ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପବିତ୍ର ଅକ୍ଷୟତୃତୀୟା ଠାରୁ ଉତ୍କଳଭଉଁରୀ ଯାଏଁ ୨୧ଦିନ ଧରି ଚାଲିଥିବା ବାବା ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା ମଙ୍ଗଳବାର ଉତ୍କଳ ଭଉଁରୀଖେଳରେ ସମ୍ପନ୍ନ ହୋଇଛି । ବାବାଙ୍କ ମନ୍ଦିର ଦକ୍ଷିଣଦ୍ୱାର ସମୁଖରେ ଥିବା ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀ କୂଳରେ ପ୍ରତିଦିନ ରୀତିନୀତି ଅନୁଯାୟୀ ଚନ୍ଦନନୀତି ଅନୁଷ୍ଠିତ ହେବା ସହ ଶୋଡଷ ଉପଚାରରେ ପୂଜାର୍ଚ୍ଚନା ହେବା ପରେ ୨ଟି ଡଙ୍ଗାରେ ପ୍ରସ୍ତୁତ ଚାପଡଙ୍ଗାରେ ବାବାଙ୍କ ଚଳନ୍ତିପ୍ରତିମା ହରଗୌରୀଙ୍କୁ ବିଜେ କରାଯାଇ ଚାପଖେଳ କରାଯିବା ସହ ଚନ୍ଦନପୂର୍ଣ୍ଣିମା ଠାରୁ ଉତ୍କଳ ଭଉଁରୀ ଯାଏଁ ଭଉଁରୀ ଖେଳ କରାଯାଇଥାଏ । ଗ୍ରୀଷ୍ମର ଉତାପରୁ ବାବାଙ୍କ ଉପଶମ ନିମନ୍ତେ ମନ୍ଦିର ଭିତରେ ବାବାଙ୍କୁ ଏକମାସ ଜଳଛାୟା କରାଯିବା ସହ ବାହାରେ ଶିବଗଙ୍ଗା ପୁଷ୍କରିଣୀରେ ୨୧ଦିନ ଧରି ଜଳକ୍ରୀଡା(ଚାପଖେଳ) ଅନୁଷ୍ଠିତ ହୋଇଥାଏ ବୋଲି ସେବାୟତମାନେ କହିଛନ୍ତି । ଏହି ଚନ୍ଦନଯାତ୍ରା ଦେଖିବା ପାଇଁ ପ୍ରତିଦିନ ପୁଷ୍କରିଣୀକୂଳରେ ହଜାରହଜାର ଭକ୍ତଙ୍କ ସମାଗମ ହୋଇଥାଏ । ବାବା ମାନବିୟ ଲିଳା ଭାବେ ସଂଧ୍ୟାରୁ ରାତ୍ର ୯ଟା ଯାଏଁ ପୁଷ୍କରିଣୀରେ ଚାପ ଖେଳିବା ପରେ ମନ୍ଦିରକୁ ପ୍ରତ୍୍ୟାବର୍ତନ କରିଥାନ୍ତି । ପରେ ରାତ୍ର ନୀତି ସମ୍ପୁଣ୍ଣ କରାଯାଇ ପହୁଡ କରାଯାଇଥାଏ ।








