Home ଜିଲ୍ଲା ପରିକ୍ରମା ଉତ୍କଳ ସାମ୍ବାଦିକ ସଂଘ ଭଦ୍ରକ ଜିଲାର ସାଙ୍ଗଠନିକ ବୈଠକ

ଉତ୍କଳ ସାମ୍ବାଦିକ ସଂଘ ଭଦ୍ରକ ଜିଲାର ସାଙ୍ଗଠନିକ ବୈଠକ

7

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ସାମ୍ବାଦିକ ସଂଘ ଭଦ୍ରକ ଜିଲାର ସାଙ୍ଗଠନିକ ବୈଠକ ଦର୍ଶନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସାମ୍ବାଦିକ ସଂଘ ସଭାପତି ରବିନାରାୟଣ ଖିଲାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମୁଖ୍ୟଅତିଥି, ଦର୍ଶନର ସଂପାଦକ ବିଭୂତିଭୂଷଣ ନାୟକ ମୁଖ୍ୟବକ୍ତା, ପରିଚାଳନା ସଂପାଦିକା ପ୍ରଶମିତା ମହାନ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗର ମିନାକ୍ଷୀ ଗରାବଡୁ, ଯାଜପୁର ଜିଲା ସଭାପତି ହରିହର ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ପ୍ରଭାତ ଦାସ, ଦୀପ୍ତି ନାୟକ, ରମେଶ ପାଗଳ, ମନୋରଂଜନ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମାର ଅବଧି ୨୦୧୮ ରୁ ଆରମ୍ଭ ହୋଇ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ସରକାର ୨ ଲକ୍ଷ ଲେଖାଏଁ ଟଙ୍କା ଦେଇ ଆସୁଥିବାବେଳେ ପ୍ରତିବର୍ଷ ଅଗଷ୍ଟ ମାସରେ ଏହାର ଅବଧି ପୂର୍ଣ୍ଣ ହେବା ପୂର୍ବରୁ ପରବର୍ତୀ ବର୍ଷ ପାଇଁ ନୂଆ ବୀମାକାର୍ଡ ମିଳିଥାଏ । ମାତ୍ର ଚଳିତବର୍ଷ ସରକାର ପରିବର୍ତନ ପରେ ଏଥିରେ ବ୍ୟତିକ୍ରମ ଘଟି ବର୍ତମାନ ପର୍ଯ୍ୟନ୍ତ କାର୍ଡର ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଯାହାକୁ ନେଇ କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବିଷୟ ବକ୍ତାମାନେ କହିଥିଲେ । ସେହିପରି ଚଳିତବର୍ଷ ବଜେଟ୍‌ରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ପାଇଁ ବ୍ୟୟବରାଦ ହୋଇନଥିବାରୁ ବୀମାକୁ ନେଇ କାର୍ଯ୍ୟରତ ସାମ୍ବାଦିକ ମାନେ ଆଶଙ୍କା ମଧ୍ୟରେ ଗତି କରୁଛନ୍ତି । ଫଳରେ ରାଜ୍ୟରେ ୮୭୧୭ ଜଣ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ପ୍ରଭାବିତ ହେବେ । ଏହି ଅବସରରେ ରାଜ୍ୟ ସଭାପତି ବିଭୂତି ଭୂଷଣ କର ଭୁବନେଶ୍ୱର ରୋଟାରୀ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଜିଲାସଂଘ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା । ଆଗାମୀ ୧୧ ତାରିଖରେ ଜୟପୁର ଠାରେ ହେବାକୁ ଥିବା ସଂଘ ପକ୍ଷରୁ ଦୁଇଦିନିଆ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକରେ ଜିଲା ସଭାପତିଙ୍କ ନେତୃତ୍ୱରେ ୮ ଜଣ ଖବରଦାତା ଯୋଗଦେବା ପାଇଁ ସ୍ଥିର ହୋଇଥିବାବେଳେ ଆସନ୍ତା ନଭେମ୍ବର ମାସ ସୁଦ୍ଧା ସଂଘର ସଭ୍ୟ ଦେୟ ଜିଲା ସଭାପତିଙ୍କ ନିକଟରେ ପୈଠ କରିବାର ନିଷ୍ପତି ହୋଇଥିଲା । ଜିଲାର ସଭାପତିଙ୍କ ସମେତ ସମସ୍ତ କର୍ମକର୍ତା ପୂର୍ବଭଳି ତାଙ୍କ ଦାୟିତ୍ୱରେ ରହିବେ ଏବଂ ଆଗାମୀ ନଭେମ୍ବର ମାସରେ ଭଣ୍ଡାରିପୋଖରୀ ବ୍ଲକ୍‌ରେ ଏକ ପରିବର୍ଦ୍ଦିତ କମିଟି ଗଠନ କରାଯିବ ବୋଲି ସ୍ଥିର କରାଯାଇଥିଲା । ଦିବଂଗତ ସାମ୍ବାଦିକ ଭଜଗୋବିନ୍ଦ ଜେନାଙ୍କ ସ୍ଥାନରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କୁ ଉପଦେଷ୍ଟା ଭାବେ ରାଜ୍ୟସ୍ତରକୁ ନିଆଯିବା ବିଷୟ ରାଜ୍ୟକୁ ଅବଗତ କରାଯିବ ବୋଲି ସଭାପତି ପ୍ରକାଶ କରିଥିଲେ । ଏହି ବୈଠକରେ ଖବରଦାତା ସନ୍ତୋଷ ଦାସ, ଦୁର୍ଯ୍ୟୋଧନ ଲେଙ୍କା, ହରିନାରାୟଣ, ସୁରେନ୍ଦ୍ର ରାୟ, ଆଶିଷ ମହାନ୍ତି, ସଂଜୀବ ନାୟକ, ରାମନାରାୟଣ ମହାନ୍ତି, ସାଧନ ଧର, ରତିକାନ୍ତ ନାୟକ, ଦୀପକ ନାୟକ, ସୁବାଶିଷ ଦ୍ୱିବେଦୀ, ଅଜୟ ପଣ୍ଡା, ଅବଦୁଲ ଫିରୋଜ ଖାଁ, ସୁଜୟ ପାକଳ, ଜଗନ୍ନାଥ ବେହେରା, ଶରତ ପାଢୀ, ଅମର ନାୟକଙ୍କ ସମେତ ୭୦ ରୁ ଉର୍ଦ୍ଧ୍ୱ ଖବରଦାତା ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.