ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୧୭ ଓ ୧୮ ତାରିଖ ଦୁଇଦିନ ଧରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍ ଅଧୀନସ୍ଥ ଚନ୍ଦନେଶ୍ୱର ଠାରେ ଉତ୍କଳ ସମ୍ମିଳନୀର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ଭଦ୍ରକ ଜିଲା ଶାଖାର ଭୂମିକା ଓ ଯୋଗଦାନ ସଂପର୍କରେ ଏକ ବୈଠକ ଆଜି ଜିଲା ସଭାପତି ଅଧ୍ୟାପିକା ଡ. ଝରଣା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ତ୍ୟାଗଭୂମି ସମ୍ମିଳନୀ କକ୍ଷ’ରେ ଅନୁଷ୍ଠିତ ହୋଇଛି। ଏଥିରେ ଭଦ୍ରକ ଜିଲା ଶାଖାର ସଭାପତି ଅଧ୍ୟାପିକା ଡ. ଝରଣା ପଟ୍ଟନାୟକ, ସଂପାଦକ ଅଜୟ ନାୟକ, ଡାକ୍ତର ଦୁର୍ଯ୍ୟୋଧନ ଦାସ, ଯୁଗ୍ମ ସଂପାଦକ ବାବୁଲାଲ ଦାସ, ସଂଗଠନ ସଂପାଦକ ଚର୍ଚ୍ଚିକା ପ୍ରସାଦ ମହାପାତ୍ର, କେନ୍ଦ୍ରୀୟ ସାଧାରଣ ପରିଷଦ ସଦସ୍ୟ ସାମ୍ବାଦିକ ପ୍ରମୋଦ ରାୟ, ବୈଲୋଚନ ବେହୁରିଆ ପ୍ରମୁଖ ଅଂଶଗ୍ରହଣ କରି ଉପରୋକ୍ତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ନେଇ ସମସ୍ତ କେନ୍ଦ୍ରୀୟ ସାଧାରଣ ପରିଷଦ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ଏବଂ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ହେବା ନେଇ ସଦସ୍ୟମାନଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା। ଶେଷରେ ସାମ୍ବାଦିକ ପ୍ରମୋଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।