Home ଜିଲ୍ଲା ପରିକ୍ରମା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଧାମନଗର ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଅରାଜକତା...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଧାମନଗର ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଅରାଜକତା ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ, ଆନ୍ଦୋଳନ ପାଇଁ ଚେତାବନୀ

10

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଜଳସେଚନ ଡାକବଙ୍ଗଳାରେ ରବିବାର ପୂର୍ବାହ୍ନରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ରାଜ୍ୟର ମୋହନ ସରକାରଙ୍କ ୧୦୦ଦିନ ଶାସନର ବିଫଳତା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନିଜ ନିର୍ବାଚନ ମଣ୍ଡଳୀ ଧାମନଗର ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ବ୍ଲକ ସଭାପତି ଉମେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ,ଏନଏସି ଅଧ୍ୟକ୍ଷାଦଳର ନିବେଦିତା ଜେନା,ଜିଲା ପରିଷଦ ଉପାଧ୍ୟକ୍ଷା ଟୁନି ବାଳା ବିଶ୍ୱାଳ,ପଂଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଦଳର ଯୁବ ସଭାପତି ଭାରତ ବିଜୟ ଦଳାଇ,ନଗର ସଭାପତି ସୁଶାନ୍ତ ରାଉତ,ସମିତି ସଭ୍ୟ ସୁଦୀପ୍ତ ଖଟୁଆ,ଜିଲା ପରିଷଦ ପ୍ରତିନିଧି ପ୍ରତାପ ସାମଲ, ଏନ ଏସି ଉପାଧ୍ୟକ୍ଷା ଏମ ଡି ନୁରାନି ପ୍ରମୁଖ ଯୋଗ ରାଜ୍ୟର ବିଜେପି ସରକାର ଶାସନ ଦାଇତ୍ୱ ଗ୍ରହଣ କରିବା ୧୦୦ଦିନ ପୁରଣ ଅବସରରେ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସଭା କରାଯାଇ ମୋହନ ସରକାର ରାଜ୍ୟର ଯେଉଁ ବିକାଶ ମୂଳକ କାର୍ଯ୍ୟ କରିଥିବା ସୂଚନା ଦେଉଛନ୍ତି ତାହା ବିକାଶ ନୁହେଁ ଏହା ବିନାଶ ବୋଲି ବିଜେଡି ଅଭିଯୋଗ କରିଛି। ସମ୍ମିଳନୀରେ କୁହାଯାଇଛି ଯେ ରାଜ୍ୟର ବିଜେପି ସରକାର ଆସିବା ପର ଠାରୁ ଧାମନଗର ଅଂଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ପୁଲିସର ନିଷ୍କ୍ରିୟତା ପାଇଁ ଗୁଡୁପୋଖରୀ(ଅରୁଣ ବଜାର)ରେ ଦୁଇ ସମ୍ପ୍ରଦାୟର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଲା। ପ୍ରଶାସନ ସେଠାରେ ୧୬୩ଧାରା ଲାଗୁ କରାଇଥିବାରୁ ସେ ଅଂଚଳର ସାଧାରଣ ଜୀବନଯାତ୍ରା ବ୍ୟାଘାତ ଘଟିଛି। ସେଠାକାର ଗରିବ ଦିନ ମଜୁରିଆ ଖଟିଖିଆ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଭୟରେ କାମ ଧନ୍ଦା ପାଇଁ ବାହାରକୁ ଯାଇ ନପାରି ବହୁ ଅସୁବିଧା ଭୋଗୁଛନ୍ତି। କିଛିଦିନ ତଳେ ଦଇପୁର ଗ୍ରାମର ଶିକ୍ଷକ ସୁରେନ୍ଦ୍ର ପଣ୍ଡାଙ୍କୁ ହତ୍ୟା କରାଗଲା। ତାଙ୍କ ପରିବାରକୁ ନ୍ୟାୟ ଦେବାରେ ପୁଲିସ ବିଫଳ ହୋଇଛି । ଶାସକ ଦଳର ଛତ୍ରଛାୟା ତଳେ ଅପରାଧୀ ମାନଙ୍କୁ ସୁରକ୍ଷା ଦିଆଯାଉଛି। ପ୍ରଶାସନ ସ୍ତରରେ ଡିଜେ ସାଉଣ୍ଡକୁ ନିଷିଦ୍ଧ କରାଯାଇଥିବା ବେଳେ ନିର୍ୱଦ୍ରଷ୍ଟା ଧୁଷୁରୀ ଥାନା ପୁଲିସ ଉପସ୍ଥିତିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିଜେ ବଜାଇ ଗଣେଷ ଭାଷାଣି ଚାଲିଥିଲା । ଶେଷରେ ଗଣ୍ଡଗୋଳ ହୋଇ ପରିସ୍ଥିତି ଅଣାୟତ ହେବାରୁ ବାଧ୍ୟ ହୋଇ ପୁଲିସ ଲାଠିଚାଳନା କରି ନିଜର ବାହାଦୁରୀ ପଣିଆ ଦେଖାଇଥିଲେ। ଚୂଡ଼ାକୁଟି ଅଂଚଳର ଜଣେ ଆସାମୀକୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ଲୋକେ ଆକ୍ରମଣ କରିବା ଘଟଣା ସରକାରଙ୍କ ବିକାଶ କେତେ ତାହା ସରକାରଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥ,ଧାମନଗର ଫଳପୁର, ଧାମନଗର ଷେଣ୍ଢପୁର ପୂର୍ତ ବିଭାଗ ରାସ୍ତାର ଶୋଚନୀୟ ଅବସ୍ଥା ଏବଂ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ କାର୍ଯ୍ୟକଳାପ ଇତ୍ୟାଦି ସମ୍ପର୍କରେ ସୂଚନା ଦେଇ ସରକାରଙ୍କ ଏହା ବିକାଶ ନୁହେଁ ବିନାଶ ବୋଲି ଦର୍ଶାଇ ଆଗାମୀ ଦିନରେ ଏହି ଘଟଣାର ପୁନରାବୃତି ହେଲେ ବିଜେଡି ଏହାକୁ ପ୍ରତିବାଦ କରି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଆବଶ୍ୟକ ପଡିଲେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଧାମନଗର ଓ ଧୂଷୁରୀ ଥାନା ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ କରାଯିବ ବୋଲି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.