Home Top News ଇସ୍ତଫା ପରେ ବିଜେଡିରେ ମିଶିଲେ ବହୁ ବିଜେପି ନେତା ଓ କର୍ମୀ

ଇସ୍ତଫା ପରେ ବିଜେଡିରେ ମିଶିଲେ ବହୁ ବିଜେପି ନେତା ଓ କର୍ମୀ

86

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଦଳର ରାଜ୍ୟ ସଂଗଠନ ସଂପାଦକ ପ୍ରଣବ କିଶୋର ଦାସଙ୍କ ଉପସ୍ଥିତିରେ ଭଦ୍ରକ ବିଜେପିର ବହୁ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ଦଳର ବରିଷ୍ଠ ନେତା ପ୍ରଭାତ ଜେନା, ରାଜୀବ ମହାନ୍ତି, ଅନୁପ ମହାନ୍ତି, ସପନ ଦାସ, ବିକାଶ ଶ୍ରେଷ୍ଠା ପ୍ରମୁଖଙ୍କ ନେତୃତ୍ୱରେ ପ୍ରାୟ ୩ ଶହ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଯାହାକି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ପାଇଁ ଏକ ଶକ୍ତ ଧକା ସଦୃଶ ହୋଇଛି। ଏହି ମିଶ୍ରଣ ପର୍ବ ଅବସରରେ ଜିଲା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡିରେ ସାମିଲ ହୋଇଥିବା ଏ ସମସ୍ତ ବିଜେପିର ନେତା ଓ କର୍ମୀ ଗତ ଜାନୁଆରୀ ମାସ ୨୧ ତାରିଖ ଦଳରୁ ସମୂହ ଇସ୍ତଫା ଦେଇଥିଲେ। ଏହି ଅବସରରେ ରାଜ୍ୟ ସଂଗଠନ ସଂପାଦକ ଶ୍ରୀ ଦାସ ସେମାନଙ୍କୁ ସ୍ୱାଗତ କରି କହିଥିଲେ ଯେ ବିଜେଡି ଉପରେ ସେମାନେ ଯେଉଁ ଆଶା ଓ ବିଶ୍ୱାସ ନେଇ ଆସିଛନ୍ତି, ତାହା ଅକ୍ଷୁର୍ଣ୍ଣ ରହିବ। ଦଳକୁ ସେମାନେ ନିଜର ଘର ବୋଲି ଭାବି ମୁଖ୍ୟମନ୍ତ୍ରୀଙ୍କ ବିକାଶ ପ୍ରକ୍ରିୟାରେ ସହଯୋଗ କରିବାକୁ କହିଥିଲେ।

ସେହିପରି ବିଧାୟକ ଶ୍ରୀ ମଲ୍ଲିକ ଭଦ୍ରକରେ କ୍ରମେ ବିଜେପି ଅସ୍ତିତ୍ୱ ହରାଉଛି ଓ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ସଫା ହୋଇଯିବ ବୋଲି କହିଥିଲେ। ସେହିପରି ବିଜେଡିରେ ସାମିଲ ହୋଇଥିବା ବରିଷ୍ଠ ନେତା ଶ୍ରୀ ଜେନା କହିଥିଲେ ଯେ ୨୦ ବର୍ଷରୁ ଅଧିକ ଦିନ ଦଳ ପାଇଁ ଆମେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିଆସିଥିଲୁ। କିନ୍ତୁ ଏହି ଦଳ ବ୍ୟକ୍ତି କୈନ୍ଦ୍ରିକ ଦଳରେ ପରିଣତ ହୋଇଛି। ପୁରୁଣା ଯୋଗ୍ୟ ନେତାଙ୍କୁ କୋଣ ଠେସା କରି ରଖାଯାଇଛି। ଦଳ ଏହାର ମୌଳିକ ବିଚାରାଧାରାରୁ ଓହରିଯାଇଛି। ଦଳୀୟ କର୍ମୀ ହତୋତ୍ସାହିତ ଅବସ୍ଥାରେ ଅଛନ୍ତି। ବିଜେପି ଧାମନଗର ସମେତ ବିଭିନ୍ନ ସ୍ଥାନରେ କଂଗ୍ରେସ ସହ ଅଘୋଷିତ ସୁବିଧାବାଦୀ ମେଣ୍ଟ ଗଠନ କରିଛି। ତେଣୁ ସମ୍ମାନ ଓ ସ୍ୱାଭିମାନର ସହ ଏହି ଦଳରେ କୌଣସି ନିଷ୍ଠାପର ନେତା ବା କର୍ମୀ କାର୍ଯ୍ୟ କରିବା ଅସମ୍ଭବ। କିନ୍ତୁ ଭଦ୍ରକ ପ୍ରତି ବିଧାୟକ ଶ୍ରୀ ମଲ୍ଲିକଙ୍କ ପ୍ରତିଶ୍ରୁତିବଦ୍ଧତାରେ ଆମେ ଉତ୍ସାହିତ। ନବୀନ ବାବୁଙ୍କ ବିକାଶ ପ୍ରକ୍ରିୟାରେ ଆମେ ଉଲ୍ଲସିତ। କୌଣସି ପ୍ରାକ୍ ସର୍ତ୍ତ ନରଖି ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ଅପରପକ୍ଷେ ଏହି ନେତାମାନଙ୍କ ବିଜେଡିରେ ମିଶିବା ଘଟଣାକୁ ଆଦୌ ଗୁରୁତ୍ୱ ଦେଇନାହାଁନ୍ତି ଜିଲା ବିଜେପି ସଭାପତି ହେମନ୍ତ କୁମାର ପାଢୀ। ଦଳ ପ୍ରତି କେବେ ମଧ୍ୟ ଆନୁଗତ୍ୟ ରଖିନଥିବା କିଛି ସୁବିଧାବାଦୀ ଓ ତଥାକଥିତ ନେତା ବିଜେଡିକୁ ଯାଇଛନ୍ତି। ବିଗତ ସାଧାରଣ ନିର୍ବାଚନ ସମୟରୁ ସେମାନେ ବିଜେଡି ସହ ସଂପର୍କରେ ରହିଆସିଛନ୍ତି। ତେଣୁ ସେମାନଙ୍କ ଅନ୍ୟ ଦଳରେ ଯୋଗଦାନ ବିଜେପି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଶ୍ରୀ ପାଢୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.