଣ୍ଣନା କରିଥିଲେ ଯେ “ଏହା ପୂର୍ବରୁ, ଯେଉଁ ଅଂଚଳ ଗୁଡିକୁ ଦେଶର ସୀମାନ୍ତର ସୀମା ଭାବରେ ଅଣଦେଖା କରା ଯାଇଥିଲା, ଆମେ ସେହି ସ୍ଥାନରୁ ସେଗୁଡିକୁ ସମୃଦ୍ଧିର ଆରମ୍ଭ ବୋଲି ଚିହ୍ନିତ କରି କାର୍ଯ୍ୟ ଆରମ୍ଭ କରିଥିଲୁ। ଆମେ ପାର୍ବତ୍ୟ ଅଂଚଳର ଏହି ଆହ୍ୱାନର ସମାଧାନ ଖୋଜିବାକୁ ଚେଷ୍ଟା କରିଥିଲୁ, ଯାହା ସ୍ଥାନୀୟ ଲୋକ ମାନଙ୍କର ବହୁତ ଶକ୍ତିକୁ ନଷ୍ଟ କରୁଥିଲା।” ସେ ସମସ୍ତ ଗ୍ରାମର ବିଦ୍ୟୁତିକରଣ, ପ୍ରତ୍ୟେକ ଘରେ ଜଳ ଯୋଗାଣ, ପଂଚାୟତକୁ ଅପ୍ଟିକାଲ ଫାଇବର ସଂଯୋଗ, ପ୍ରତ୍ୟେକ ଗ୍ରାମରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର, ଟୀକାକରଣ ସମୟରେ ପାହାଡ଼ିଆ ଅଂଚଳକୁ ପ୍ରାଥମିକତା ପ୍ରଦାନ, ମହାମାରୀ ସମୟରେ ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଣ ଭଳି ଜୀବନଯାପନର ସହଜ ପଦକ୍ଷେପ ଏବଂ ଲୋକ ମାନଙ୍କୁ ସମ୍ମାନ ପ୍ରଦାନ କରିବା ଇତ୍ୟାଦିକୁ ତାଲିକାଭୁକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସୁବିଧା ଯୁବକ ମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିଥାଏ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିଥାଏ। “ମୁଁ ଖୁସି ଯେ ଡବଲ – ଇଞ୍ଜିନ ବିଶିଷ୍ଟ ସରକାର ହୋମଷ୍ଟେ ସୁବିଧା ଗୁଡିକରେ ପରିବର୍ତ୍ତନ ଆଣିବା ପାଇଁ ଯୁବକ ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ନିରନ୍ତର ଆର୍ôଥକ ସହାୟତା ପ୍ରଦାନ କରୁଛନ୍ତି। ସୀମାନ୍ତ ଅଂଚଳର ଯୁବକ ମାନଙ୍କୁ ଏନ୍ସିସି ସହିତ ଯୋଡିବା ଅଭିଯାନ ମଧ୍ୟ ସେମାନଙ୍କୁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛି ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ “ଆଧୁନିକ ସଂଯୋଗ ହେଉଛି ଜାତୀୟ ପ୍ରତିରକ୍ଷା ପାଇଁ ଏକ ଗ୍ୟାରେଂଟି।” ସେ କହିଥିଲେ ଯେ ଗତ ୮ ବର୍ଷ ଧରି ସରକାର ଏହି ଦିଗରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। କିଛି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଦୁଇଟି ପ୍ରମୁଖ ସଂଯୋଗ ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତମାଳା ଏବଂ ସାଗରମାଳା ଯୋଜନାର ଉଦାହରଣ ଦେଇଥିଲେ। ସେ ସୂଚନା ଦେଇଥିଲେ ଯେ, ଭାରତମାଳା ଅଧୀନରେ ଦେଶର ସୀମା ଅଂଚଳ ସର୍ବୋତ୍ତମ ଏବଂ ପ୍ରଶସ୍ତ ରାଜପଥ ସହ ସଂଯୁକ୍ତ କରା ଯାଉଛି ଏବଂ ସାଗରମାଳା ଯୋଜନା ମାଧ୍ୟମରେ ଭାରତର ସମୁଦ୍ର କୂଳର ସଂଯୋଗକୁ ମଜବୁତ କରା ଯାଉଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ଗତ ୮ ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀର ଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ସୀମା ସଂଯୋଗର ଅଦ୍ୱିତୀୟ ସମ୍ପ୍ରସାରଣକୁ ସରକାର କାର୍ଯ୍ୟକାରୀ କରିଛନ୍ତି। “୨୦୧୪ ମସିହା ପର ଠାରୁ ସୀମା ସଡକ ସଂଗଠନ (ବର୍ଡର ରୋଡ୍ସ ଅର୍ଗାନାଇଜେସନ୍) ପ୍ରାୟ ୭, ୦୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ କରି ଶହ ଶହ ସେତୁ ନିର୍ମାଣ କରିଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଟନେଲ ମଧ୍ୟ ଏହା ଭିତରେ ସମ୍ପୂର୍ଣ୍ଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପର୍ବତମାଳା ଯୋଜନା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, ଏହା ପାହାଡ଼ିଆ ଅଂଚଳରେ ରହିଥିବା ରାଜ୍ୟ ଗୁଡ଼ିକର ସଂଯୋଗୀକରଣରେ ଉନ୍ନତି ଆଣିଛି। ସେ ଦର୍ଶାଇଥିଲେ ଯେ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଏହି ଯୋଜନା ଅଧୀନରେ ଏକ ବିଶାଳ ରୋପୱେ ନେଟୱାର୍କ ନିର୍ମାଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ସୀମା ଅଂଚଳର ଧାରଣାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, ଯେପରି ସାମରିକ ପ୍ରତିଷ୍ଠାନ କରିଥିଲେ। ସେ କହିଥିଲେ, “ଆମେ ଉଦ୍ୟମ କରୁଛୁ ଯେ ଏହି ଅଂଚଳରେ ଏକ ଜୀବନ୍ତ ଜୀବନ ସୃଷ୍ଟି ହେବ ଯେଉଁଠାରେ ବିକାଶ ଉତ୍ସବ ପାଳନ କରାଯାଏ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାନା ଠାରୁ ମାନା ପାସ୍ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ଏହି ଅଂଚଳ ପାଇଁ ବହୁତ ଲାଭଦାୟକ ହେବ। ଯୋଶୀମଠ ଠାରୁ ମାଲାରି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ ହେବା ଫଳରେ ସାଧାରଣ ଲୋକଙ୍କ ସହିତ ଆମର ସୈନିକ ମାନେ ମଧ୍ୟ ସୀମାରେ ପହଂଚିବା ସହଜ ହେବ ବୋଲି ସେ କହିଥିଲେ।
ନିଜର ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡକୁ ଆଶ୍ୱାସନା ଦେଇଥିଲେ ଯେ କଠିନ ପରିଶ୍ରମ ଏବଂ ନିଷ୍ଠା ସର୍ବଦା ରାଜ୍ୟର ଆଶା ଓ ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରିବ। ଏହି ବିଶ୍ୱାସ ପୂରଣ କରିବା ପାଇଁ ମୁଁ ବାବା କେଦାର ଏବଂ ବଦ୍ରି ବିଶାଳଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମି, ଉତ୍ତରାଖଣ୍ଡର ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ଗୁରୁମିତ ସିଂହ, ସାସଂଦ ଶ୍ରୀ ତୀରଥ ସିଂହ ରାୱତ, ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ଧନ ସିଂ ରାୱତ ଏବଂ ବିଜେପି ରାଜ୍ୟ ସଭାପତି ଶ୍ରୀ ମହେନ୍ଦ୍ର ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।
ପୃଷ୍ଠଭୂମି
କେଦାରନାଥ ଠାରେ ଥିବା ରୋପୱେର ଦୈର୍ଘ୍ୟ ପ୍ରାୟ ୯.୭ କିଲୋମିଟର ହେବ ଏବଂ ଗୌରୀକୁଣ୍ଡକୁ କେଦାରନାଥ ସହିତ ସଂଯୋଗ କରିବ, ଯାହା ଦ୍ୱାରା ଦୁଇ ସ୍ଥାନ ମଧ୍ୟରେ ଯାତ୍ରା ସମୟ ବର୍ତ୍ତମାନ ୬-୭ ଘଂଟା ରହିଥିବା ବେଳେ ତାହା ମାତ୍ର ୩୦ ମିନିଟକୁ ହ୍ରାସ ପାଇବ। ହେମକୁଣ୍ଡ ରୋପୱେ ଗୋବିନ୍ଦଘାଟକୁ ହେମକୁଣ୍ଡ ସାହିବ ସହିତ ସଂଯୋଗ କରିବ। ଏହାର ଲମ୍ବ ପ୍ରାୟ ୧୨.୪ କିଲୋମିଟର ହେବ ଏବଂ ଯାତ୍ରା ସମୟ ଏବେ ଏକ ଦିନରୁ ଅଧିକ ରହିଥିବା ବେଳେ ତାହା ପ୍ରାୟ ୪୫ ମିନିଟ୍ ହେବ। ଏହି ରୋପୱେ ଫୁଲ ଜାତୀୟ ଉଦ୍ୟାନର ପ୍ରବେଶ ଦ୍ୱାର ଘାଙ୍ଗାରିଆକୁ ମଧ୍ୟ ସଂଯୋଗ କରିବ।
ପାଖାପାଖି ୨୪୩୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ଏହି ରୋପୱେ ଗୁଡିକ ଏକ ପରିବେଶ ଅନୁକୂଳ ପରିବହନ ହେବ ଯାହା ଯାତ୍ରାକୁ ନିରାପଦ, ସୁରକ୍ଷିତ ଏବଂ ସ୍ଥିର କରିବ। ଏହି ପ୍ରମୁଖ ଭିତ୍ତିଭୂମି ବିକାଶ ଧାର୍ମିକ ପର୍ଯ୍ୟଟନକୁ ବୃଦ୍ଧି କରିବ, ଯାହା ଦ୍ୱାରା ଏହି ଅଂଚଳର ଅର୍ଥନୈତିକ ବିକାଶକୁ ଏକ ପୂର୍ଣ୍ଣତା ମିଳିବ ଏବଂ ଏକାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ।
ଏହି ଗସ୍ତ ସମୟରେ ପ୍ରାୟ ୧୦୦୦ କୋଟି ଟଙ୍କା ମୂଲ୍ୟର ରାସ୍ତା ପ୍ରଶସ୍ତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ। ଦୁଇଟି ସଡକ ପ୍ରଶସ୍ତିକରଣ ପ୍ରକଳ୍ପ – ମାନା ଠାରୁ ମାନା ପାସ୍ ପର୍ଯ୍ୟନ୍ତ (ଏନ୍ଏଚ୍ ୦୭) ଏବଂ ଯୋଶୀମଠ ଠାରୁ ମଲାରୀ ପର୍ଯ୍ୟନ୍ତ (ଏନ୍ଏଚ୍ ୧୦୭ବି) – ଆମର ସୀମା ଅଂଚଳକୁ ଶେଷ ମାଇଲ୍ ସବୁ ଋତୁରେ ସଡ଼କ ସଂଯୋଗ ଯୋଗାଇବା ଦିଗରେ ଆଉ ଏକ ପଦକ୍ଷେପ ହେବ। ସଂଯୋଗୀକରଣ ବୃଦ୍ଧି ବ୍ୟତୀତ, ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟ ରଣନୀତିକ ଦୃଷ୍ଟିକୋଣରୁ ଲାଭଦାୟକ ପ୍ରମାଣିତ ହେବ।
କେଦାରନାଥ ଏବଂ ବଦ୍ରିନାଥ ଅନ୍ୟତମ ପ୍ରମୁଖ ହିନ୍ଦୁ ଧର୍ମପୀଠ। ଏହି କ୍ଷେତ୍ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଶିଖ୍ ତୀର୍ଥସ୍ଥାନ – ହେମକୁଣ୍ଡ ସାହିବ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ହାତକୁ ନିଆ ଯାଇଥିବା ସଂଯୋଗୀକରଣ ପ୍ରକଳ୍ପ ଗୁଡିକ ଧାର୍ମିକ ମହତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ପ୍ରବେଶକୁ ସହଜ କରିବା ଏବଂ ମୌଳିକ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।