Home ଜିଲ୍ଲା ପରିକ୍ରମା ଈଶ୍ୱରପୁରର ମା’ ଦପା ନାୟକାଣୀ ପୀଠ ଉତ୍ସବ ମୁଖର,କୁକୁଡ଼ା ଓ ମାଟି ଘୋଡ଼ା ଅର୍ପଣ କଲେ...

ଈଶ୍ୱରପୁରର ମା’ ଦପା ନାୟକାଣୀ ପୀଠ ଉତ୍ସବ ମୁଖର,କୁକୁଡ଼ା ଓ ମାଟି ଘୋଡ଼ା ଅର୍ପଣ କଲେ ମାନସିକଧାରୀ,ଘସି ଉପରେ ବଡଭୋଗ ପ୍ରସ୍ତୁତହେବା ନିଆରା ପରମ୍ପରା

6

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଅଧୀନ ଈଶ୍ୱରପୁର ଗ୍ରାମସ୍ଥିତ ମା ଦପାନାୟକାଣୀ ପୀଠ ବୁଧବାର ମକର ସଂକ୍ରାନ୍ତି ଠାରୁ ଉତ୍ସବମୁଖର ହୋଇଉଠିଛି। ଏହି ମେଳା ୫ଦିନ ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିବା ଜଣାଯାଇଛି । ମନସ୍କାମନା ପୂରଣ ପରେ ମାନସିକଧାରୀମାନେ ମାଙ୍କୁ କୁକୁଡ଼ା ଓ ମାଟିଘୋଡା ଅର୍ପଣ କରିଥିବା ଜଣାଯାଇଛି । ଏହାଛଡା ବିନା ଚୁଲିରେ ଘସି ଉପରେ ବଡ଼ଭୋଗ ପ୍ରସ୍ତୁତି ମଧ୍ୟ ମାଙ୍କ ଅଲୌକିକ ମହିମାକୁ ପ୍ରତିପାଦିତ କର ଏକ ନିଆରା ପରମ୍ପରା ସୃଷ୍ଟି କରିଆସିଛି। ରାଜ୍ୟ ମାନଚିତ୍ରରେ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଥିବା ମା’ଙ୍କ ପୀଠସ୍ଥଳରେ ଯେତେ ପର୍ବ ପାଳିତ ହୋଇଥାଏ ତା ଭିତରୁ ମକରମେଳା ସ୍ୱତନ୍ତ୍ର ପର୍ବ ଭାବେ ପରିଗଣିତ ହୋଇଆସିଛି। ଏହା ବୟାଙ୍ଗ ଅଂଚଳରେ ଶ୍ରେଷ୍ଠ ପର୍ବ ଭାବେ ପାଳିତ ହୋଇଆସୁଛି । ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁମାନେ ବଡ଼ିଭୋରୁ ମନ୍ଦିର ବେଢ଼ାରେ ଭୋଗ କରିବା ସହିତ ଦୀପ ଲଗାଇଥିଲେ । ମା’ଙ୍କ ନିକଟରେ ଶ୍ରଦ୍ଧାଳୁମାନେ ମାନସିକ ରଖିଥିବା କୁକୁଡ଼ାକୁ ଅର୍ପଣ କରିଥିଲେ ଯାହାକୁ ଭକ୍ତମାନେ ଭୋଗ ଭାବେ ଭକ୍ତିର ସହିତ ଘରକୁ ନେଇଥିଲେ । ଏହି ପରମ୍ପରାଟି ସ୍ଥାନୀୟ ଅଂଚଳରେ ଏକ ସ୍ୱତନ୍ତ୍ର ପରମ୍ପରା ବୋଲି କୁହାଯାଇଛି। ଏହାଛଡା ବିନା ଚୁଲିରେ କେବଳ ଘଷିରେ ନିଆଁ ଲଗାଯାଇ ବଡ଼ଭୋଗ ପ୍ରସ୍ତୁତି ହୋଇଥାଏ । ମାଙ୍କ ବେଢ଼ା ପରିସରରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ଏହି ଭୋଗ ପ୍ରସ୍ତୁତ କରିଥାନ୍ତି । ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକ,ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ , ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧିରଂଜନ ନାୟକ ପ୍ରମୁଖ ମା’ଙ୍କୁ ଦର୍ଶନକରି ଆଶୀର୍ବାଦ ଭିକ୍ଷାକରିଥିଲେ।ମନ୍ଦିର ପରିଚାନା କମିଟିର କର୍ମକର୍ତା ମାନେ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି କରଣ ପାଇଁ ମନ୍ତ୍ରୀ ଓ ଜିଲ୍ଲା ପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ।ମା’ ଦପାନାୟକାଣୀ ପୀଠରେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ପାଇଁ ଈଶ୍ୱରପୁର ହାଇସ୍କୁଲର ସ୍କାଉଟ ଗାଇଡ ଛାତ୍ରୀଛାତ୍ରମାନେ ନିୟୋଜିତ ହୋଇଛନ୍ତି । ପୀରହାଟ ଥାନା ଅଧିକାରୀ ରୋଜାଲିନ ବେହେରା ତିହିଡି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପଦକ୍ଷେପ ନିଆଯାଇଛି। ମା’ଙ୍କ ମନ୍ଦିର ପରିଚାଳନା କମିଟିର ସଭାପତି ଶରତ ଚନ୍ଦ୍ର ଦାସ,ସମ୍ପାଦକ ମଦନମୋହନ ଦାସ,କୋଷାଧ୍ୟକ୍ଷ ଅଭିମନ୍ୟୁ ମଳିକ,ହିସାବ ନିରୀକ୍ଷକ ଚକ୍ରଧର ଦାସ,ସଦସ୍ୟ ସୁଧାକର ଦାସ,ମୁରଲୀଧର ମଳିକ,ଚରଣ ମଳିକ,ବୈରାଗୀ ମଳିକ,ନିରାକାର ମଳିକ,ବୈରାଗୀ ମଳିକ ପ୍ରମୁଖ ମେଳା ପରିଚାଳନାରେ ସହଯୋଗ କରୁଛନ୍ତି । ଏହି ମେଳା ମା’ଙ୍କ ପୀଠରେ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବ।ଏହି ୫ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି କର୍ମକର୍ତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.