Home ଜିଲ୍ଲା ପରିକ୍ରମା ଉଡାବାଲି ଦ୍ୱୀପରେ ଉଡିଲା ଜାତୀୟ ପତାକା,ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ,ସମୁଦ୍ର ତଟ...

ଉଡାବାଲି ଦ୍ୱୀପରେ ଉଡିଲା ଜାତୀୟ ପତାକା,ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ,ସମୁଦ୍ର ତଟ ସୁରକ୍ଷା ବ୍ୟବସ୍ଥାକୁ ସଶକ୍ତ ଓ ଆଧୁନିକ କରିବା ପାଇଁ ୧୪୯ କୋଟି ମଂଜୁର

6

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୭୭ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ନିକଟସ୍ଥ ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ଦେଶର ଉପକୂଳ ସୁରକ୍ଷାରେ ନିରନ୍ତର ସେବା ଯୋଗାଉଥିବା ସୁରକ୍ଷା ବାହିନୀଙ୍କ ସାହସ, ତ୍ୟାଗ ଓ କର୍ତବ୍ୟନିଷ୍ଠା ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ସମୁଦ୍ର ତଟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ଆଧୁନିକ କରିବା ପାଇଁ ଓଡ଼ିଶା ପୋଲିସ ତରଫରୁ ଦୀର୍ଘମିଆଦି ଯୋଜନା ଆରମ୍ଭ କରାଯାଇଛି ବୋଲି ଡିଜିପି ସୂଚନା ଦେଇଥିଲେ । ଏଥି ନିମନ୍ତେ ଚଳିତ ବର୍ଷ ରାଜ୍ୟ ସରକାର ବାର୍ଷିକ ବଜେଟରେ ୧୪୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି କହିଥିଲେ। ଉକ୍ତ ଅର୍ଥରାଶିକୁ ବିନିଯୋଗ କରି ସାମୁଦ୍ରିକ ପାଟ୍ରୋଲିଂ ପାଇଁ ଯନ୍ତ୍ର ଚାଳିତ ବୋଟ, ଟ୍ରଲର, ପ୍ରତ୍ୟେକ ସାମୁଦ୍ରିକ ଥାନା ପାଇଁ ଡ୍ରୋନ, ନୌସେନା ବିଶେଷଜ୍ଞ ଓ ବୈଷୟିକ ପରାମର୍ଶଦାତାଙ୍କୁ ନିୟୋଜନ, ମାଛ ଧରା ଅବତରଣ କେନ୍ଦ୍ରରେ ସ୍ୱତନ୍ତ୍ର ସାମୁଦ୍ରିକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରିବା ଏବଂ ସମସ୍ତ ସାମୁଦ୍ରିକ ଥାନା ଗୁଡିକରେ କମ୍ୟୁନିଟି ପୋଲିସିଂ ଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ବୋଲି ସେ କହିଥିଲେ । ଏହା ସହିତ ମାଛ ଧରା କେନ୍ଦ୍ରଗୁଡ଼ିକରେ ସିସିଟିଭି କ୍ୟାମେରା ସ୍ଥାପନ କରାଯିବା ସହ ସାମୁଦ୍ରିକ ପୋଲିସ ଥାନାଗୁଡିକରେ ନିୟନ୍ତ୍ରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯାଉଛି । ଏହି ସମସ୍ତ ବ୍ୟବସ୍ଥାକୁ ଭୁବନେଶ୍ୱରର ଏକ ଅତ୍ୟାଧୁନିକ କମାଣ୍ଡ ଓ କେଂଟ୍ରାଲ ସେଂଟର ସହ ଯୋଡ଼ାଯିବ ଏବଂ ଆଗାମୀ ଦିନରେ ଏହା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଡିଜିପି କହିଥିଲେ । ଉପକୂଳ ସୁରକ୍ଷାକୁ ସଶକ୍ତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ। ଜନବସତି ବିହୀନ ଉପକୂଳ ଦ୍ୱୀପଗୁଡ଼ିକରେ ଜାତୀୟ ପତାକା ଉତୋଳନ କରାଯିବା ମାଧ୍ୟମରେ ଦେଶର ଭୂମି, ସମୁଦ୍ର ଓ ସମ୍ପ୍ରଭୁତା ପ୍ରତି ଓଡ଼ିଶା ପୋଲିସର ଅତୁଟ ସଙ୍କଳ୍ପ ଓ ଦୃଢ଼ ଆସ୍ଥା ପ୍ରତିବିମ୍ବିତ ହେଉଛି। ଏହା ସହିତ ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ପ୍ରତି ଅତୁଟ ସଂକଳ୍ପକୁ ଏହି ପଦକ୍ଷେପ ପ୍ରତିବିମ୍ବିତ କରୁଛି ବୋଲି ଡିଜିପି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଭାରତୀୟ ନୌସେନା, ଭାରତୀୟ ଉପକୂଳ ସୁରକ୍ଷା, ଶୁଳ୍କ ବିଭାଗ, ରାଜ୍ୟ ପୋଲିସ, ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ, ଗୁଇନ୍ଦା ବିଭାଗ, ଜଙ୍ଗଲ ବିଭାଗ, ସ୍ଥାନୀୟ ବାସିନ୍ଦା ଏବଂ ମତ୍ସ୍ୟଜୀବୀଙ୍କୁ ଡିଜିପି ଧନ୍ୟବାଦ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହା ନଭେମ୍ବର ମାସରେ ଓଡ଼ିଶାରେ ଆୟୋଜିତ ସର୍ବଭାରତୀୟ ଆରକ୍ଷୀ ମହାନିର୍ଦ୍ଦେଶକ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପକୂଳ ରାଜ୍ୟଗୁଡ଼ିକର ଜନବସତି ବିହୀନ ଦ୍ୱୀପଗୁଡ଼ିକରେ ସାଧାରଣତନ୍ତ୍ର ଦିବସ କିମ୍ବା ତାହା ପୂର୍ବ ଦିନ ଜାତୀୟ ପତାକା ଉତୋଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଜନବସତି ବିହୀନ ଉପକୂଳ ଦ୍ୱୀପକୁ ଚିହ୍ନଟ କରି ସେଠାରେ ଜାତୀୟ ପତାକା ଉତୋଳନ କରିବା ପାଇଁ ଡିଜିପି ଶ୍ରୀ ଖୁରାନିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ଆଗାମୀ ତିନି ଦିନ ମଧ୍ୟରେ କନିକା ସ୍ୟାଣ୍ଡସ , ଲଙ୍ଗ ହ୍ୱିଲର (ବାବୁବାଲି), କୋକୋନଟ ହ୍ୱିଲର, ସ୍ମଲ ହ୍ୱିଲର, ନୟାଟାପୁ, ବୁଦ୍ଧିଆବାଲି, କେନ୍ଦ୍ରାପଡ଼ା ଜିଲ୍ଲାର ହୁକିଟୋଲା ଦ୍ୱୀପ, କାଦୁଆପାଳ, ଧାନୀଛଡା ଏବଂ ପୁରୀ ଜିଲ୍ଲାର ପାରିକୁଦ, ନଳବଣ, କାଳିଜାଇ ଦ୍ୱୀପରେ ଜାତୀୟ ପତାକା ଉତୋଳନ ନିମନ୍ତେ ଯୋଜନା ରହିଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଡିଆଇଜି (ପୂର୍ବାଂଚଳ) ପିନାକ ମିଶ୍ର, ଭଦ୍ରକ ଏସପି ମନୋଜ ରାଉତ, ଏଆଇଜି (ମେରାଇନ) ସତ୍ୟଜିତ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ, ଉପକୂଳ ସୁରକ୍ଷା ବିଭାଗର କର୍ମଚାରୀ ଓ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.